ଭୁବନେଶ୍ବର : ଆପଣମାନେ ହେଉଛନ୍ତି ଯୁବବର୍ଗ। ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବେ ଗ୍ରହଣ ନ କରି, ସଂକଳ୍ପ ଭାବେ ନେଇ କାମ କରନ୍ତୁ। ଓଡ଼ିଶା ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ନବନିଯୁକ୍ତ ୬୮୯୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
/sambad/media/post_attachments/wp-content/uploads/2022/08/C-M-at-the-Orientation-programme-for-6891-newly-recruited-secondary-School-Teachers-at-Kalinga-Stadium-2-750x430.jpg)
କଳିଙ୍ଗ ହକି ଷ୍ଟାଡିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଗତ ୩ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଶିକ୍ଷା କେବଳ ଗୋଟିଏ ବ୍ୟକ୍ତି କିମ୍ବା ପରିବାର ବା ସମାଜ ନୁହେଁ, ବରଂ ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ। ସେଭଳି ଏକ ମହାନ ବୃତ୍ତିରେ ଯୋଗଦେଇ ଆପଣମାନେ ରାଷ୍ଟ୍ରନିର୍ମାଣର ସାରଥୀ ସାଜିଛନ୍ତି। ଆପଣମାନେ ହେଉଛନ୍ତି ଏ ଜାତିର ଗୌରବ। ଦେଶର ଭବିଷ୍ୟତ ପିଢ଼ିକୁ ଗଢ଼ିବା ଦାୟିତ୍ବ ଆପଣମାନଙ୍କ ଉପରେ ନ୍ୟସ୍ତ। ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍ରେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ। ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣମାନଙ୍କର। ଶିକ୍ଷକଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ। ଏବେ ସୁଦ୍ଧା ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ୨୦୨୩ ଡିସେମ୍ବର ସୁଦ୍ଧା ଆଉ ୪ହଜାର ୮୦୦ ସ୍କୁଲ ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2022/08/C-M-at-the-Orientation-programme-for-6891-newly-recruited-secondary-School-Teachers-at-Kalinga-Stadium-8-750x430.jpg)
ସ୍ବାଗତ ଭାଷଣ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି। ‘ମୋ ସ୍କୁଲ’, ୫-ଟି ଟ୍ରାନ୍ସଫର୍ମେସନ୍ ଦ୍ବାରା ସ୍କୁଲ ରୂପ ବଦଳୁଛି। ତେଣୁ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ବିକାଶ କ୍ଷେତ୍ରରେ ଆପଣମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନବନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଜଳସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି ସ୍କୁଲ ରୂପାନ୍ତର ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ(୫-ଟି) ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢ଼ୀ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/C-M-at-the-Orientation-programme-for-6891-newly-recruited-secondary-School-Teachers-at-Kalinga-Stadium-1.jpg)
