କଟକ: ରାଜ୍ୟରେ ଟ୍ରମା କେୟାର୍ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସରକାରୀ ବ୍ୟବସ୍ଥାରେ ମେଡିକାଲ୍ କଲେଜ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଟ୍ରମା ରୋଗୀଙ୍କ ତତ୍କାଳ ଚିକିତ୍ସା ପାଇଁ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଟଙ୍କାରେ ‘ଗୋଲଡେନ୍ ଆୱାର’ ୪୮ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଗଲା ଫେବ୍ରୁଆରି ମାସରେ ୩୬ଟିରୁ ୧୯ଟି ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ୪୫୯୫ଜଣ ରୋଗୀ ଆସିଥିଲେ।
ସେମାନଙ୍କ ମଧ୍ୟରୁ ୨୨୬ଜଣଙ୍କ ବଡ଼ଧରଣର ଟ୍ରମା ଅସ୍ତ୍ରୋପଚାର ହୋଇଥିବାବେଳେ ୨୯୪୦ ଜଣ ରୋଗୀଙ୍କର ଛୋଟ ଅସ୍ତ୍ରୋପଚାର କରାଯାଇଛି। କିନ୍ତୁ ୮୫୯ ଜଣ ରୋଗୀଙ୍କୁ ବିଭିନ୍ନ ସ୍ଥାନକୁ ରେଫର୍ କରାଯାଇଛି। ଉଦ୍ବେଗଜନକ ଚିତ୍ର ହେଲା, ଗୋଟିଏ ମାସରେ ୮୩ ଜଣଙ୍କର ମୃତ୍ୟୁ ଘଟିଛି।
କଟକ ବଡ଼ ଡାକ୍ତରଖାନା ରାଜ୍ୟରେ ଲେବୁଲ୍-୧ ଟ୍ରମା କେୟାର୍ ୟୁନିଟ୍। ସେହିପରି ଭିମ୍ସାର ବୁର୍ଲା, ଏମ୍କେସିଜି ବ୍ରହ୍ମପୁର, ଏଫ୍ଏମ୍ ମେଡିକାଲ୍ କଲେଜ ବାଲେଶ୍ବର, ବଲାଙ୍ଗୀର ଓ କୋରାପୁଟ, ବାରିପଦା, ପୁରୀ ମେଡିକାଲ୍ କଲେଜ୍ ଓ କ୍ୟାପିଟାଲ ହସ୍ପିଟାଲ୍କୁ ଲେବୁଲ୍-୨ ଟ୍ରମା କେୟାର୍ ସେଣ୍ଟର୍ ଓ ଅନ୍ୟ ଜିଲ୍ଲାସ୍ତରୀୟ ହସ୍ପିଟାଲ୍ଗୁଡ଼ିକୁ ଲେବୁଲ୍-୩ ୟୁନିଟ୍ ଭାବେ ଗଣନା କରାଯାଉଛି। ଫେବ୍ରୁଆରି ମାସରେ ରାଜ୍ୟର କେଉଁ ମେଡିକାଲ କଲେଜ ଓ ସରକାରୀ ଚିକିତ୍ସାଳୟଗୁଡ଼ିକରେ କେତେ ରୋଗୀ ଚିକିତ୍ସା ପାଇଁ ଆସିଛନ୍ତି, କେତେ ରୋଗୀଙ୍କ ଗୁରୁତର ଅସ୍ତ୍ରୋପଚାର ଓ ମାଇନର୍ ଅସ୍ତ୍ରୋପଚାର ହୋଇଛି ଓ କେତେ ରୋଗୀଙ୍କୁ ରେଫର୍ କରାଯାଉଛି; ତାକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି।
ତଥ୍ୟ ଅନୁସାରେ, ଲେବଲ୍-୧ ଟ୍ରମା କେୟାର୍ ୟୁନିଟ୍ ଏସ୍ସିବିରେ ୪୯୮ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସେଥିରୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ ଟି ଗୁରୁତର ଟ୍ରମା ଅସ୍ତ୍ରୋପଚାର କରାଯାଇଛି। କିନ୍ତୁ କାହାରିକୁ ରେଫର୍ କରାଯାଇନି। ଭିମ୍ସାର, ଏମ୍କେସିଜି, କୋରାପୁଟ, ବାରିପଦା ମେଡିକାଲ୍ କଲେଜ ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ କେତେ ଅସ୍ତ୍ରୋପଚାର କରାଯାଇଛି, ତା’ର ତଥ୍ୟ ଡିଏମ୍ଇଟିଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ ରିପୋର୍ଟରେ ଦିଆଯାଇନି। ଲେବୁଲ୍-୨ ଟ୍ରମା କେୟାର୍ ଯୁନିଟ୍ ବାଲେଶ୍ବର ମେଡିକାଲ୍ କଲେଜରେ ୮୮ଟି ଗୁରୁତର ଅସ୍ତ୍ରୋପଚାର କରାଯାଇଛି।
ଏସ୍ସିବିରେ ସ୍ବତନ୍ତ୍ର ଟ୍ରମା ୟୁନିଟ୍ ଓ ୫ଟି ବିଭାଗକୁ ନେଇ ଚାଲିଥିବା ବେଳେ ମାତ୍ର ୧୩୦ଟି ଅସ୍ତ୍ରୋପଚାର ହୋଇଛି। ହେଲେ, ବାଲେଶ୍ବରରେ କେବଳ ଅର୍ଥୋପେଡିକ୍ ବିଭାଗ ଓ ନୂଆ ମେଡିକାଲ କଲେଜରେ ମାନବ ସମ୍ବଳର ଅଭାବ ସତ୍ତ୍ବେ ୮୮ଟି ବଡ଼ଧରଣର ଟ୍ରମା ଅସ୍ତ୍ରୋପଚାର କରାଯାଇଛି। ବାଲେଶ୍ବରରେ ମୃତ୍ୟୁ ସଂଖ୍ୟା ମଧ୍ୟ ଶୂନ ରହିଛି ଓ ୨୭ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର୍ କରାଯାଇଛି।
ଅନ୍ୟପକ୍ଷରେ, ରାଜ୍ୟରେ ଯେଉଁ ୮୩ଟି ମୃତ୍ୟୁ ହୋଇଛି ସେଥିରେ ଏସ୍ସିବିରେ ସର୍ବାଧିକ ୫୬ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯେଉଁଠାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଜଣ, କେନ୍ଦୁଝରରେ ୪, ପୁରୀ ଓ ରାଉରକେଲା ଜେନେରାଲ୍ ହସ୍ପିଟାଲରେ ୩ ଜଣ ଲେଖାଏ, ନୂଆପଡ଼ା, ଭଦ୍ରକ ଓ ବଲାଙ୍ଗୀର ମେଡିକାଲ୍ କଲେଜରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଥିବା ତଥ୍ୟରୁ ଜଣାପଡ଼ିଛି।
ଯଦି ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଓ ମେଡିକାଲ୍ କଲେଜର ରେଫରାଲ୍ ରୋଗୀଙ୍କ ସଂଖ୍ୟା ଦେଖାଯାଏ, ତା’ହେଲେ ବଲାଙ୍ଗୀର ମେଡିକାଲ୍ କଲେଜରୁ ସର୍ବାଧିକ ୬୪ଜଣ ଓ ବାଲେଶ୍ବରରୁ ୨୭ ଜଣଙ୍କୁ ରେଫର୍ କରାଯାଇଛି। ସେହିପରି ନୟାଗଡ଼ରୁ ୧୧୬, କେନ୍ଦୁଝରରୁ ୧୧୩, ଭଦ୍ରକରୁ ୯୩, କନ୍ଧମାଳ ୭୪, ସୁନ୍ଦରଗଡ଼ରୁ ୭୧, ପୁରୀରୁ ୬୬, କେନ୍ଦ୍ରାପଡ଼ା ୬୬, ଖୋର୍ଦ୍ଧାରୁ ୫୩, ଅନୁଗୁଳରୁ ୩୫, ଝାରସୁଗୁଡ଼ାରୁ ୩୦, କଟକରୁ ୨୩ଜଣ ରେଫର୍ ହୋଇଛନ୍ତି। ସମ୍ବଲପୁର, ରାୟଗଡ଼ା, ସୋନପୁର, ବରଗଡ଼, ଆଦି ଜିଲ୍ଲାର ତଥ୍ୟ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/19-4.jpg)