ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୧୦ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛି। ରାଜ୍ୟର ୧୦୯ରୁ ୧୧୮ତମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିମଧ୍ୟରୁ ୧୦୯,୧୧୦,୧୧୧ ଏବଂ ୧୧୬,୧୧୭ ଓ ୧୧୮ତମ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି। ଗସ୍ତ ବିବରଣୀ ଆସିଥିବା ୧୦ ଜଣଙ୍କ ମଧ୍ୟରୁ ୬ଜଣ କୋଲକାତା ଫେରନ୍ତା ହୋଇଥିବା ବେଳେ ଅନ୍ୟ ୪ ଜଣ ରାଉରକେଲାର ଓ ସେମାନେ ୧୦୩ତମ ଆକ୍ରାନ୍ତଙ୍କ ସଂପର୍କୀୟ। ୧୧୨,୧୧୩,୧୧୪ ଓ ୧୧୫ତମ ଆକ୍ରାନ୍ତ ରାଉରକେଲାର ନାଲା ରୋଡର ହୋଇଥିବା ଓ ସେମାନେ ୧୦୩ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମଙ୍ଗଳବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଥିଲା । ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିଲା । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିଲା | ଏହି ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ବ୍ଲକର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଓଡ଼ିଶାରେ ୮୯ଟି ସକ୍ରିୟ କରୋନା ମାମଲା ରହିଛି | ସେହିଭଳି ଭୁବନେଶ୍ୱରରେ ୧୯ଟି ସକ୍ରିୟ ମାମଲା ରହିଥିବା ବେଳେ ଗତ ୧୪ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି | ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।