ଭଦ୍ରକର ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଲା; ୩ କୋଲକାତା ଫେରନ୍ତା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଭଦ୍ରକର ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂପର୍କରେ ସୂଚନା ଦେଇଛନ୍ତି । ଏମାନେ ହେଲେ ରାଜ୍ୟର ୯୧ ରୁ ୯୪ ନମ୍ବର କରୋନା ଆକ୍ରାନ୍ତ । ରାଜ୍ୟର ୪୧ ନମ୍ବର କରୋନା ଆକ୍ରାନ୍ତ କୋଲକାତାର ବେଲଗଛଲା ଠାରୁ ଏକ ବାଇକରେ ଆସି ଜଣେ ସାଙ୍ଗଙ୍କ ସହିତ ଏପ୍ରିଲ ୧୮ ତାରିଖରେ ଫେରିଥିଲେ । ୪୦ ବର୍ଷିଅ ଯୁବକଙ୍କ ଘର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମଠସାହି ଗାଁରେ । ସେ ସାଙ୍ଗଙ୍କ ଘରେ ୧୮ରୁ ୧୯ ମଧ୍ୟରେ ଭଦ୍ରକରେ ଥିଲେ । ଏପ୍ରିଲ ୨୦ରେ ସାଇକେଲରେ ଘରକୁ ଆସିଥିଲେ । ଏହା ପରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ବି ଏପ୍ରିଲ ୨୪ରେ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତିହିଡି ବ୍ଲକର କାନପୁର ଗାଁର ପୀରହାଟ ନିବାସୀ ୪୧ ବର୍ଷିଅ ଯୁବକ ହେଉଛନ୍ତି ରାଜ୍ୟର ୯୨ ନମ୍ବର କରୋନା ଆକ୍ରାନ୍ତ । ସେ ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳର ସାହିଖଣ୍ଡ ଠାରେ ଏକ ଇଟା ଭାଟିରେ କାମ କରୁଥିଲେ । ଏପ୍ରିଲ ୧୨ରେ ୧୦ ଜଣ ଯାତ୍ରୀଙ୍କ ସହ ଏକ ଅଟୋରେ ଘରକୁ ଆସିଥିଲେ । ଏପ୍ରିଲ ୧୩ରୁ ୨୩ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟର ୯୩ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ କୋଲକାତାର ବୋହୂବଜାର ଠାରୁ ମାର୍ଚ୍ଚ ୨୭ରେ ଫେରିଥିଲେ । ତାଙ୍କ ସହିତ ତାଙ୍କ ବାପା ଓ ଅନ୍ୟ ୬ ଜଣ ମଧ୍ୟ ଥିଲେ । ୨୯ ବର୍ଷିଅ ଯୁବକ ବାଇକ ମାଧ୍ୟମରେ ମାର୍ଚ୍ଚ ୨୮ରେ ଘରକୁ ପହଞ୍ଚିଥିଲେ । ମାର୍ଚ୍ଚ ୨୮ରୁ ଏପ୍ରିଲ ୨୪ ଯାଏଁ ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦାର ଗାଁରେ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସେହିପରି ରାଜ୍ୟର ୯୪ ନମ୍ବର କରୋନା ଆକ୍ରାନ୍ତ କୋଲକାତାରୁ ଫେରିଥିଲେ । ଧାମନଗର ବ୍ଲକର କଲ୍ୟାଣୀ ଗାଁର ୨୪ ବର୍ଷିଅ ଯୁବକ ଏପ୍ରିଲ ୧୬ରୁ ୨୦ ଯାଏଁ ଘରେ ଥିଲେ । ସେ ଏପ୍ରିଲ ୨୧ରେ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୪ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର