୭ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର : ୨ କୋଲକାତା ଫେରନ୍ତା, ସଂପର୍କୀୟଙ୍କ ସଂସ୍ପର୍ଶରେ ଆସି ୫ ସଂକ୍ରମିତ

ଘରେ ଥାଇ ବି ସଂକ୍ରମଣ, ସଂପର୍କୀୟ ଛାଡ଼ିଦେଲେ ଭୂତାଣୁ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୭ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟର ୮୪, ୮୫, ୮୬, ୮୭, ୮୮, ୮୯ ଓ ୯୦ତମ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଜାରି କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଏହି କରୋନା ସଂକ୍ରମିତ ବ୍ୟକ୍ତିମାନେ ୫ ଜଣ ସଂପର୍କୀୟଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ କେବଳ ୨ ଜଣ କୋଲକାତାରୁ ସଂକ୍ରମଣ ନେଇ ଆସିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ଯେ, ରାଜ୍ୟର ୭୪ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ହେଉଛନ୍ତି ୮୪ ନମ୍ବର କରୋନା ଆକ୍ରାନ୍ତ । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କୋଡେଇବାଟି ଗାଁର ୭୦ ବର୍ଷୀୟ ମହିଳା ଜଣକ ଗତ ମାର୍ଚ୍ଚ ୨୨ରେ ଲକଡାଉନ ଆରମ୍ଭ ହେବା ପରେ ଏପ୍ରିଲ ୨୦ ଯାଏଁ ବାହାରକୁ ଯାଇ ନ ଥିଲେ । ସେ ଘରେ ଥିଲେ । ଅସୁସ୍ଥ ଅନୁଭବ କରିବା ପରେ ଏପ୍ରିଲ ୨୧ରୁ ଏପ୍ରିଲ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । କିନ୍ତୁ ତାଙ୍କର ନମୁନା ଏପ୍ରିଲ ୨୩ରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ କଳିଙ୍ଗ ନଗରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜ୍ୟର ୭୩ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୮୫ ନମ୍ବର କରୋନା ଆକ୍ରାନ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଏହି ୨୧ ବର୍ଷିଅ ଯୁବକ ଯାଜପୁର ସଦର ବ୍ଲକ ଅନ୍ତର୍ଗତ ଯାହାଁପୁର ଦେଇ କୋଲକାତାରୁ ଫେରିଥିଲେ । ସେ କୋଲକାତାର ବଡ଼ବଜାରରୁ ଏକ ଭଡା ଗାଡ଼ିରେ ମାର୍ଚ୍ଚ ୨୯ରେ ଆସିଥିଲେ । ସାଥୀରେ ଥିଲେ ତାଙ୍କ ବାପା ଓ ଅନ୍ୟ ଜଣେ ସହଯାତ୍ରୀ । ମାର୍ଚ୍ଚ ୨୯ରୁ ଏପ୍ରିଲ ୨୩ ଯାଏଁ ସେ ବାସୁଦେବପୁରସ୍ଥିତ ଘରେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କୁ ଏପ୍ରିଲ ୨୧ରୁ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କିନ୍ତୁ ଏପ୍ରିଲ ୨୩ରେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୭୩ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ହେଉଛନ୍ତି ୮୬ ଓ ୮୭ ନମ୍ବର କରୋନା ଆକ୍ରାନ୍ତ । ବାସୁଦେବପୁର ଅଞ୍ଚଳର ୪୮ ବର୍ଷୀୟ ମହିଳା ଓ ୮୦ ବର୍ଷୀୟ ମହିଳା ମାର୍ଚ୍ଚ ୨୨ରେ ଲକଡାଉନ ଆରମ୍ଭ ହେବା ପରେ ବାହାରକୁ ଯାଇ ନଥିଲେ । ସେ ଏପ୍ରିଲ ୨୦ ଯାଏଁ ଘରେ ଥିଲେ। ସେମାନେ ଏପ୍ରିଲ ୨୧ରୁ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର ନମୁନା ଏପ୍ରିଲ ୨୩ରେ ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାଙ୍କୁ କଳିଙ୍ଗ ନଗରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ବାଲେଶ୍ୱର ଜିଲ୍ଲାର .ନେଳିଆବାଗର ୩୬ ବର୍ଷିଅ ଯୁବକ ତଥା ରାଜ୍ୟର ୮୮ ନମ୍ବର କରେନା ଆକ୍ରାନ୍ତ ଏବଂ ୫୫ ବର୍ଷୀୟ ମହିଳା ତଥା ରାଜ୍ୟର ୮୯ ନମ୍ବର କରୋନା ଆକ୍ରାନ୍ତ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ଅଟନ୍ତି । ସେମାନେ ମାର୍ଚ୍ଚ ୨୨ରେ ଲକଡାଉନ ଆରମ୍ଭ ହେବା ପରଠାରୁ ବାହାରକୁ ଯାଇ ନ ଥିଲେ । ସେମାନେ ଏପ୍ରିଲ ୨୩ରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

କୋଲକାତା ଫେରନ୍ତା ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଶାସନ ଗାଁର ୪୩ ବର୍ଷିଅ ଯୁବକ ହେଉଛନ୍ତି ରାଜ୍ୟର ୯୦ତମ କରୋନା ଆକ୍ରାନ୍ତ । ସେ କୋଲକାତାର ଖରିଦପୁର ଠାରୁ ଏପ୍ରିଲ ୧୬ ସକାଳ ୯ଟାରେ ବାହାରିଥିଲେ । ଗାଁକୁ ଅପରାହ୍ନ ୧ଟା ୩୦ରେ ପହଞ୍ଚିଥିଲେ । ସେ ଏପ୍ରିଲ ୧୬ରୁ ୨୦ ଯାଏଁ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ ୨୧ ରୁ ୨୩ ଯାଏଁ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ ୨୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୨୪ରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର