ଓଡ଼ିଶା ସମେତ ରାଜ୍ୟ ବାହାରର ୧୧ ହସ୍ପିଟାଲରେ ମିଳିବ ଟ୍ରମା ଚିକିତ୍ସା

ଭୁବନେଶ୍ୱର : ଓଡ଼ିଶା ସମେତ ରାଜ୍ୟ ବାହାରର ହସ୍ପିଟାଲକୁ ମିଶାଇ ସମୁଦାୟ ୧୧ଟି ହସ୍ପିଟାଲରେ ଟ୍ରମା ଚିକିତ୍ସା ସୁବିଧା ମିଳିବ। ରାଜ୍ୟ ସରକାର ଏସବୁ ହସ୍ପିଟାଲକୁ ଏମ୍‌ପ୍ୟାନେଲ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦୁର୍ଘଟଣାର ଶିକାର ହେଉଥିବା ରୋଗୀଙ୍କୁ ୪୮ ଘଣ୍ଟାର ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବରୁ ରାଜ୍ୟର ୩ଟି ଘରୋଇ ହସ୍ପିଟାଲ ଟ୍ରମା ଚିକିତ୍ସା ପାଇଁ ସରକାରଙ୍କ ସହିତ କରିଥିବା ଚୁକ୍ତିରୁ ଓହରି ଯାଇଥିଲେ।
ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିବାକୁ ଯାଉଥିବା ୧୧ଟି ହସ୍ପିଟାଲ ମଧ୍ୟରୁ ୯ଟି ଓଡ଼ିଶାରେ ଥିବା ବେଳେ ଗୋଟିଏ ଲେଖାଏଁ ଆନ୍ଧ୍ର ଓ ଛତିଶଗଡ଼ରେ ରହିଛନ୍ତି। ଓଡ଼ିଶାରେ ଥିବା ୯ ହସ୍ପିଟାଲ ଭିତରୁ ୭ଟି ଭୁବନେଶ୍ବର ଓ ଗୋଟିଏ ଲେଖାଏଁ କଟକ ଓ ରାଉରକେଲାର ରହିଛନ୍ତି। ହସ୍ପିଟାଲମାନଙ୍କ ଭିତରେ ଆମ୍ରି, ସମ୍, କିମ୍‌ସ, ହାଇଟେକ୍, କଳିଙ୍ଗ, ଉତ୍କଳ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍‌ସ, ସମ୍ ଅଲ୍‌ଟିମେଟ, କଟକସ୍ଥିତ ଅଶ୍ବିନୀ ଓ ରାଉରକେଲାର ଜେପି ହସ୍ପିଟାଲ ରହିଛି। ତେବେ ଜେପି ହସ୍ପିଟାଲରେ ଚିକିତ୍ସା ବାବଦ ଖର୍ଚ ଜିଲ୍ଲା ଖଣିଜ ପାଣ୍ଠିରୁ ଭରଣା କରାଯିବ ବୋଲି କୁହାଯାଇଛି।

ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ୪୮ଘଣ୍ଟା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଯଦି ଏହି ସମୟରେ ଭିତରେ ଉପଯୁକ୍ତ ଚିକିତ୍ସା ନ ‌ମିଳେ ତାହାଲେ ରୋଗୀ ପ୍ରାଣ ହରାଇବାର ଅଧିକ ଆଶଙ୍କା ରହିଥାଏ। ଏହାକୁ ନଜରରେ ରଖି ରାଜ୍ୟ ସରକାର ୨ବର୍ଷ ତଳେ ମାଗଣା ଟ୍ରମା ଫଣ୍ଡ ବା ଏଫ୍‌ଟିଟିଏଫ୍‌ ଗଠନ କରିଥିଲେ। ଏଥିରେ ଆସନ୍ତା ୫ ବର୍ଷ ପାଇଁ ୧୪୭.୨କୋଟି ଟଙ୍କାର ମଞ୍ଜୁର କରାଯାଇଛି। ୨୦୧୯ ମସିହା‌ରେ ରାଜ୍ୟ ସରକାର ରାଜଧାନୀର ୨ ଓ କଟକର ଗୋଟିଏ ହସ୍ପିଟାଲରେ ମାଗଣା ଟ୍ରମା ଚିକିତ୍ସା ପାଇଁ ୬କୋଟି ଟଙ୍କା ମଞ୍ଜୁର କରିଥିଲେ। ପରବର୍ତୀ ସମୟରେ ରାଜ୍ୟ ସରକାର ଅଧିକ ହସ୍ପିଟାଲକୁ ଏଥିରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କୁ ଏହି ଯୋଜନା ଅଧୀନରେ ଚିକିତ୍ସା ଯୋଗାଇ ଦିଆଯିବ। ସରକାରୀ କିମ୍ବା ଘରୋଇ ଆମ୍ବୁଲାନ୍‌ସ କିମ୍ବା ଉତ୍ତମ ସାମର୍ଟରିଆନ୍‌ ଯଦି ଜଣେ ଦୁର୍ଘଟଣାଗସ୍ତ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରନ୍ତି ତାହାଲେ ଗମନାଗମନ ଖର୍ଚକୁ ମଧ୍ୟ ସରକାର ଭରଣା କରିବେ। ଦୁର୍ଘଟଣାର ଶିକାର ରୋଗୀଜଣକ ଯଦି ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯିବେ ତାହାଲେ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସ୍ଥିରତା ଆଣିବା ଲାଗି ଆବଶ୍ୟକ ଚିକିତ୍ସା କରିବେ। ଏହାସହ ଡିଏମ୍‌ଇଟିଙ୍କୁ ମଧ୍ୟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦିଆଯିବା ସହତି ୪୮ଘଣ୍ଟା ଭିତରେ କେତେ ଖର୍ଚ ହେବ ତାହାର ଆକଳନ ପ୍ରଦାନ କରିବାକୁ କୁହାଯାଇଛି। ଯଦି ୪୮ଘଣ୍ଟା ପରେ ରୋଗୀଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିବ, ତାହେଲେ ଏହାର ଖର୍ଚ ରୋଗୀଙ୍କୁ ଭରଣା କରିବାକୁ ହେବ। ରୋଗୀଜଣକ ଯଦି ଏହି ଖର୍ଚ ଭରଣା କରିପାରିବେ ନାହିଁ, ତାହାଲେ ତାଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ତେବେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ଘରୋଇ ହସ୍ପିଟାଲ ରୋଗୀଙ୍କୁ ସ୍ଥିତିର ଯାଞ୍ଚ କରିବେ।

ସେହିପରି ହସ୍ପିଟାଲରେ ଯେପରି ଅଧିକ ଖର୍ଚ ନ ହେବ ତାହାର ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାର ଏକ ୫ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ହସ୍ପିଟାଲଗୁଡ଼ିକରେ ଯେପରି ଭିନ୍ନ ଭିନ୍ନ ଖର୍ଚ ନ ହୁଏ, ତାହା ଉପରେ ନଜର ରଖିବେ। ଏହାସହ ଯଦି କୌଣସି ଗର୍ଭବତୀ ମହିଳା ଦୁର୍ଘଟଣାର ଶିକାର ହୋଇଥାନ୍ତି, ତାହାଲେ ପ୍ରସବ ବାବଦ ଖର୍ଚକୁ ଅଲଗା ଭାବେ ସରକାର ଭରଣା କରିବେ। ତେବେ ଯେଉଁ ସମୟରେ ସରକାରୀ ଟ୍ରମା କେୟାର ସେଣ୍ଟରଗୁଡ଼ିକ ସଂପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହେବ ସେ ସମୟରେ ଘରୋଇ ହସ୍ପିଟାଲକୁ ଟ୍ରମା ଚିକିତ୍ସାରୁ ବାଦ୍ ଦିଆଯିବ।

ସମ୍ବନ୍ଧିତ ଖବର