୬ ଜଣଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର: ଜାଣନ୍ତୁ ଏମାନେ କେମିତି କରୋନାର ଶିକାର ହେଲେ

୫ଜଣ କୋଲକାତା ଫେରନ୍ତା ପୁରୁଷ, ସଂପର୍କୀୟଙ୍କ ସଂସ୍ପର୍ଶରେ ଆସିଥିଲେ ଜଣେ ଯୁବତୀ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ରାଜ୍ୟର ୬ ଜଣ କରୋନା ଭାଇରସରେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ (୧୨୩ରୁ ୧୨୭ ନମ୍ବର କରୋନା ଆକ୍ରାନ୍ତ) ହେଉଛନ୍ତି କୋଲକାତା ଫେରନ୍ତା । ଅନ୍ୟ ଜଣେ ସଂପର୍କୀୟଙ୍କ ସଂସ୍ପର୍ଶରେ ଆସି କରୋନା ଭାଇରସର ଶିକାର ହୋଇଛନ୍ତି । ଏହି ୬ ଜଣ ବ୍ୟକ୍ତି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ନିବାସୀ ।

ରାଜ୍ୟର ୧୨୩ ନମ୍ବର କରୋନା ଆକ୍ରାନ୍ତ ତଥା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଦେଓପଡ଼ା ଗାଁର ୬୫ ବର୍ଷିଅ ପୁରୁଷ ହାଓଡା ଠାରୁ ପୁଅଙ୍କ ସହିତ ଏକ ବାଇକରେ ଆସି ଏପ୍ରିଲି ୧୨ରେ ଘରେ ପହଞ୍ଚିଥିଲେ । ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଏପ୍ରିଲ ୧୩ରେ ନାମ ପଞ୍ଜୀକରଣ କରିଥିଲେ । ଏହା ପରେ ସେ ଏପ୍ରିଲ ୨୪ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୫ରେ ସରକାରୀ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତରିତ ହେବା ପରେ ୨୯ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଏପ୍ରିଲ ୩୦ରେ ଟାଟା କୋଭିଡ ହସ୍ପିଟାଲ କଳିଙ୍ଗ ନଗରକୁ ପଠାଯାଇଛି ।

 

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର କନ୍ଦଡା ଗାଁର ୬୧ ବର୍ଷିଅ ବୃଦ୍ଧ ହେଉଛନ୍ତି ରାଜ୍ୟର ୧୨୪ ନମ୍ବର କରୋନା ଆକ୍ରାନ୍ତ । ସେ ଏକ ଭଡା ଗାଡ଼ିରେ କୋଲକାତାରୁ ଆସିଥିଲେ । ସାଥୀରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଥିଲେ । ସେ ଭଦ୍ରକରେ ପହଞ୍ଚିବା ପରେ ରାତିରେ ଦଳଙ୍ଗାଯୋଡ଼ି ମନ୍ଦିରରେ ରହିଥିଲେ ଏବଂ ମାର୍ଚ୍ଚ ୩୦ରେ ଘରକୁ ଫେରିଥିଲେ । ସେ ମାର୍ଚ୍ଚ ୩୧ରୁ ଏପ୍ରିଲ ୧୫ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୬ରୁ ୨୯ ମଧ୍ୟରେ ସେ ବିଭିନ୍ନ ଦୋକାନକୁ ଯାଇଥିଲେ । ମାର୍ଚ୍ଚ ୨୯ରେ ସେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ସୁନାରୀ ଗାଁର ୬୩ ବର୍ଷିଅ ବୃଦ୍ଧ ହେଉଛନ୍ତି ରାଜ୍ୟର ୧୨୫ ନମ୍ବର କରୋନା ଆକ୍ରାନ୍ତ । ଏପ୍ରିଲ ୨୪ରୁ କୋଲକାତାରୁ ବାହାରି ଏପ୍ରିଲ ୨୫ରେ ଘରକୁ ପହଞ୍ଚିଥିଲେ । ସେ ପ୍ରଥମେ ଏକ ଟ୍ରକରେ ଆସିଥିଲେ ପରେ ଚାଲିଚାଲି ଘରେ ପହଞ୍ଚିଥିଲେ । ଏପ୍ରିଲ ୨୫ରୁ ୨୯ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୯ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଏପ୍ରିଲ ୨୯ରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ରାଜ୍ୟର ୧୨୬ ନମ୍ବର କରୋନା ଆକ୍ରାନ୍ତଙ୍କ ଘର ସୋର ବ୍ଲକର ବ୍ରାହ୍ମଣସବିରା । ୪୪ ବର୍ଷିଅ ପୁରୁଷ କୋଲକାତା ଠାରୁ ୮ ଜଣ ସହ ଯାତ୍ରୀଙ୍କ ସହିତ ଆସିଥିଲେ । ସେ ମାର୍ଚ୍ଚ ୨୭ରେ ସେଠାରୁ ବାହାରି ମାର୍ଚ୍ଚ ୨୮ରେ ଘରେ ପହଞ୍ଚିଥିଲେ । ମାର୍ଚ୍ଚ ୨୮ରେ ସେ ନାମ ପଞ୍ଜୀକରଣ କରିଥିଲେ । ମାର୍ଚ୍ଚ ୨୮ରୁ ୨୯ ଯାଏଁ ଘରେ ଥିଲେ । ସେ ୨୯ ତାରିଖରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ଗାଁର ୫୬ ବର୍ଷିଅ ପୁରୁଷ ହେଉଛନ୍ତି ରାଜ୍ୟର ୧୨୭ ନମ୍ବର କରୋନା ଆକ୍ରାନ୍ତ । ମାର୍ଚ୍ଚ ୨୦ରେ କୋଲକାତାରୁ ଜଣେ ସାଙ୍ଗଙ୍କ ସହିତ ଘରକୁ ଫେରିଥିଲେ । ସେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨୯ ଯାଏଁ ଘରେ ଥିଲେ । ଏହି ସମୟ ମଧ୍ୟରେ ସେ ଗାଁରେ ବୁଲାବୁଲି କରିଥିଲେ । ଏପ୍ରିଲ ୨୯ରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ କଳିଙ୍ଗ ନଗରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟର ୧୨୮ ନମ୍ବର କରୋନା ଆକ୍ରାନ୍ତଙ୍କୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ମାର୍ଚ୍ଚ ୨୯ରେ କଳିଙ୍ଗ ନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲାର ଦଶରଥପୁର ପଞ୍ଚାୟତର କଟିକଟା ଗାଁର ୧୮ ବର୍ଷୀୟ ଯୁବତୀ ୯୭ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୨୨ରେ ଲକଡାଉନ ଆରମ୍ଭ ହେବା ପରେ ଏପ୍ରିଲ ୨୯ ଯାଏଁ ଘରେ ଥିଲେ । ଏହି ସମୟ ମଧ୍ୟରେ ସେ ବିଭିନ୍ନ ଦୋକାନକୁ ଯାଇଥିଲେ ।

ସମ୍ବନ୍ଧିତ ଖବର