ଭୁବନେଶ୍ବର : ୨୦୧୬ ମସିହା ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା(ବିଏମ୍‌ଡବ୍ଲୁ) ଆଇନ କହୁଛି, ମେଡିକାଲ ବର୍ଜ୍ୟବସ୍ତୁ ପରିବହନ ପାଇଁ ବ୍ୟବହାର ହେଉଥିବା ଯାନ ଓ କଣ୍ଟେନରରେ ବାର୍ କୋଡ୍ ଓ ଜିପିଏସ୍ ବ୍ୟବସ୍ଥା ରହିବ। ଆଇନ ଆସିବାର ୫ବର୍ଷ ବିତିଲାଣି। ରାଜ୍ୟର କୌଣସି ସ୍ବାସ୍ଥ୍ୟାନୁଷ୍ଠାନରେ ଏହି ବ୍ୟବସ୍ଥା ନାହିଁ। ଏପରିକି ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୨୦୧୯/୨୦ ମସିହାରେ ୨୨ଟି ଜିଲ୍ଲାକୁ ଏଥିପାଇଁ ଟଙ୍କା ଦିଆଗଲାଣି, ମାତ୍ର ଓଡ଼ିଶାର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇନାହିଁ। କେବଳ ବାର୍ କୋଡିଂ କିମ୍ବା ଜିପିଏସ୍ ବ୍ୟବସ୍ଥା ନୁହେଁ, ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ବ୍ୟବହୃତ ସିରିଞ୍ଜ ଲିକ୍ ପ୍ରୁଫ୍ କଣ୍ଟେନର ବଦଳରେ ଏଣେତେଣେ ପଡ଼ି ରହୁଛି। ମୋଟାମୋଟି ଭାବେ ରାଜ୍ୟରେ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ୍‌ ମାରିଛି। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ରାଜ୍ୟର ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ବ୍ୟାପକ ତ୍ରୁଟି ଓ ସରକାରୀ ଅପାରଗତାକୁ ପଦାକୁ ଆଣିଛନ୍ତି।

Advertisment

୨ବର୍ଷ ହେଲା ଟଙ୍କା ଦିଆଗଲାଣି, ଆରମ୍ଭ ହୋଇପାରିନି ବ୍ୟବସ୍ଥା
ଲିକ୍ ପ୍ରୁଫ୍ କଣ୍ଟେନରରେ ରଖାଯାଉନି ବ୍ୟବହୃତ ସିରିଞ୍ଜ
ପ୍ରତିରକ୍ଷା ଉପକରଣ ବିନା ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

୨୦୨୦ ମସିହା ସୁଦ୍ଧା ରାଜ୍ୟରେ ୩୬୦୩ ସ୍ବାସ୍ଥ୍ୟାନୁଷ୍ଠାନ କାର୍ଯ୍ୟକ୍ଷମ ରହିଛି। ଏଥିରେ ଡାକ୍ତରଖାନା, ନର୍ସିଂହୋମ୍, ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ, ଡାଏଗ୍ନୋଷ୍ଟିକ କେନ୍ଦ୍ର, କ୍ଲିନିକାଲ ଗବେଷଣା ପ୍ରମୁଖ ରହିଛି। ତହିଁରୁ ୩ ପ୍ରତିଶତ ବା ୧୨୨ଟି ସ୍ବାସ୍ଥ୍ୟାନୁଷ୍ଠାନ ବିନା ଅନୁମତିରେ ଅତିରିକ୍ତ ଶଯ୍ୟା ସହିତ ଅଧିକ ମେଡିକାଲ ବର୍ଜ୍ୟବସ୍ତୁ ଉତ୍ପାଦନ କରୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ କାର୍ଯ୍ୟ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ବିରୋଧରେ ବୋର୍ଡ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସେହିପରି ରାଜ୍ୟରେ ମେଡିକାଲ ବର୍ଜ୍ୟବସ୍ତୁ ଉତ୍ପାଦନ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୫/୧୬ରେ ଦୈନିକ ୧୨,୯୨୧ କି.ଗ୍ରା ବର୍ଜ୍ୟବସ୍ତୁ ନିର୍ଗମନ ହେଉଥିବା ବେଳେ ୨୦୧୯/୨୦କୁ ଏହାର ୧୭,୯୯୩କୁ ବୃଦ୍ଧି ପାଇଛି। ୫ବର୍ଷରେ ଏଥିରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି। ଅଡିଟ୍‌ ରିପୋର୍ଟରେ କୁହାଯାଇଛି ଯେ ବିଏମ୍‌ଡବ୍ଲୁ ନିୟମ ୨୦୧୬ର ଭାଗ-୨ର ଧାରା ୧୧ ଅନୁଯାୟୀ ବ୍ୟବହୃତ ସିରିଞ୍ଜ ଖଣ୍ଡ ଖଣ୍ଡ କରାଯିବା ଦରକାର। ନଚେତ୍ ଛୁଞ୍ଚିକୁ କାଟି ଧାରୁଆ ବସ୍ତୁ ଷ୍ଟୋର କରିବା ପାଇଁ ଲିକ୍ ପ୍ରୁଫ୍ କଣ୍ଟେନର ରହିବା ଦରକାର। ମାତ୍ର ଯାଞ୍ଚ ହୋଇଥିବା ୨୧ଟି ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରୁ ସମ୍ବଲପୁର, ଜୟପୁର, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଣୁପୁର ଓ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଯାହାଫଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଛି।

ସେହିପରି ରାଜ୍ୟର କେବଳ ୫ଟି ହସ୍ପିଟାଲରେ ଜୈବ ବର୍ଜ୍ୟ ଉପଚାର ସୁବିଧା ସ୍ଥାପନ କରାଯାଇଛି। ଅନେକ ସ୍ବାସ୍ଥ୍ୟାନୁଷ୍ଠାନରେ ବର୍ଜ୍ୟ ଶ୍ରେଡରର ଓ ଅଟୋକ୍ଲେଭ୍ ମେସିନ୍ ବି କାର୍ଯ୍ୟ କରୁନାହିଁ। ଯାହାଫଳରେ ଷ୍ଟେରିଲାଇଜ୍ ବା ଉପଚାର ହୋଇ ନ ଥିବା ବର୍ଜ୍ୟବସ୍ତୁ ଓ ଅନ୍ୟ ବର୍ଜ୍ୟବସ୍ତୁ ସହିତ ମିଶୁଛି। ବିଏମ୍‌ଡବ୍ଲୁର ନିୟମ ଅନୁସାରେ କଠିନ ବର୍ଜ୍ୟବସ୍ତୁ ସହିତ ମେଡିକାଲ ବର୍ଜ୍ୟବସ୍ତୁର ମିଶ୍ରଣ ହେବନାହିଁ। ଏହାସହ ଚିକିତ୍ସା ହୋଇ ନ ଥିବା ବର୍ଜ୍ୟବସ୍ତୁ ୪୮ ଘଣ୍ଟା ପରେ ଗଚ୍ଛିତ ରହିବ ନାହିଁ। ମାତ୍ର ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଏହାର ବ୍ୟାପକ ଉଲ୍ଲଂଘନ କରାଯାଉଛି। କଠିନ ବର୍ଜ୍ୟବସ୍ତୁ ଓ ଓ ବିଏମ୍‌ଡବ୍ଲୁ ଏକାଠି ରହୁଛି। ଏପରିକି ମେଡିକାଲ କଲେଜ ବି ଏଥିରୁ ବାଦ୍ ପଡ଼ୁନାହାନ୍ତି। ସେଥିରୁ ଦୁର୍ଗନ୍ଧ ନିର୍ଗତ ହେବା ସହିତ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଯାହାକି ସଂକ୍ରମଣ ଓ ଜନସ୍ବାସ୍ଥ୍ୟ ପ୍ରତି ବିପଦକୁ ଡାକି ଆଣୁଛି।

ସିଏଜିଙ୍କ ଅଡିଟ୍‌ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ସାମ୍ନାକୁ ଆଣିଛି। ‌ସ୍ବାସ୍ଥ୍ୟାନୁଷ୍ଠାନରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀମାନେ ବିନା ସୁରକ୍ଷା ଉପକରଣରେ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି। ଯାଞ୍ଚ ହୋଇଥିବା ୨୧ଟି ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରୁ ୫ଟିରେ ସ୍ବାସ୍ଥ୍ୟକର୍ମୀମାନେ ଏଭଳି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପୁରୀ ସିଡିଏମ୍‌ଓ ମଧ୍ୟ ଏଭଳି ଅବହେଳାକୁ ସ୍ବୀକାର କରିବା ସହିତ ସଚେତନତା ଅଭାବରୁ କର୍ମଚୀରୀମାନେ ପିପିଇ ବ୍ୟବହାର କରୁ ନ ଥିବା କହିଛନ୍ତି। ମାତ୍ର ଏହା ଗ୍ରହଣଯୋଗ୍ୟ ନ ଥିବା ସିଏଜିଙ୍କ ପକ୍ଷରୁ କୁହାଯାଇଛି।