ରାଉରକେଲା: ରାଉରକେଲାରେ ଥମୁନି ଯୋଗାଣ ବିଭାଗ ବିବାଦ। ଭୂତ କାର୍ଡକୁ ନେଇ ହେଉ ତ ଅନ୍ୟ କେତେବେଳେ ବଣ୍ଟନ ବ୍ୟବସ୍ଥାରେ ତ୍ରୁଟିକୁ ନେଇ ବିଭାଗ ବଦ୍ନାମ ହେଉଛି। ତଥାପି ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି। ଏବେ ପୁଣି ଦୁଇଟି ବିବାଦ ସାମ୍ନାକୁ ଆସିଛି। ଗୋଦାମରୁ କଣ୍ଟୋଲ ଦୋକାନ ପଏଣ୍ଟକୁ ପିଡିଏସ୍ ସାମଗ୍ରୀ ଯୋଗାଉଥିବା ଏଲ୍-୨ ଠିକା ସଂସ୍ଥାର ମନମର୍ଜି କାମ ଯୋଗୁଁ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କାହାକୁ ଠିକ୍ ସମୟରେ ପିଡିଏସ୍ ସାମଗ୍ରୀ ମିଳୁ ନାହିଁ ତ ଅନ୍ୟ କିଏ ବାରମ୍ବାର କଣ୍ଟ୍ରୋଲ ଦୋକାନକୁ ଦୌଡି ଦୌଡି ନୟାନ୍ତ ହେଉଛି। ବାରମ୍ବାର ଏଭଳି ସମସ୍ୟା ଉପୁଜିଥିଲେ ହେଁ ବିଭାଗୀୟ ଅଧିକାରୀ ପରିବହନ ଠିକାସଂସ୍ଥାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହାନ୍ତି। ବରଂ ଠିକାସଂସ୍ଥା ସହ ଭିତିରି ସଲାସୁତୁରା କରି ଚୁପ୍ ରହୁଛନ୍ତି।
ସରକାରୀ ନିୟମ ଅନୁଯାୟୀ ଏଲ୍-୨ ଠିକା ସଂସ୍ଥା ପ୍ରତ୍ୟେକ ମାସ ୧ରୁ ୫ ତାରିଖ ଭିତରେ ଗୋଦାମରୁ ପିଏସ୍ଡିଏସ୍ ସାମଗ୍ରୀ ନେଇ କଣ୍ଟ୍ରୋଲ ଦୋକାନରେ ପହଞ୍ଚିବା କଥା। ରାଉରକେଲା ସହର ଇସ୍ପାତ ସହରାଞ୍ଚଳ, ରାଉରକେଲା ମହାନଗର ନିଗମ ଅଞ୍ଚଳ ଓ ସାରନଗରୀ ଅଞ୍ଚଳରେ ମୋଟ ୧୬୫ଟି କଣ୍ଟ୍ରୋଲ ଦୋକାନ ରହିଛି। ପାଖାପାଖି ୧ ଲକ୍ଷ ୬୯ ହଜାର କାର୍ଡଧାରୀ ରହିଛନ୍ତି। ପିଡିଏସ୍ ସାମଗ୍ରୀ ପରିବହନ ପାଇଁ ଅନ୍ୟୁନ୍ ୮ରୁ ଅଧିକ ଟ୍ରକର ଆବଶ୍ୟକତା ରହିଛି। ଠିକା ସଂସ୍ଥା ୩/୪ଟି ଟ୍ରକ ଲଗାଇଥିବାରୁ ପରିବହନରେ ଜଟିଳ ସମସ୍ୟା ସୃଷ୍ଟି ହୋଇଛି। ଗୋଦାମରୁ ପରିବହନ ହେଉଥିବା ପିଡିଏସ୍ ସାମଗ୍ରୀ ଠିକ୍ ସମୟରେ କଣ୍ଟ୍ରୋଲ ଦୋକାନରେ ପହଞ୍ଚିପାରୁନି। କିଛି କଣ୍ଟ୍ରୋଲ ଦୋକାନରେ ୧୫ ତାରିଖ ପରେ ପହଞ୍ଚୁଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ (ପିଏମ୍ଜିକେ)ଯୋଜନାରେ ହିତାଧିକାରୀଙ୍କୁ ମାଗଣା ପିଡିଏସ୍ ସାମଗ୍ରୀ ମିଳିବା ପରେ ସମସ୍ୟା ଆହୁରି ବଢ଼ି ଯାଇଛି। ଦୂରଦୂରାନ୍ତ ସ୍ଥାନରେ ଥିବା କଣ୍ଟ୍ରୋଲ ଦୋକାନରେ ୧୮ରୁ ୨୦ ତାରିଖ ପହଞ୍ଚୁଥିବାରୁ ହିତାଧିକାରୀ ଠିକ୍ ସମୟରେ ଖାଉଟି ସାମଗ୍ରୀ ପାଇପାରୁ ନାହାନ୍ତି। ଯାହାକୁ କେନ୍ଦ୍ରକରି ଅନେକ ସମୟରେ କଣ୍ଟ୍ରୋଲ ଦୋକାନୀ ଓ ହିତାଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ପରିବହନ କାମ ହାତେଇଥିବା ଠିକାସଂସ୍ଥା ନିଜେ କାମ ତଦାରଖ ନ କରି ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଦେଇ ଦେଇଛନ୍ତି। ଯାହାଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ଥିଲା। ଅନିୟମିତତା ପାଇଁ ତାଙ୍କୁ ମଧ୍ୟ କଳାତାଲିକାଭୁକ୍ତ କରାଯାଇଥିଲା। କଳାତାଲିକା ଭୁକ୍ତ ହେବା ପରେ ଯେନତେନ ପ୍ରକାରେ କାମ ହାତେଇବାକୁ ନିଜ ସମ୍ପର୍କୀୟ ନାଁରେ ଠିକା କାମରେ ପୁରାଇଛନ୍ତି।
ସମ୍ପର୍କୀୟଙ୍କୁ କାମ ମିଳିଥିଲେ ମଧ୍ୟ ସବୁ କିଛି ସେ ନିଜେ କରୁଛନ୍ତି। କେବଳ ଏତିକି ନୁହେଁ ଗୋଦାମରୁ ପରିବହନ ହେଉଥିବା ପିଡିଏସ୍ ସାମଗ୍ରୀରେ ମଧ୍ୟ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଗୋଦାମରୁ ସିଧାସଳଖ କଣ୍ଟ୍ରୋଲ ଦୋକାନକୁ ଅନ୍ୟ ଏକ ବେସରକାରୀ ଗୋଦାମକୁ ଯାଉଛି। ସେଠାରେ ପ୍ରତ୍ୟେକ ବସ୍ତାରୁ ୨/୪ କେଜି ବାହାର କରି ନିଆଯାଉଛି। ପରେ ସେହି ପିଡିଏସ୍ ସାମଗ୍ରୀକୁ ଲୋଡିଂ କରି କଣ୍ଟ୍ରୋଲ ଦୋକାନରେ ପହଞ୍ଚାଉଛନ୍ତି। ଯାହାର କିଛି ଟେର୍ ପାଉ ନାହାନ୍ତି କଣ୍ଟ୍ରୋଲ ଦୋକାନୀ। ଯୋଗାଣ ବିଭାଗର କିଛି କରିତକର୍ମା ପରୋକ୍ଷ ଇଙ୍ଗିତରେ ଏସବୁ ବେଆଇନ କାମ ହେଉଥିବା ଅଭିଯୋଗ ହେଉଛି। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମିଳୁଥିବା ପିଏଡିଏସ୍ ସାମଗ୍ରୀ ବଣ୍ଟନର କମିସନ ଟଙ୍କା ଆଜି ପର୍ଯ୍ୟନ୍ତ କଣ୍ଟ୍ରୋଲ ଦୋକାନୀଙ୍କୁ ମିଳନି। ମାସେ କି ଦୁଇ ମାସ ନୁହେଁ ୨୭ ମାସ ଧରି ମିଳୁନି। ମାସକୁ ପ୍ରାୟ ୩ ଲକ୍ଷ ୨୫ ହଜାର ଟଙ୍କା କରି ୨୭ ମାସର ପାଖାପାଖି ୮୮ ଲକ୍ଷ ଟଙ୍କା ପଡିଛି। ଏହି ଟଙ୍କା ଏବେ କେଉଁଠି ? କାହିଁକି ବଣ୍ଟନ କରାଯାଉ ନାହିଁ ? ଏସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ। ତେବେ ରାଉରକେଲାରେ ଏଭଳି ବିବାଦ ମଧ୍ୟରେ ଚାଲିଥିବା ଯୋଗାଣ ବିଭାଗର ସୁଧାର ଆବଶ୍ୟକତା ରହିଛି।