ବିମାନ ଭିତରେ ବସିରହିଲେ ୨ ଘଣ୍ଟା; ରାଉରକେଲା ନ ଆସି କୋଲକାତାରେ ଅବତରଣ

ବିମାନବନ୍ଦରରେ ଶୋଇଲେ ୫୧ ଯାତ୍ରୀ, ଆଲିଆନ୍ସ ଏୟାର୍‌ର ମନମାନି ସୀମା ଟପିଲା

ରାଉରକେଲା: ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ବାହାରିଲେ। ଅଧା ଆକାଶରେ ବୈଷୟିକ ସମସ୍ୟା ଥିବା ଦର୍ଶାଇ ବିମାନକୁ କୋଲକାତା ନିଆଯାଇଥିଲା। ଫଳରେ ରାଉରକେଲାକୁ ଆସିନପାରି ୫୧ ଜଣ ଯାତ୍ରୀ କୋଲକାତା ବିମାନବନ୍ଦରରେ ବସିରହିଛନ୍ତି। ଅପରପକ୍ଷରେ ଯାତ୍ରୀଙ୍କ ରହଣି ବ୍ୟବସ୍ଥା କରିବା ପରିବର୍ତ୍ତେ ଆଲିଆନ୍ସ ଏୟାର କର୍ତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି।
ରାଉରକେଲାରେ ଆଲିଆନ୍ସ ପକ୍ଷରୁ ବିମାନ ସେବା ଦିଆଯାଉଛି। ୨୦୨୩ ଜାନୁଆରି ୭ ତାରିଖରୁ ଭୁବନେଶ୍ବର-ରାଉରକେଲା ବିମାନ ସେବା ଆରମ୍ଭ ଦିନଠାରୁ ୪୦ରୁ ଅଧିକ ଥର ଅଘୋଷିତ ତଥା ଶେଷ ମୂହୁର୍ତ୍ତରେ ବୈଷୟିକ ତ୍ରୁଟି ଦର୍ଶାଇ ସେବା ବାତିଲ କରାଯିବାର ଏକାଧିକ ନଜିର ରହିଛି। ଆଜି କିନ୍ତୁ ଆଲିଆନ୍ସ ଏୟାର୍‌ର ଅନୈତିକ କାର୍ଯ୍ୟକଳାପ ସୀମା ଟପିଛି। ଭୁବନେଶ୍ବରରୁ ରାଉରକେଲା ଆସିବାକୁ ୫୧ ଜଣ ଯାତ୍ରୀ ଟିକଟ ସଂରକ୍ଷିତ କରିଥିଲେ। ନିର୍ଦ୍ଧାରିତ ସମୟ, ଅର୍ଥାତ୍‌ ମଧ୍ୟାହ୍ନ ଅଢ଼େଇଟାରେ ବିମାନ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ବାହାରିଥିଲା। ଅପରାହ୍ନ ସାଢ଼େ ୩ଟାରେ ବିମାନ ରାଉରକେଲାରେ ପହଞ୍ଚିବାର ଥିଲା। କିନ୍ତୁ ବିମାନ ଉଡ଼ାଣର ଅଧଘଣ୍ଟା ପରେ, ଅର୍ଥାତ ମଧ୍ୟାହ୍ନ ୩ଟାରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିବା ପାଇଲଟ୍‌ ଘୋଷଣା କରିଥିଲେ। ଏହାପରେ ବିମାନକୁ ସିଧାସଳଖ କୋଲକାତାକୁ ନେଇଯାଇଥିଲେ। ଅପରାହ୍ନ ପ୍ରାୟ ୪.୧୦ରେ ବିମାନ କୋଲକାତାରେ ଅବତରଣ କରିଥିଲା।
ତେବେ ଯାତ୍ରୀଙ୍କୁ ନ ଓହ୍ଲାଇ ପାଇଲଟ୍‌, ଅନ୍ୟ କର୍ମଚାରୀ ଫେରାର ହୋଇଯାଇଥିଲା। ତେବେ ଯିବା ପୂର୍ବରୁ ସେମାନେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ ବିମାନରେ ହିଁ ବସିରହିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନୁସାରେ ୫୧ ଜଣ ଯାତ୍ରୀ ବିମାନ ଭିତରେ ବସିରହିଥିଲେ। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀ ବିମାନ ଭିତରେ ହିଁ ବସିରହିଥିଲେ। ଯାତ୍ରୀମାନଙ୍କୁ ରିଫ୍ରେଶ୍‌‌ମେଣ୍ଟ୍‌ କିମ୍ବା ଅନ୍ୟାନ୍ୟ ସୁବିଧା ଦିଆଯାଇନଥିଲା।  ପ୍ରାୟ ସାଢ଼େ ୬ଟାରେ ଯାତ୍ରୀମାନଙ୍କୁ ଏୟାରପୋର୍ଟ ଭିତରକୁ ଆସିବାକୁ ଅନୁମତି ଦିଆଯାଇଥିଲା। କିଛି ସମୟପରେ ଯାତ୍ରୀ ରାଉରକେଲାକୁ ଫେରିବା ବ୍ୟବସ୍ଥା କରିବାକୁ ଦାବି କରିବାରୁ ଆଲିଆନ୍ସ ଏୟାର ପକ୍ଷରୁ ପ୍ରଥମେ ଯାବତୀୟ ବାହାନା କରାଯାଇଥିଲା। ବେଶ୍‌ କିଛି ସମୟପରେ ରାତି ୯ଟାରେ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରକୁ ନିଆଯିବବୋଲି କୁହାଯାଇଥିଲା। ୮.୪୫ ମିନିଟରେ କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାତ୍ରୀ ନିଜ ନିଜ ବ୍ୟବସ୍ଥାରେ ରାତ୍ରୀଯାପନ କରିବାକୁ କହିଥିଲେ। ଏମିକିତି ଶୁକ୍ରବାର ପୂର୍ହାହ୍ନ ୧୧ଟାରେ ରାଉରକେଲାକୁ ଯାଉଥିବା ବିମାନରେ ଯିବାକୁହେଲେ ପୁନର୍ବାର ଟିକଟ ସଂରକ୍ଷଣ କରିବାକୁ କହିଥିଲେ। ଫଳରେ ଯାତ୍ରୀ ତୀବ୍ର ପ୍ରଦିବାଦ କରିବାସହ ନିୟମାନୁଯାୟୀ ସମସ୍ତ ଯାତ୍ରୀଙ୍କ ରହଣି, ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଯାତ୍ରୀଙ୍କ ନେହୁରା କିନ୍ତୁ ଶୁଣିନଥିଲେ କର୍ତ୍ତୃପକ୍ଷ। ଏମିତିକି ଟିକଟ ଅର୍ଥ ଫେରସ୍ତ କରିବାକୁ ବି ସିଧାସଳଖ ମନା କରିଦେଇଥିବା ଜଣେ ଯାତ୍ରୀ ସୂଚନା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ, ସମସ୍ତ ଯାତ୍ରୀ କୋଲକାତା ବିମାନବନ୍ଦରରେ ହିଁ ବସି ରହିଥିବାବେଳେ ରାତିରେ ସେଠାରେ ଶୋଇବେବୋଲି ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର