ସରକାରୀ ହସ୍ପିଟାଲରେ ଟ୍ରମା ଚିକିତ୍ସା ଏମିତି : ଟ୍ରମା ନୁହେଁ, କାଜୁଆଲ୍ଟିର ସଂପ୍ରସାରଣ
ଅଧିକାଂଶ ସ୍ଥାନରେ ନାହାନ୍ତି ଆବଶ୍ୟକ ଡାକ୍ତର ଓ କର୍ମଚାରୀ
ଭୁବନେଶ୍ବର : ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରମା କେନ୍ଦ୍ର ଏବେ ବି ଅଧପନ୍ତରିଆ। କେଉଁଠି ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି ତ ଆଉ କେଉଁଠି ଡାକ୍ତର ନିଯୁକ୍ତ ହୋଇଛନ୍ତି; ମାତ୍ର ଟ୍ରମା କେନ୍ଦ୍ର ପ୍ରତିଷ୍ଠା ହୋଇପାରିନି। ସରକାରୀ ହସ୍ପିଟାଲରେ ଟ୍ରମା କେୟାରଗୁଡ଼ିକ କେବଳ କାଜୁଆଲ୍ଟିର ଏକପ୍ରକାର ସଂପ୍ରସାରଣ ଭଳି କାମ କରୁଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସବୁ ଜିଲ୍ଲା ଚିକିତ୍ସାଳୟରେ ଟ୍ରମାକେୟାର କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଦୁର୍ଘଟଣାଜନିତ ମୃତୁହାର କମାଇବା ପାଇଁ ସରକାର ୩ଟି ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି। ହେଲେ ସେଠାରେ ଏବେ ଅର୍ଥାଭାବ ଦେଖିବାକୁ ମିଳିଲାଣି। ତେଣୁ ସରକାରୀସ୍ତରରେ ଟ୍ରମା କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରା ନ ଗଲେ ରାଜ୍ୟବ୍ୟାପୀ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଏକପ୍ରକାର ଅସମ୍ଭବ ହୋଇପଡ଼ିବ ବୋଲି ଅନେକ ମତ ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟ ବିଭାଗର ଘୋଷଣା ଅନୁସାରେ, ରାଜ୍ୟରେ ୩ଟି ପୁରାତନ ମେଡିକାଲ କଲେଜକୁ ମିଶାଇ ୮ଟି ସରକାରୀ ହସ୍ପିଟାଲରେ ଟ୍ରମା କେନ୍ଦ୍ର କାର୍ଯ୍ୟ କରୁଛି। ଏସ୍ସିବି, ଏମ୍କେସିଜି, ଭିମ୍ସାରକୁ ଲେଭଲ-୧ ଟ୍ରମା କେୟାର ଓ ବାଲେଶ୍ବର, ଭଦ୍ରକ, ଖୋର୍ଧା, ପୁରୀ ଓ ଆରଜିଏଚ୍କୁ ଲେଭଲ-୩ ଟ୍ରମା କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଲେଭଲ-୧ ଟ୍ରମା କେନ୍ଦ୍ରରେ ନ୍ୟୁରୋସର୍ଜରି ୨, ଅସ୍ଥିଶଲ୍ୟ ୧, ଜେନେରାଲ ସର୍ଜରି ୫, ନିଶ୍ଚେତକ ବିଶେଷଜ୍ଞ ୭, ଆଇସିୟୁ ମେଡିକାଲ ଅଫିସର ୧୮, ଷ୍ଟାଫ ନର୍ସ ୬୦, ରେଡିଓଗ୍ରାଫର ୪, ଲାବୋରେଟାରି ଟେକ୍ନିସିଆନ୍ ୬ ଏବଂ ୱାର୍ଡ ଆଟେଣ୍ଡାଣ୍ଟ ୨୦ଜଣ ନିଯୁକ୍ତ ହେବା ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି। ତେବେ ରେଡିଓଲୋଜିଷ୍ଟ, ପ୍ଲାଷ୍ଟିକ ସର୍ଜନ, ନର୍ସିଂ ଆଟେଣ୍ଡାଣ୍ଟ, ଓଟି ଟେକ୍ନିସିଆନ୍ ଓ ଏମ୍ଆରଟି ଟେକ୍ନିସିଆନ୍ ନିଯୁକ୍ତ ହେବା ନେଇ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇନି। ସେହିପରି ଲେଭଲ-୩ ଟ୍ରମା କେନ୍ଦ୍ରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ୫, ଜେନେରାଲ ସର୍ଜରି ୧୫, ନିଶ୍ଚେତକ ବିଶେଷଜ୍ଞ ୧୫, ଆଇସିୟୁ ମେଡିକାଲ ଅଫିସର୍ ୨୦ ଓ ୱାର୍ଡ ଆଟେଣ୍ଡାଣ୍ଟ ୧୮ଜଣ ପାଇଁ ଅନୁମୋଦନ ମିଳିଛି। ଏଥିରେ କେତେସଂଖ୍ୟକ ଷ୍ଟାଫ ନର୍ସ, ନର୍ସିଂ ଆଟେଣ୍ଡାଣ୍ଟ, ଓଟି ଟେକ୍ନିସିଆନ୍, ରେଡିଓଗ୍ରାଫର ଓ ଲାବୋରେଟାରି ଟେକ୍ନିସିଆନ୍ ରହିବେ, ତାହା ଧାର୍ଯ୍ୟ ହୋଇନାହିଁ।
ସୂଚନା ଅନୁସାରେ, ମେଡିକାଲ କଲେଜଗୁଡ଼ିକରେ ଚାଲିଥିବା ଟ୍ରମା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ ରହିଛି। ଦୁର୍ଘଟଣାର ଶିକାର ହୋଇ ଆସୁଥିବା ରୋଗୀମାନଙ୍କୁ କାଜୁଆଲ୍ଟି ଜରିଆରେ ଚିକିତ୍ସା ହେବାକୁ ପଡ଼ୁଛି। କାଜୁଆଲଟିରୁ ଟ୍ରମା କେନ୍ଦ୍ରକୁ ଯିବା ପର୍ଯ୍ୟନ୍ତ ବହୁତ ସମୟ ଲାଗୁଛି। ଫଳରେ ଦୁର୍ଘଟଣା ସମୟରେ ଯେଉଁ ‘ଗୋଲଡେନ୍ ଆୱାର’କୁ ଗୁରୁତ୍ବ ଦିଆଯାଉଛି, ତାହାର ସୁଫଳ ମିଳି ପାରୁନାହିଁ। ବାଲେଶ୍ବର ଜିଲ୍ଲା ଟ୍ରମା କେନ୍ଦ୍ରରେ ବିଭାଗୀୟ ମୁଖ୍ୟ ନାହାନ୍ତି। ଅନ୍ୟ ବିଭାଗରେ ଧାର୍ଯ୍ୟ ଡାକ୍ତର ପଦବିରୁ କିଛି ଖାଲି ପଡ଼ିଛି। ସେହିପରି ଭଦ୍ରକ ଜିଲ୍ଲା ଟ୍ରମା କେନ୍ଦ୍ରରେ ନିଶ୍ଚେତକ ବିଶେଷଜ୍ଞ ପଦ ଖାଲି ପଡ଼ିଥିବା ବେଳେ ବରିଷ୍ଠ ମେଡିକାଲ ଅଫିସର ପଦବିରେ କେହି ନାହାନ୍ତି। ସେହିପରି ପୁରୀ ଜିଲ୍ଲା ଟ୍ରମା କେନ୍ଦ୍ର ପାଇଁ କିଛି ଡାକ୍ତର ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ହେଲେ ଟ୍ରମା କେୟାର କେନ୍ଦ୍ର ନାହିଁ। ନିଯୁକ୍ତ ହୋଇଥିବା ଡାକ୍ତର ସାଧାରଣ ଭାବେ ଅନ୍ୟ ଡ୍ୟୁଟି କରୁଛନ୍ତି। ଫଳରେ ସ୍ବାସ୍ଥ୍ୟ ବିଭାଗର ଫାଇଲରେ ଏସବୁ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ବାସ୍ତବରେ କାଜୁଆଲ୍ଟି ହିଁ ଟ୍ରମା କେୟାରର ସ୍ଥାନ ନେଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୧ ମସିହାରୁ ଏସବୁ ଟ୍ରମା କେନ୍ଦ୍ର କାର୍ଯ୍ୟ କରିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ଟ୍ରମା କେୟାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଯେଉଁ ଟ୍ରମା କେନ୍ଦ୍ର କାର୍ଯ୍ୟ କରୁଛି, ସେସବୁ କେନ୍ଦ୍ରକୁ ଏବେ କର୍ମଚାରୀ ନିଯୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।