ରାଉରକେଲା: ଇସ୍ପାତସହରରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବହୁସଂଖ୍ୟକ ବସ ଚଳାଚଳ କରୁଛି; ତେବେ ଅଧିକାଂଶ ବସ୍ରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଛି। ନିୟମର ସାମାନ୍ୟତମ ପାଳନ ବି ହେଉନି। ତେବେ ବିଳମ୍ବରେ ହେଉ ପଛେ, ରାଉରକେଲା ପରିବହନ ବିଭାଗ ଏନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନିୟମ ଉଲ୍ଲଂଘନ କରୁଥିବା ୬ଟି ବସ୍ରୁ ଜରିମାନା ଆଦାୟ କରାଯାଇଛି।
ବୁଧବାର ପୂର୍ବାହ୍ନରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଅଞ୍ଚଳକୁ ଯାଉଥିବା ବସ୍ଗୁଡ଼ିକର ଯାଞ୍ଚ କରାଯାଇଥିଲା। ବସ୍ରେ ରେଟ୍ ଚାର୍ଟ୍ ରଖାଯିବାସହ ପ୍ରତ୍ୟେକ ଯାତ୍ରୀଙ୍କୁ ଟିକେଟ୍ ଦିଆଯିବାର ପ୍ରାବଧାନ ରହିଛି। କିନ୍ତୁ ଏହି ବସଗୁଡ଼ିକରେ ଏ ନିୟମ ପାଳନ କରାଯାଇନଥିବାରୁ ସେମାନଙ୍କୁ ତଣ୍ଡ ଗଡ଼ିବାକୁ ପଡ଼ିଛି। ‘କଳା କାଇଁଚ’, ଧଳା ଠାକୁର’ ଆଦି ୬ଟି ବସ୍ରୁ ୬୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ବସ୍ଗୁଡ଼ିକୁ ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ସ୍ବାଗତ କରିଥିବାବେଳେ ସହର ଭିତରରେ ମୁକୁଳା ପଡ଼ିଥିବା ସଡ଼କ ସୁରକ୍ଷା ବ୍ୟବସ୍ଥା କିନ୍ତୁ ସେମାନେ ନାପସନ୍ଦ କରିଛନ୍ତି। ଜନଗହଳିପୂର୍ଣ୍ଣ ରିଂ ରୋଡ୍ରେ ଭାରୀଯାନ ଚଳାଚଳ ଉପରେ ଅଙ୍କୁଶ ଲାଗିପାପରିନି। ଫଳରେ ବେପାରିମାନେ ମନଇଚ୍ଛା ଭାରୀଯାନ ମାଧ୍ୟମରେ ନିଜ ନିଜ ସାମଗ୍ରୀ ପରିବହନ କରୁଥିବା ପରିଲକ୍ଷିତ ହୁଏ।
ଏହାସହ ବସ୍ ଭଡ଼ା ମଧ୍ୟ ମନମର୍ଜି ଆଦାୟ କରୁଛନ୍ତି। ରାଜ୍ୟ ବାହାରକୁ ଯାଉଥିବା ବସ୍ଗୁଡ଼ିକରୁ ୩/୪ ଶହ ଟଙ୍କା ଅଧିକ ଆଦାୟ କରାଯାଉଛି। ସହର ଭିତରେ ହେଲ୍ମେଟ୍, ଡିଏଲ୍ ଯାଞ୍ଚ୍ ଆଦିର ନାଁ ଗନ୍ଧ ଦେଖିବାକୁ ମିଳୁନି। ଫଳରେ ବେପରୁଆ ଗାଡ଼ି ଚାଳକଙ୍କ ଦୌରାତ୍ମ୍ୟ ପୂର୍ବାପେକ୍ଷା ଢ଼େର୍ ବଢ଼ିଛି। ପୂର୍ବରୁ ଯେଭଳି ଟ୍ରାଫିକ୍ ପୁଲିସ, ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ନିୟମିତ ଯାଞ୍ଚ ହେଉଥିବା ତାହା ଦେଖିବାକୁ ମିଳୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/2-13.jpg)