ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ (ଟିଏଚ୍ସି) ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଦେଶରେ ଭ୍ରମଣ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ସହିତ ଦେଶର ୧୬ଟି ଏମ୍ସ ଓ ରାଜ୍ୟ ମେଡିକାଲ କଲେଜର ବିଶେଷଜ୍ଞ ଏଥିରେ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ କହିଲେ, ସାରା ଦେଶରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଦେଶବ୍ୟାପୀ ଟିଏଚ୍ସିଗୁଡ଼ିକୁ ଏମ୍ସ ଭୁବନେଶ୍ବର ମାର୍ଗଦର୍ଶନ କରିବା ସହିତ ତାଲିମ ପ୍ରଦାନ କ୍ଷେତ୍ରରେ କେନ୍ଦ୍ରୀୟ ହବ୍ ଭାବରେ କାର୍ଯ୍ୟ କରିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡା. ଏସ୍. ସେନ୍ଥିଲନାଥନ୍ ବିମାନ, ରେଳ, ଜାହାଜ ଆଦି ଯାତ୍ରାକାଳରେ ଚିକିତ୍ସା ସେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ ମଧ୍ୟ ପ୍ରଶିକ୍ଷିତ କର୍ମଚାରୀମାନେ ମୌଳିକ ସ୍ୱାସ୍ଥ୍ୟ ସମସ୍ୟାର ସୁପରିଚାଳନା କରିପାରିବେ। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ।
ଏମ୍ସ ଭୁବନେଶ୍ବର ସିଏମ୍ଏଫ୍ଏମ୍ ବିଭାଗ ମୁଖ୍ୟ ଡା. ବିକାଶ ଭାଟିଆ ଔଷଧ, ଟିକାକରଣ, ସଂକ୍ରାମକ ରୋଗ ନିବାରଣ ସଂରଚିତ ପାଠ୍ୟକ୍ରମ, ତାଲିମ କାର୍ଯ୍ୟକ୍ରମ ଓ କ୍ଷମତା ନିର୍ମାଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏମ୍ସ ଦରଭଙ୍ଗାର ନିର୍ଦ୍ଦେଶକ ଡା. ମାଧବାନନ୍ଦ କର, ଏମ୍ସ ଅବନ୍ତୀପୁରାର ନିର୍ଦ୍ଦେଶକ ଡା. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ଦିଲ୍ଲୀର ଡାକ୍ତର ସଞ୍ଜୟ ରାୟ, ପ୍ରତିରକ୍ଷା ମନ୍ତ୍ରଣାଳୟର କମାଣ୍ଡର୍ କୌଶିକ୍ ରାୟ, ଡିଜି ସିପିଂ ରମ୍ୟା ପି, ଯୁଗ୍ମ ନିର୍ଦ୍ଦେଶକ ଏନ୍ସିଡିସି ମୀରା ଧୁରିଆ, ଡିନ୍ ପ୍ରଶାନ୍ତ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର, ସୋନୁ ହାଙ୍ଗମା ସୁବା, ସ୍ବୟଂପ୍ରଜ୍ଞା ପରିଡ଼ା ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।