ସମ୍ବଲପୁର : ହୀରାକୁଦ ହିଣ୍ଡାଲ୍‌କୋ ପାଵାରପ୍ଲାଣ୍ଟ କଲୋନି ରୋହିଣୀ ବେହେରା କମ୍‌ ବିନିଯୋଗ କରି ଅଧିକ ଲାଭ ପାଇବାର ଏକ ବିଜ୍ଞାପନ ଦେଖିଥିଲେ। ବିଜ୍ଞାପନରେ ଦିଆଯାଇଥିବା ୱେବ୍‌ସାଇଟ୍‌ ଖୋଲି ଯାଞ୍ଚ କରିବା ପରେ ତାଙ୍କୁ ଏକ ଅଜଣା ନମ୍ବରରୁ ହ୍ବାଟ୍ସଆପ୍‌ରେ ମେସେଜ ଆସିଲା। ଉକ୍ତ ମେସେଜ୍‌ରେ ଫଟୋ ଓ କିଛି ତଥ୍ୟ ଦିଆଯାଇଥିଲା। ତା ପରେ ରୋହିଣୀ ୧୦୦ ଟଙ୍କା ନିବେଶ କରିଥିଲେ। ସପ୍‌କ୍ଲୁଜ୍‌ ମଲ୍‌ ନାଁରେ ଥିବା ୱେବ୍‌ସାଇଟରେ ସେ ଟଙ୍କା ନିବେଶ କରିବାରୁ ୨୪୦ ଟଙ୍କା ଫେରି ପାଇଥିଲେ। ଟାସ୍କ-୧ ସଫଳ ଭାବେ ଶେଷ ହୋଇଛି ବୋଲି ଏକ ମେସେଜ ଆସିଲା। ସେହି ୱେବ୍‌ସାଇଟ୍‌ରେ ବିଭିନ୍ନ ଉତ୍ପାଦ ବିକ୍ରି ହେଉଥିବା ଦର୍ଶାଇଥିଲା। ତାପରେ ତାଙ୍କୁ ଦ୍ବିତୀୟ ଟାସ୍କ ଶେଷ କରିବା ପାଇଁ ୨୬୮ ଟଙ୍କା ନିବେଶ କରିବା ପାଇଁ କହାଯାଇଥିଲା। ତାହା କରିବା ପରେ ତାଙ୍କ ଆକାଉଣ୍ଟକୁ ୧୭୦୦ ଟଙ୍କା ଆସିଥିଲା। ଟାସ୍କ -୩ ଶେଷ କରିବା ପରେ ତାଙ୍କୁ ସ୍ଥାୟୀ କର୍ମଚାରୀ କରାଯିବ ବୋଲି କହାଯାଇଥିଲା।

Advertisment

ସ୍ଥାୟୀ କର୍ମଚାରୀ ଓ ଅଧିକ ଲାଭ ମିଳିବାର ଲୋଭ ଦେଖାଇ ସେମାନେ ରୋହିଣୀଙ୍କ ଠାରୁ ଏକାଧିକ ଟ୍ରାନ୍‌ଜେକ୍‌ସନ୍‌ରେ ୧ ଲକ୍ଷ ୪୧ ହଜାର ୩ ଶହ ୪୦ ଟଙ୍କା ନେଇଯାଇଥିଲେ। ତେବେ ରୋହିଣୀ ଜୁନ ୨୬ ତାରିଖ ଦିନ ଯାଞ୍ଚ କରିବାରୁ ଟଙ୍କାଟିଏ ବି ତାଙ୍କୁ ସୋ କରି ନଥିଲା। କି ତାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଆସି ନଥିଲା। ସେ ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ନିରାଶ ହୋଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ହୀରାକୁଦ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।