ଭୁବନେଶ୍ବର/କଟକ: ହିଟ୍ ଆଣ୍ଡ ରନ୍ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଥିବା ଅଭିଯୋଗ କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଏହାର ପ୍ରତିବାଦରେ ସୋମବାରଠାରୁ ମହାସଂଘ ଧର୍ମଘଟ ଡାକରା ଦେଇଛି। ମହାସଂଘର ଶ୍ରମିକମାନେ ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ/ଅନ୍ଲୋଡିଂ କରିବେ ନାହିଁ। ଫଳରେ ସାରା ରାଜ୍ୟରେ ଏହି ଇନ୍ଧନ ସଙ୍କଟ ଦେଖାଦେବା ଥୟ। ଏପଟେ ସରକାର ଯଦି ଏହାର ସମାଧାନ ନ କରନ୍ତି ତେବେ ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ଡିଜେଲ୍ ସଙ୍କଟ ଦେଖା ଦେବା ନିଶ୍ଚିତ ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।
ମହାସଂଘର ସଭାପତି ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ କମିଟି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଜଣେ ହେଲେ ଶ୍ରମିକ କାର୍ଯ୍ୟରେ ଯୋଗ ଦେବେନାହିଁ। ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୦୪(କ) ଅନୁସାରେ ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଚାଳକଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଥିଲା। ହେଲେ ନରେନ୍ଦ୍ର ମୋଦୀ ସରକାର ଆଇପିସିକୁ ‘ଭାରତୀୟ ନ୍ୟାୟ ସଂହିତା’ରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଚାଳକଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯାଇଛି। ବାସ୍ତବତା ହେଉଛି- ଦୁର୍ଘଟଣା ଚାଳକର ଦୋଷ ଯୋଗୁ ଘଟୁନାହିଁ। ବରଂ ଏଠାରେ ପ୍ରଶସ୍ତ ରାସ୍ତା ନାହିଁ। ଭାରୀଯାନ ଓ ହାଲୁକା ଯାନ ପାଇଁ ଭିନ୍ନ ଭିନ୍ନ ରାସ୍ତା(ଲେନ୍ ଡ୍ରାଇଭିଂ) ବ୍ୟବସ୍ଥା ନାହିଁ। ରାସ୍ତା ତୁଳନାରେ ଗାଡ଼ି ସଂଖ୍ୟା ବଢ଼ି ଗଲାଣି। ଏ ସବୁ ଦୁର୍ଘଟଣାର ପ୍ରମୁଖ କାରଣ। ଏହାର ସମାଧାନ କରିବା ପରିବର୍ତ୍ତେ ମୋଟର ଡ୍ରାଇଭରମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବା ସହ ଜେଲ୍ରେ ପୂରାଇ ସେମାନଙ୍କ ପରିବାରବର୍ଗଙ୍କୁ ସଙ୍କଟ ଭିତରକୁ ଠେଲି ଦେବା ଦୁର୍ଭାଗ୍ୟଜନକ। ବିଜେପି ସରକାର ଏହି କଳା ଆଇନ୍ ପ୍ରତ୍ୟାହାର କରୁ।
ମହାସଂଘ ଆହୁରି କହିଛି ଯେ ଓଡ଼ିଶା ସରକାର ଏହି ଶ୍ରମିକମାନଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ। ରାଜ୍ୟ ସରକାର ଯଦି ପୁଲିସ ବଳ ଲଗାଇ ଶ୍ରମିକମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତେବେ ବୁଝିବାକୁ ହେବ ଯେ ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁ ନାହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଟୁ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଉପସଭାପତି ସତ୍ୟାନନ୍ଦ ବେହେରା, ସମ୍ପାଦକ ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମହାସଂଘର ସାଧାରଣ ସମ୍ପାଦକ ଉଲ୍ଲାସ ସ୍ବାଇଁ, ବିମାନ ମାଇତି, ପ୍ରଦୀପ୍ତ ନାୟକ ଓ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ପୂର୍ବରୁ ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭଳି ଜିଲ୍ଲାରେ ତେଲ ସଙ୍କଟ ଦେଖାଦେଇଥିଲା। ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ମାତ୍ର ୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଥିଲା। ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡିଂ ହୋଇଛି। କିନ୍ତୁ ସୋମବାର ଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଧର୍ମଘଟ କଲେ ସନ୍ଧ୍ୟା ସୁଦ୍ଧା ତେଲ ଅଭାବ ଦେଖାଦେବା ନିଶ୍ଚିତ। ଏଣୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ସରକାର ଏଥିରେ ହସ୍ତକ୍ଷେପ କରି ତେଲ ପରିବହନ ସ୍ବାଭାବିକ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅଲ୍ ଓଡିଶା ଟ୍ରାନ୍ସପୋର୍ଟ ୱାର୍କରସ୍ ଫେଡରେସନ୍ ପକ୍ଷରୁ ଚକା ବନ୍ଦ ଆନ୍ଦୋଳନ ଡାକରାକୁ ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ଅଲ୍ ଇଣ୍ଡିଆ ମୋଟର୍ ଟ୍ରାନ୍ସପୋର୍ଟ କଂଗ୍ରେସର ପୂର୍ବତନ ଉପ-ସଭାପତି ତଥା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ବନ୍ଦକୁ ସମର୍ଥନ କରି ନାହାନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନ ସହିତ ରାଜ୍ୟ ଟ୍ରକ୍ ମାଲିକ ମହାସଂଘର କୌଣସି ସମ୍ପର୍କ ନାହିଁ। ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ଏହାକୁ ସମର୍ଥନ କରୁ ନାହିଁ। ଆସନ୍ତାକାଲି ଟ୍ରକ୍ ଚଳାଚଳ ସ୍ବାଭାବିକ ରହିବ। ଏଣୁ ସାଧାରଣ ଜନତା ଭୟଭୀତ ହେବାର କୌଣସି କାରଣ ନାହିଁ। ଲୋକମାନଙ୍କ ନିକଟରେ ଜିନଷପତ୍ର ଠିକ୍ ଭାବେ ପହଞ୍ଚିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।