ବୃଦ୍ଧି ପାଉଛି ମାଙ୍ଗାନିଜ୍‌ ଚୋରା ଚାଲାଣ

ଲକ୍ଷ୍ମୀପୁର : ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତରେ ରହିଥିବା ପ୍ରାୟ ୩ରୁ ୪ ଖଣ୍ଡ ଗାଁ ନିକଟସ୍ଥ ପାହାଡରୁ ମାଙ୍ଗାନିଜ୍‌ ବାହାରୁଛି। ଖଣି ବିଭାଗ ଦୁଇ ବର୍ଷରୁ ଊର୍ଧ୍ୱ ହେଲା ଉକ୍ତ ଅଞ୍ଚଳରେ ମାଙ୍ଗାନିଜ ଖଣି ଖନନ କରାଯିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ଓ ଟେଣ୍ଡର ଆହ୍ଵାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଆସୁଛି। ତେବେ ଏହା ହୋଇପାରୁନଥିବା ବେଳେ ମାଫିଆ ଏହାର ଫାଇଦା ଉଠାଉଛନ୍ତି। କେବଳ କେରେଡା ନୁହେଁ ଫୁଲକୋଣା ଛକ, କୁମ୍ଭାରୀପୁଟ ଦେଇ ଆନ୍ଧ୍ରର ପାର୍ବତୀପୁରମ୍‌ ଆଡକୁ ମାଙ୍ଗାନିଜ ଚାଲାଣ ହେଉଛି। ବିଶେଷକରି ଲକ୍ଷ୍ମୀପୁର ଓ ରାୟଗଡା ଜିଲ୍ଲାର ରାୟଗଡା ଓ କାଶୀପୁର ବ୍ଲକର ସଂରକ୍ଷିତ ଜଙ୍ଗଲରୁ ଏହି ମାଙ୍ଗାନିଜ ଖନନ କରାଯାଉଥିବା ଜଣାପଡିଛି।

ରାୟଗଡା ଜିଲ୍ଲାର ଦେଓଝୋଲ୍ଲା ଗାଁ ନିକଟ ପାହାଡ ସମେତ, କୁଟୁଳି ନିକଟସ୍ଥ ପାହାଡ ଓ କୋରାପୁଟ ଜିଲ୍ଲାର ଲୁଲୁପଦର ଠାରୁ ତିନି କିଲୋମିଟର ଦୂରରେ ଥିବା ପାହାଡ ସମେତ କୁଟିଙ୍ଗା ନିକଟସ୍ଥ ପାହାଡରୁ ମଧ୍ୟ ମାଙ୍ଗାନିଜ ଖନନ କରାଯାଇ ରାତାରାତି ଚାଲାଣ ହେଉଥିବା ଖବର ସାଧାରଣରେ ଚର୍ଚ୍ଚା ଧରିଛି। ଅନ୍ୟ ପକ୍ଷରେ ଏହି ଚୋରା ଚାଲାଣ ରୋକିବାକୁ ପୋଲିସ କିମ୍ବା ବନ ବିଭାଗ ମାଓବାଦୀ ଆଳ ଦେଖାଇ ପଦକ୍ଷେପ ଗ୍ରହଣ କରୁନଥିବା ଆଲୋଚନା ହେଉଛି। ସୂଚନା ଥାଉକି, ଗତବର୍ଷ ମାଙ୍ଗାନିଜ ଚାଲାଣ ହେଉଥିବା ବେଳେ ବନ୍ଧୁଗାଁ ଥାନାରେ ଦୁଇଟି ଟିପ୍ପରକୁ ଜବତ କରାଯାଇଥିଲା। ତେବେ ସରକାରଙ୍କ ରାଜସ୍ୱ ହାନି ହେଉଥିବା ବେଳେ କଳା ବ୍ୟବସାୟୀ ମାଲାମାଲ ହେଉଛନ୍ତି।

ସମ୍ବନ୍ଧିତ ଖବର