ବିମାନ ଯାତ୍ରୀ ବୃଦ୍ଧିରେ ଭୁବନେଶ୍ୱର ଏକ ନମ୍ବର : ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତାକୁ ପଛରେ ପକାଇଲା

ଭୁବନେଶ୍ୱର: ବିମାନ ଯାତ୍ରୀ ଅଭିବୃଦ୍ଧି ତାଲିକାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଛି। ବର୍ଷକରେ ୩୯.୪% ଅଧିକ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦର ଦେଇ ଯାତାୟାତ କରିଛନ୍ତି। ଏପରିକି ଯାତ୍ରୀ ଅଭିବୃଦ୍ଧିରେ ଭୁବନେଶ୍ୱର ଦେଶର ସମସ୍ତ ଅଗ୍ରଣୀ ବିମାନବନ୍ଦରକୁ ପଛରେ ପକାଇ ଦେଇଛି। ଭୁବନେଶ୍ୱର ବିମାନବନ୍ଦରର ଯାତ୍ରୀ ଅଭିବୃଦ୍ଧି ହାର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ କୋଲକତା ଭଳି ବିମାନବନ୍ଦର ଠାରୁ ବହୁ ଅଧିକ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶ ପାଇଥିବାବେଳେ ଏଥିରେ ଅଧିକ ଯାତ୍ରୀ ଯାତାୟାତ କରିବାରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ଥିଲେ ହେଁ ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀ ହାରରେ ଅଧିକ ରହିଛି। ଦେଶର ବ୍ୟସ୍ତବହୁଳ ବିମାନ ବନ୍ଦର ତାଲିକାରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ଚେନ୍ନାଇ, କୋଲକତା, ହାଇଦ୍ରାବାଦ, କୋଚି, ଅହମ୍ମଦାବାଦ, ପୁଣେ, ଗୋଆ, ଜୟପୁର, ଲକ୍ଷ୍ନୌ, ଗୌହାଟି ଓ ତିରୁଅନନ୍ତପୁରମ୍‌ ରହିଛି। ଭୁବନେଶ୍ୱର ବିମାନବନ୍ଦରରେ ୨୦୧୬-୧୭ରେ ୨୩ଲକ୍ଷ ୩୨ହଜାର ୪୩୩ଜଣ ଯାତ୍ରୀ ଯାତାୟତ କରିଥିବାବେଳେ ୨୦୧୭-୧୮ ଆର୍ଥିକବର୍ଷରେ ୩୨ଲକ୍ଷ ୫୦ହଜାର ୬୩୫ଜଣ ଯାତ୍ରୀ ଯାତାୟତ କରିଛନ୍ତି। ଯାତ୍ରୀ ଅଭିବୃଦ୍ଧି ହାର ୩୯.୪% ରହିଛି। ଭୁବନେଶ୍ୱର ପଛକୁ କୋଲକାତାରେ ୨୬%, ଜୟପୁରରେ ୨୫.୭%, ଅହମ୍ମଦାବାଦରେ ୨୩.୯%, ଗୌହାଟିରେ ୨୩.୨% ଯାତ୍ରୀ ଅଭିବୃଦ୍ଧି ହୋଇଛି। ମୁମ୍ବାଇରେ ସବୁଠୁ କମ୍‌ ୭.୪% ଯାତ୍ରୀ ଅଭିବୃଦ୍ଧି ହୋଇଛି।

ବର୍ଷକରେ ୩୯.୪% ଯାତ୍ରୀ ବୃଦ୍ଧି
ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦରରେ ଭୁବନେଶ୍ୱର

ଯେତେବେଳେ କି ଦିଲ୍ଲୀ ବିମାନବନ୍ଦରରେ ୨୦୧୬-୧୭ରେ ୫କୋଟି ୭୭ଲକ୍ଷ ୩ହଜାର ୯୬ଜଣ ଯାତ୍ରୀ ଯାତାୟତ କରିଥିବାବେଳେ ୨୦୧୭-୧୮ରେ ୬କୋଟି ୫୬ଲକ୍ଷ ୯୧ହଜାର ୬୬୨ଜଣ ଯାତ୍ରୀ ଯାତାୟତ କରିଛନ୍ତି। ଅଭିବୃଦ୍ଧି ହାର ୧୩.୮% ରହିଛି। ମୁମ୍ବାଇରେ ୨୦୧୬-୧୭ରେ ୪କୋଟି ୫୧ଲକ୍ଷ ୫୪ହଜାର ୩୪୫ଜଣ ଯାତାୟାତ କରିଥିବାବେଳେ ୨୦୧୭-୧୮ରେ ୪କୋଟି ୮୪ଲକ୍ଷ ୯୬ହଜାର ୪୩୦ଜଣ ଯାତାୟାତ କରିଛନ୍ତି। ବେଙ୍ଗାଲୁରୁରେ ୨୦୧୬-୧୭ରେ ୨କୋଟି ୨୮ଲକ୍ଷ ୮୧ହଜାର ୩୯୨ଜଣ ଯାତାୟାତ କରିଥିବାବେଳେ ୨୦୧୭-୧୮ରେ ୨କୋଟି ୬୯ଲକ୍ଷ ୧୦ହଜାର ୪୩୧ଜଣ ଯାତାୟାତ କରିଛନ୍ତି। କୋଲକତାରେ ୨୦୧୬-୧୭ରେ ୧କୋଟି ୫୭ଲକ୍ଷ ୮୩ହଜାର ୮୯ଜଣ ଯାତାୟତ କରିଥିବାବେଳେ ୨୦୧୭-୧୮ରେ ୧କୋଟି ୯୮ଲକ୍ଷ ୯୨ହଜାର ୫୨୪ଜଣ ଯାତାୟତ କରିଛନ୍ତି। ଯାତ୍ରୀ ଅଭିବୃଦ୍ଧିରେ ଭୁବନେଶ୍ୱର ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଆମ ବିମାନବନ୍ଦର ଦେଶର ଏକ ନମ୍ବର ବିମାନବନ୍ଦର ହେବା ଗର୍ବର ବିଷୟ। ଏଠାକୁ ଆସୁଥିବା ଲୋକଙ୍କୁ ଯେପରି ସମସ୍ତ ସୁବିଧାସୁଯୋଗ ମିଳିବ ଏବଂ ଅନ୍ତର୍ଜାତୀୟ ମାନର ସେବା ମିଳିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱର ପୂର୍ବ ଭାରତର ଆଇଟି ଓ ଶିକ୍ଷା ହବ୍‌ ଭୁବନେଶ୍ୱର ପାଲଟିବା ଏବଂ ଦୁଇଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯୋଗୁଁ ଯାତ୍ରୀ ଅଭିବୃଦ୍ଧି ହୋଇଛି। ଏହାକୁ ବଜାୟ ରଖିବୁ। ଏବେ ଦୈନିକ ୪୦ରୁ ଅଧିକ ବିମାନ ଯାତାୟତ କରୁଥିବାବେଳେ ଏହା ଯେପରି ବଢ଼ିବ ତାହାକୁ ଗୁରୁତ୍ୱ ଦେଉଛୁ। ଯାତ୍ରୀ ଅଭିବୃଦ୍ଧିକୁ ନଜରରେ ରଖି ଟର୍ମିନାଲ-୩ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାସହ ଟି-୧ ଓ ଟି-୨ ଟର୍ମିନାଲକୁ ମିଶାଯିବ। ଏହାଦ୍ୱାରା ବିମାନବନ୍ଦରରେ ଯାତ୍ରୀଙ୍କ ଯାତାୟାତରେ କୌଣସି ସମସ୍ୟା ହେବନି।

ସମ୍ବନ୍ଧିତ ଖବର