୬ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ସମସ୍ତଙ୍କ ଘର ରାଉରକେଲା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି କରେନା ଭାଇରସରେ ଆକ୍ରାନ୍ତ ୬ ଜଣ ବ୍ୟକ୍ତିଙ୍କର ଗସ୍ତ ବିବରଣୀ ଦେଇଛନ୍ତି । ଏମାନେ ହେଲେ ରାଜ୍ୟର ୧୦୩ତମ, ୧୧୨ତମ, ୧୧୩ତମ, ୧୧୪ତମ, ୧୧୫ତମ ଓ ୧୬୧ତମ କରୋନା ଆକ୍ରାନ୍ତ । ଏମାନଙ୍କ ଘର ରାଉରକେଲା । ରାଜ୍ୟର ୧୦୩ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୪ ଜଣ (୧୧୨ତମ, ୧୧୩ତମ, ୧୧୪ତମ ଓ ୧୧୫ତମ) ବ୍ୟକ୍ତି ସଂକ୍ରମିତ ହୋଇଥିଲେ ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ରାଜ୍ୟର ୧୦୩ତମ କରୋନା ଆକ୍ରାନ୍ତଙ୍କ ଘର । କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୨ରେ ଲକ୍‌ଡାଉନ୍ ହେବା ପରେ ଏହି ୬୦ ବର୍ଷିଅ ବୃଦ୍ଧ ବାହାରକୁ ଯାଇ ନଥିଲେ । ସେ ସାଧାରଣ ଥଣ୍ଡା ଅନୁଭବ କରିବାରୁ ଚିକିତ୍ସା ପାଇଁ ଏପ୍ରିଲ ୨୧ରୁ ୨୩ ମଧ୍ୟରେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ଏପ୍ରିଲ ୨୩ରେ ସେ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ୨ ଦିନ ରହିଥିଲେ । ଏପ୍ରିଲ ୨୫ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

 

ତେବେ ୪ ଜଣ ଘନିଷ୍ଠ ସଂପର୍କୀୟ ରାଜ୍ୟର ୧୦୩ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିରୁ ରାଜ୍ୟର ୧୧୨ତମ କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୫ ବର୍ଷିଅ ମହିଳା । ଲକଡାଉନ ହେବା ପରେ ସେ ଏପ୍ରିଲ ୨୭ ଯାଏଁ ଘରେ ଥିଲେ । ଏପ୍ରିଲ ୨୭ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

ସେହିଭଳି ରାଜ୍ୟର ୧୧୩ତମ (୩୫ ବର୍ଷୀୟ ମହିଳା, ରାଉରକେଲା), ୧୧୪ତମ (୩୮ ବର୍ଷିଅ ଯୁବକ, ରାଉରକେଲା) ଓ ୧୧୫ତମ କରୋନା ଆକ୍ରାନ୍ତ (୨୭ ବର୍ଷିଅ ଯୁବକ) ମଧ୍ୟ ୧୦୩ତମ କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ଥିଲେ । ଏମାନେ ଲକଡାଉନ ସମୟରେ ଘରେ ଥିଲେ । ଏପ୍ରିଲ ୨୭ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ୩ ଜଣଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

ରାଜ୍ୟର ୧୬୩ତମ କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୯ ବର୍ଷୀୟ ମହିଳା । ରାଉରକେଲାର ଏହି ମହିଳା ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲେ । ଲକଡାଉନ ଆରମ୍ଭ ହେବା ପରେ ସେ ମେ’ ମାସ ପର୍ଯ୍ୟନ୍ତ ଘରେ ଥିଲେ । କିନ୍ତୁ ତାଙ୍କର ପିଲାମାନେ କ୍ରିକେଟ ଖେଳିବାକୁ ବାହାରକୁ ଯାଉଥିଲେ । ସେହିପରି ତାଙ୍କର ସ୍ୱାମୀ ପ୍ରତିଦିନ ବ୍ୟାଙ୍କକୁ ଯାଉଥିଲେ । ମହିଳା ଜଣକ ମାର୍ଚ୍ଚ ୩୦ ଓ ଏପ୍ରିଲ ୨୦ରେ ଆରଜିଏଚକୁ ଡାକ୍ତରୀ ପରାମର୍ଶ ପାଇଁ ଯାଇଥିଲେ । ସେ ମେ’ ମାସ ୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର