ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରାଙ୍କୁଲାଇଜ୍ ନକରି ଚିକିତ୍ସା କରାଯିବା ସମୟରେ ଅସୁସ୍ଥ ମାଈହାତୀଟି ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ବିଭିଓ ଗୁରୁତର ଆହତ ହୋଇଥିବା ବେଳେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି। ତେବେ ଦୋଷ ଲୁଚାଇବା ପାଇଁ ଚିକିତ୍ସା ସାରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣ କରିଥିବା ରେଂଜର କହିଛନ୍ତି।
ସୂଚନା ଅନୁସାରେ; କୁଲଡ଼ିହାରେ ଏକ ମାଈହାତୀ ଅସୁସ୍ଥ ଥିଲା। ହାତୀଟି ବାଲିଆନାଳ ବିଟ୍ ଋଷିଆ ଡ୍ୟାମ୍ ପାଣିରେ ପଡ଼ିରହିଥିଲା। ଏନେଇ ଖବର ପାଇବା ପରେ ଗତକାଲି କୁଲଡ଼ିହା ରେଂଜର ସୁବ୍ରତ କୁମାର ବେହେରା, ପଞ୍ଚଲିଙ୍ଗେଶ୍ବର ବିଟ୍ର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ବିବେଦୀ ଓ ନୀଳଗିରି ପଶୁ ଚିକିତ୍ସାଳୟର ବିଭିଓ ଶୁଭାଶିଷ ମହାପାତ୍ରଙ୍କ ସହ ୩ ଜଣ ଫରେଷ୍ଟ ଗାର୍ଡ ସେଠାକୁ ଯାଇ ହାତୀର ଚିକିତ୍ସା କରିଥିଲେ। ପରେ ଖବର ମିଳିଥିଲା ଯେ ହାତୀ ଆକ୍ରମଣରେ ବିଭିଓ ଶ୍ରୀ ମହାପାତ୍ର ଗୁରୁତର ହୋଇଥିବା ବେଳେ ଫରେଷ୍ଟର ଶ୍ରୀମତୀ ଦ୍ବିବେଦୀ ଆହତ ହୋଇଛନ୍ତି।
ଆକ୍ରମଣରେ ବିଭିଓ ଗୁରୁତର, ବନ କର୍ମଚାରୀ ଆହତ
ଦୋଷ ଲୁଚାଇବା ପାଇଁ ମିଛ
/sambad/media/media_files/2025/03/06/egwLMwFi5zN9NE3MgpGw.jpg)
ଘଟଣା ବାବଦରେ ଜାଣିବା ପାଇଁ ରେଂଜର ଶ୍ରୀ ବେହେରାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ। ସେ କହିଥିଲେ, ଅସୁସ୍ଥ ହାତୀର ଚିକିତ୍ସା ସାରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣ କରିଥିଲା। କିନ୍ତୁ ଆଜି ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏପରି କି ନୀଳଗିରି ଏସ୍ଡିଭିଓ ଜଗଦୀଶ କିଙ୍କର ଚାନ୍ଦ ରେଂଜର ଶ୍ରୀ ବେହେରାଙ୍କ ସୂଚନା ନେଇ ପ୍ରଶ୍ନ ଉଠାଇଥିଲେ। ଅନ୍ୟ ହାତୀ ନୁହେଁ, ଟ୍ରାଙ୍କୁଲାଇଜ୍ କରାଯାଇ ନ ଥିବାରୁ ଅସୁସ୍ଥ ହାତୀ ହିଁ ଆକ୍ରମଣ କରିଛି ବୋଲି ସେ କହିଥିଲେ। ଫଳରେ ସ୍ପଷ୍ଟୀକରଣ ପାଇଁ ଗଣମାଧ୍ୟମ ପ୍ରତିନିଧି ରେଂଜର ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ହେଲେ ସେ ଗତକାଲି ଦେଇଥିବା ସୂଚନା ବଦଳାଇଥିଲେ। ଅସୁସ୍ଥ ହାତୀଟି ଆକ୍ରମଣ କରିଥିବା କଥାକୁ ସ୍ବୀକାର କରିଥିଲେ। କହିଥିଲେ, ସୁରକ୍ଷା ଦୃଷ୍ଟିରୁ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ନଥିଲା। ଆମେ କେବଳ ତା’ର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଯାଇଥିଲୁ। ତାକୁ ଔଷଧ ମିଶା କଦଳୀ ଦେବା ବେଳେ ଅଘଟଣ ଘଟିଥିଲା।
ଟ୍ରାଙ୍କୁଲାଇଜ୍ ନକରି ବଣୁଆ ହାତୀର ଚିକିତ୍ସା କରାଯିବା ବନ ବିଭାଗର ଦାୟିତ୍ବହୀନତା ବୋଲି ଅଭିଯୋଗ ହେଉଛି। ଦୋଷ ଲୁଚାଇବାକୁ ଯାଇ ମିଛ କହିବା ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦିଆଯିବା ଦରକାର ବୋଲି ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ଯୁବ କଂଗ୍ରେସ ନେତା ତପନ ରାଉତ, ସିପିଆଇ ନେତା ତଥା ବାଉଁଶବଣିଆ ସରପଞ୍ଚ ନିରଂଜନ ବାରିକ ଓ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ ଦାବି କରିଛନ୍ତି। ଉଲ୍ଲେଖ ଥାଉକି; ହାତୀ ଆକ୍ରମଣରେ ଗୁରୁତର ଶ୍ରୀ ମହାପାତ୍ରଙ୍କୁ ପ୍ରଥମେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ସେଠାରେ ଶ୍ରୀ ମହାପାତ୍ରଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/05/elephant1.jpeg)