ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ତଥା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳର ଲେଙ୍ଗଡ଼ା ଗ୍ରାମ ନିକଟରେ ୩ ଦିନ ହେଲା ଏକ ମାଈହାତୀ ଅସୁସ୍ଥତା ଯୋଗୁଁ ପଡ଼ିରହିଛି। ଦୁର୍ବଳତା ‌ହେତୁ ଘୁଞ୍ଚିପାରୁନି। ଏଭଳି ପରିସ୍ଥିତିରେ ବନ ବିଭାଗର ଅନୁରୋଧ କ୍ରମେ ଗତକାଲି ନନ୍ଦନକାନନରୁ ଏକ ଡାକ୍ତରୀ ଟିମ୍ ପହଞ୍ଚିଥିବା ବେଳ‌େ ଆଜି ହାତୀଟିର ଚିକିତ୍ସା ଆରମ୍ଭ ହୋଇଛି। ପୂର୍ବରୁ ବନ ବିଭାଗ କର୍ମଚାରୀମାନେ ହାତୀଟିକୁ ବିଭିନ୍ନ ଫଳ ଓ ପରିବାରେ ଔଷଧ ଦେଉଥିଲେ।

Advertisment

ଆଜି ସକାଳେ ଡା.ସନ୍ତୋଷ ଗୁପ୍ତାଙ୍କ ନେତୃତ୍ବରେ ଗଠିତ ନନ୍ଦନକାନନର ଏକ ଡାକ୍ତରୀ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲେ। ଗାଲେରୀ ରେଞ୍ଜର ଶିବରାମ ନାୟକ, ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାଶଙ୍କ ସହ ନନ୍ଦନକାନନର ବୈଷୟିକ ସହାୟକ ଦୁଷ୍ମନ୍ତ ନାୟକ, ବନପାଳ ଅଭିମନ୍ୟୁ ମଲ୍ଲିକ, ବବ୍‌ଲୁ ସେଠୀ ଓ ବନରକ୍ଷୀମାନଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ପ୍ରଚେଷ୍ଟା ପରେ ଟ୍ରାନ୍‌କୁଲାଇଜର୍ ମାଧ୍ୟମରେ ହାତୀଟିକୁ ଅଚେତ କରାଯାଇଥିଲା। ଯାଞ୍ଚ୍ ପରେ ତା’ର ପାଟିରେ କ୍ଷତ ସହ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।

ପାଟି ପାଖରେ ଲାଳ ଜମା ହୋଇଥିବା ସହ ପୋକ ଲାଗିଯାଇଥିଲା। ଲାଳ ଓ ପୋକକୁ ସଫା କରାଯାଇ ବାହାର କରାଯାଇଥିଲା। ସେହିପରି ପାଟିର ତଳ ଅଂଶ କଟିଯାଇଥିବାରୁ ମଲମ ଲଗାଯିବା ସହ ସାଲାଇନ୍ ଓ ଭିଟାମିନ୍ ଇଞ୍ଜେକ୍ସନ୍ ଦିଆ ଯାଇଥିଲା। ପରେ ହାତୀକୁ ଉଠାଯାଇଥିଲା। ଡାକ୍ତରୀ ଟିମ୍ ପକ୍ଷରୁ କ୍ଷତ ଶୁଖିବା ଓ ସୁସ୍ଥ ହେବାକୁ ଔଷଧ ଦିଆଯାଇଛି। ତରଭୁଜ, କାକୁଡ଼ି ଓ କଦଳୀରେ ନିୟମିତ ଔଷଧ ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହ ବନ ବିଭାଗ ପକ୍ଷରୁ ନିୟମିତ ହାତୀ ଉପରେ ନଜର ରଖାଯିବ।

ଡାକ୍ତରଙ୍କ କହିବାନୁଯାୟୀ, ‌କୌଣସି ଧାରୁଆ ଜିନିଷ ଯୋଗୁଁ ହାତୀର ପାଟିରେ କ୍ଷତ ହେବାରୁ ସେ ଖାଦ୍ୟ ଗ୍ରହଣ କରିପାରି ନଥିଲା। ଫଳରେ ସେ ଦୁର୍ବଳ ହୋଇ ଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ପାଖାପାଖି ୧୫ ଦିନ ତଳେ ଏଭଳି କ୍ଷତଚିହ୍ନ ହୋଇଛି। ତଥାପି ବିଭିନ୍ନ କାରଣ ଯାଞ୍ଚ ପାଇଁ ହାତୀର ରକ୍ତ ଓ ମଳ ନମୁନା ସଂଗ୍ରହ ହୋଇଛି। ରିପୋର୍ଟ ଆସିବା ପରେ ଚିକିତ୍ସାକୁ ତ୍ବରାନ୍ବିତ କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ଏହାପୂର୍ବରୁ ହାତୀର ମଳନମୁନାରେ କୌଣସି ସମସ୍ୟା ନଥିବା ବିଭିଓ କହିଥିଲେ। ବର୍ତ୍ତମାନ ହାତୀ ନିକଟରେ ପିଇବା ପାଇଁ ପାଣି, ଖାଦ୍ୟ ଓ ଔଷଧ ମହଜୁଦ୍ ରହିଛି ବୋଲି ରେଞ୍ଜର୍ ଶ୍ରୀ ନାୟକ କହିଛନ୍ତି।