ପୁରୀ : ଅନଧିକୃତ ଭାବେ ଯାତ୍ରୀଙ୍କୁ ଅନଲାଇନ୍‌ରେ ରେଳ ଟିକଟ ବିକ୍ରି କରିବା ଅଭିଯୋଗରେ ପୁରୀ ଆରପିଏଫ୍‌ ପୁଲିସ ଜଣକୁ ଗିରଫ କରିଛି। ସେ ହେଲେ ଟ୍ରାଭେଲ୍‌ ଏଜେନ୍ସି ‘ସବୁରୀ’ର ମାଲିକ ସନ୍ତୋଷ ରଥ। ତାଙ୍କ ନିକଟରୁ ପୁଲିସ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ୭୬ଟି ସଂରକ୍ଷିତ ଅନଲାଇନ୍‌ ରେଳ ଟିକଟ, ଲାପଟପ୍, ଟାବଲେଟ୍, ଡଙ୍ଗଲ, ପେନ୍ ଡ୍ରାଇଭ ଏବଂ ୱାଇଫାଇ ଡିଭାଇସ୍‌ ସହିତ ଏକ ମୋବାଇଲ୍‌ ଜବତ କରିଛି। ଅନଲାଇନ୍‌ ତତ୍କାଳ ରେଳ ଟିକଟଗୁଡିକୁ ସନ୍ତୋଷ ବ୍ରହ୍ମପୁର, ଭୁବନେଶ୍ବର ଓ କଟକ ଆଦି ଅଞ୍ଚଳର ବିଭିନ୍ନ ଟ୍ରାଭେଲ ଏଜେନ୍ସିମାନଙ୍କୁ ବିକ୍ରି କରୁଥିଲେ ବୋଲି ପୁରୀ ଆର୍‌ପିଏଫ୍‌ ଇନସ୍ପେକ୍ଟର ଅନିଲ ସିଂ ସୂଚନା ଦେଇଛନ୍ତି।

Advertisment

ଆର୍‌ପିଏଫ୍‌ ଇନସ୍ପେକ୍ଟର ଶ୍ରୀ ସିଂଙ୍କ ସୂଚନା ଅନୁଯାୟୀ, ପୁରୀରେ ବେଆଇନ ଭାବେ ଅନଲାଇନ୍‌ରେ କେହି ତତ୍କାଳ ଟ୍ରେନ୍ ଟିକଟଗୁଡିକୁ ବୁକିଂ କରୁଥିବା ନେଇ ଅଭିଯୋଗ ହେବା ପରେ ଆରପିଏଫ୍‌ ଏହାର ଖୋଳତାଡ଼ ଜାରି ରଖିଥିଲା। ସନ୍ତୋଷ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଆରପିଏଫ୍‌ ତାଙ୍କୁ ଗିରଫ କରିଛି। ସନ୍ତୋଷ ଅନଧିକୃତ ଭାବେ ଅନଲାଇନ୍‌ରେ ଟ୍ରେନ୍ ଓ ଏୟାର ଟିକଟ୍‌ ବୁକିଂ କରିବା ସହ ବିଭିନ୍ନ ଟୁର୍‌ ପ୍ୟାକେଜ୍‌ କରି ଲୋକମାନଙ୍କୁ ବିଦେଶରେ ରହିବାଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥା କରାଉଥିଲା। ସେ ଆଇଆରସିଟିସିର ୱେବସାଇଟ୍‌କୁ ହାକିଂ କରୁଥିବା ତଦନ୍ତରୁ ଜଣାପଡ଼ିଛି।