ସାମ୍ନାକୁ ଆସିଲା ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ, ୨ ଜଣ ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ ୨ ଜଣ ଘରେ ଥାଇ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ରାଜ୍ୟର  ୫୭, ୫୮, ୫୯ ଓ ୬୦ତମ  କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଟୁଇଟ୍ କରି ଜାରି କରିଛି ସୂଚନା ଓ ଲୋକସଂପର୍କ ବିଭାଗ ।

୫୭ତମ ଆକ୍ର‌ାନ୍ତ ଜଣେ ୫୦ ବର୍ଷିୟ ପୁରୁଷ। ସେ ବମିଖାଲର ଅବରୋଧ ଅଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଆକ୍ରାନ୍ତ ନମ୍ବର ୭, ୮, ୨୨ ଓ ୩୯ ହେଉଛନ୍ତି ତାଙ୍କ ପଡ଼ୋଶୀ ।  ଲକଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ସେ ବମିଖାଲର ଜୟଦୁର୍ଗା ନଗରସ୍ଥିତ ବେବିଲୋନ ଆପାର୍ଟମେଣ୍ଟରେ ହିଁ ଥିଲେ । ମାତ୍ର ଏହି ସମୟ ମଧ୍ୟରେ ସେ ବେଳେ ବେଳେ ପରିବା ଓ ସଉଦା ଲାଗି ବିଭିନ୍ନ ହାଟ ଓ ତେଜରାତି ଦୋକାନକୁ ଯାଇଥିଲେ । ସୂଚନା ଅନୁସାରେ ସେ ଭୁବନେଶ୍ବରର  ରସୁଲଗଡ଼ ହାଟ, ଝାରପଡ଼ା ଗଣେଶ ମଣ୍ଡପ ନିକଟ ପରିବା ବଜାର ଓ ଝାରପଡ଼ା ଓଭରବ୍ରିଜ ନିକଟସ୍ଥ ରିଲାଏନ୍ସ ଫ୍ରେସକୁ ଯାଇଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ନ ଥିଲେ ବି ଏପ୍ରିଲ ୧୪ରେ ତାଙ୍କର ନମୁନା ପଜିଟିଭ ଆସିଛି । ଏହା ପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

୫୭ ନମ୍ବର କରେନା ଆକ୍ରାନ୍ତଙ୍କ ଭଳି ୫୮ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ ବେବିଲୋନ ଆପାର୍ଟମେଣ୍ଟରେ ରୁହନ୍ତି । ୫୧ ବର୍ଷୀୟ ମହିଳା ଜଣକ ନିଜ ଅଞ୍ଚଳରେ ଚିହ୍ନଟ ହୋଇଥିବା ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ସେ ଆଜି କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ୫୭ ଓ ୫୮ କରୋନା ଆକ୍ରାନ୍ତଙ୍କ ଭଳି ୫୯ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ ବେବିଲୋନ ଆପାର୍ଟମେଣ୍ଟରେ ରୁହନ୍ତି । ତାଙ୍କର ସ୍ୱାବ ନମୁନା ଆଜି ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଝାରପଡ଼ାର ୫୧ ବର୍ଷିଅ ପୁରୁଷ ଜଣକ ହେଉଛନ୍ତି ରାଜ୍ୟର ୬୦ ନମ୍ବର କରୋନା ଆକ୍ରାନ୍ତ । ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ଝାରପଡ଼ାର ନିଳାଦ୍ରୀ ନଗରସ୍ଥିତ ଘରେ ଥିଲେ । ଏହାରି ମଧ୍ୟରେ ସେ କେସୁରା ହାଟ, ରସୁଲଗଡ଼ ହାଟ ଓ ପଳାଶୁଣୀ ହାଟକୁ ଗ୍ରୋସରୀ ଓ ପରିବା କିଣିବାକୁ ଯାଇଥିଲେ । ଆଜି ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର