ସମ୍ବଲପୁର: ଆଜି ହୀରାଖଣ୍ଡ ରାଜ୍ୟ ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ଦାବିରେ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମ୍ମୁଖ୍ୟ କର୍ମୀଙ୍କ ଦିଲ୍ଲୀ ଯାତ୍ରାରମ୍ଭ କରିଛନ୍ତି। ତେବେ, ଏହି ଯାତ୍ରାରମ୍ଭ ସମୟରେ ସମ୍ବଲପୁର ରେଳଷ୍ଟେସନରେ ସେମାନଙ୍କ ଉପରକୁ କଳାରଂଗ ମାଡ଼ ହୋଇଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଆର୍ପି ଥାନା ପୁଲିସ ଏହି ମାମଲାରେ ଦୁଇ କୋଶଳବାଦୀ ଅର୍ପଣ ନାୟକ ଓ ବିଷ୍ଣୁ ଦାଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଆଜି ସକାଳ ସାଢ଼େ ୧୦ଟା ସମୟରେ ସମ୍ବଲପୁର ରେଳଷ୍ଟେସନ ଠାରେ ଦିଲ୍ଲୀ ଯିବା ପାଇଁ ଉଭୟ ସଂଗଠନର ବହୁ କର୍ମୀ ଓ ସମର୍ଥକ ଜମ୍ମୁ ତୱି ଟ୍ରେନ୍କୁ ଅପେକ୍ଷା କରିଥିଲେ। ବହୁ ବ୍ୟକ୍ତି ସେମାନଙ୍କୁ ଷ୍ଟେସନକୁ ଛାଡ଼ିବାକୁ ଆସିଥିଲେ। ଅଚାନକ ଅର୍ପଣ ନାୟକ ଓ ବିଷ୍ଣୁ ଦାଶ ସେଠାରେ ପହଂଚି ବୋତଲରେ ରଖିଥିବା କଳା ରଂଗ ସେମାନଙ୍କ ଉପରକୁ ଫିଙ୍ଗି ଥିଲେ। ଉପରୋକ୍ତ ଦାବି ଦେଇ ଯାତ୍ରା କରୁଥିବା ସଂଗଠନର ପ୍ରମୁଖ କର୍ମକର୍ତ୍ତା ପ୍ରଫୁଲ୍ଲ ହୋତାଙ୍କ ସହିତ ପାଖାପାଖି ୨୦ ଜଣ ମହିଳା ଓ ପୁରୁଷଙ୍କ ଶରୀରରେ ପଡ଼ିଥିଲା। କଳାରଂଗ ପଡ଼ିବା ଯୋଗୁ ସେମାନେ ପରିଧାନ କରିଥିବା ସମ୍ବଲପୁରୀ ବସ୍ତ୍ର ଖରାପ ହୋଇଯାଇଥିଲା। କଳାରଂଗ ଫିଙ୍ଗିବା ପରେ ‘ଜୟ କୋଶଳ’ ସ୍ଲୋଗାନ ଦେଇ ପଳାଉଥିବା ବେଳେ ଉପସ୍ଥିତ ଲୋକେ ସେମାନଙ୍କୁ କାବୁକରି ଜିଆର୍ପି ପୁଲିସକୁ ଜିମା ଦେଇଥିଲେ। ଜିଆର୍ପି ଥାନା ପୁଲିସ ବିଭିନ୍ନ ଦଫାରେ ଅର୍ପଣ ଓ ବିଷ୍ଣୁଙ୍କ ବିରୋଧରେ ମାମଲା ରୁଜୁ ଆଜି କୋର୍ଟଚାଲାଣ କରିଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଯିବାବେଳେ ଆକ୍ରମଣ ହେବା, ଅଶ୍ଳୀଳ ଭାଷା ପ୍ରଯୋଗ ହେବା ଓ କଳାରଙ୍ଗ ଫିଙ୍ଗିବା ଭଳି ଆପରାଧିକ କାର୍ଯ୍ୟ ନିନ୍ଦନୀୟ ବୋଲି ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ସଭାପତି ସରୋଜ ଦାଶ ଓ ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ପରେଶ ଚନ୍ଦ୍ର ଦାନୀ କହିଛନ୍ତି। ଯେକୌଣସି ସଂଗଠନ ନିଜସ୍ବ ଦୃଷ୍ଟିକୋଣରୁ ନିଜ ନୀତି ଆଦର୍ଶରେ ପରିଚାଳିତ ହୋଇ ସ୍ବତନ୍ତ୍ର ଭାବରେ କାର୍ଯ୍ୟକ୍ରମ କରିବାର ଅଧିକାର ଓ ସ୍ବାଧୀନତା ରଖୁଛି। ବୈଚାରିକ ମତଭେଦକୁ ଆଳ କରି ସଂଗଠନର କାର୍ଯ୍ୟରେ ବାଧା ଦେବା ଓ ଆକ୍ରମଣ କରିବା ଆଦୌ ଗ୍ରହଣନୀୟ ନୁହେଁ ବୋଲି ସେମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଜି ୮୪ ଜଣ ଟ୍ରେନ୍ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବାବେଳେ ୪ ତାରିଖ ଦିନ କେତେକ ବ୍ୟକ୍ତି ଯିବେ। ସେହିଭଳି ବିମାନ ଯୋଗେ ପୁଣି ଅନ୍ୟ କେତେକ ବ୍ୟକ୍ତି ଯିବାର କାର୍ଯ୍ୟକ୍ରମ ରହିଛି। ସମସ୍ତେ ନିଜ ଖର୍ଚ୍ଚରେ ଦିଲ୍ଲୀ ଯାଉଥିବାବେଳେ ସେମାନଙ୍କ ଯାତାୟାତ, ରହଣି ଓ ଖାଦ୍ୟପେୟ ଆଦି ଅନ୍ୟାନ୍ୟ ଆବଶ୍ୟକତା ପୂରଣ ନିମନ୍ତେ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଆନନ୍ଦ ଚନ୍ଦ୍ର ଦାଶଙ୍କ ନେତୃତ୍ବରେ ଗଠିତ କମିଟି ଉପରୋକ୍ତ ଦୁଇଟି ଦାବି ନେଇ ଏକ ଦାବିପତ୍ର ପ୍ରସ୍ତୁତ କରିଛି। ଆସନ୍ତା ୬ ତାରିଖ ଦିନ ଏକ ପଟୁଆରରେ ବାହାରି ଯନ୍ତରମନ୍ତରରେ ପହଂଚି ସେଠାରେ ଧାରଣା ଦିଆଯିବ। ସଭା ପରେ ସମ୍ବଲପୁରୀ ନୃତ୍ୟଗୀତ, ସମ୍ବଲପୁରୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ବି ଆୟୋଜନ କରାଯିବ। ୧୯୪୬ ଜୁଲାଇ ୩୧ ତାରିଖରେ ସମ୍ବଲପୁର ଜିଲ୍ଲା ସମ୍ମିଳନୀରେ ଶଙ୍କର ପ୍ରସାଦ ମିଶ୍ର ପ୍ରଥମେ ହୀରାଖଣ୍ଡ ରାଜ୍ୟ ଦାବି ଉପସ୍ଥାପନ କରିଥିଲେ। ଅଗଷ୍ଟ ୧୪ରେ ସାପଲହର ସଭାରେ ଏହି ଦାବିକୁ ଦୋହରାଯାଇଥିଲା। ସେହି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପୁଣି ଶଙ୍କର ମିଶ୍ର ଓ ବୋଧରାମ ଦୁବେ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ଭେଟି ହୀରାଖଣ୍ଡ ରାଜ୍ୟ ବିଷୟ ଉତ୍ଥାପନ କରିଥିବା ସଂକ୍ରାନ୍ତରେ ଏହି ପ୍ରେସ୍ ବିବୃତିରେ ଉଭୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।