ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ, ଖୁବ୍‌ ଶୀଘ୍ର ଆଇଜିଏଚ୍, ଭିମସାର୍ ଓ ଏମକେସିଜିରେ ଖୋଲିବ

ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଖୋଲିଲା ପ୍ଲାଜମା ବ୍ୟାଙ୍କ। ଆଜି  ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଏହି ଅତ୍ୟାଧୁନିକ ଚିକିତ୍ସା ବଳରେ କରୋନା ଆକ୍ରାନ୍ତମାନେ ସୁସ୍ଥ ହେଉଛନ୍ତି। ଗତ ୧୫ ଦିନ ତଳେ ରାଜ୍ୟରେ ପ୍ଳାଜମା ଚିକିତ୍ସା ଆରମ୍ଭ ହୋଇ ଉତ୍ସାହଜନକ ଫଳାଫଳ ମିଳିଛି। ଏହାର ସୁଯୋଗ ରାଜ୍ୟବାସୀଙ୍କୁ ଉପଲବ୍ଧ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ପ୍ଲାଜମା ଡୋନରଙ୍କ ଳାଗି ଏକ ସ୍ବତନ୍ତ୍ର ପୋର୍ଟାଲ ମଧ୍ୟ ଲୋକାର୍ପିତ କରିଥିଲେ। 

ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆହୁରି ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ। ପ୍ଲାଜମା ଥେରାପିରୁ ମିଳୁଥିବା ସୁଫଳକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପ୍ଲାଜମା ଦାନ କରିବାକୁ ଏନଡିଆରଏଫ ଯବାନମାନେ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ଲାଜମା ଦାନ କରିବାକୁ ଚାହୁଁଥିବା ଲୋକଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୫ ତାରିଖରେ ରାଜ୍ୟରେ ପ୍ରଥମ ପ୍ଲାଜମା ବ୍ୟାଙ୍କ କଟକସ୍ଥିତ ଏସ୍‌ସିବିରେ ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ରାଉରକେଲାସ୍ଥିତ ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବ। ସେହିପରି ଆଗାମୀ ଦିନରେ ବ୍ରହ୍ମପୁରସ୍ଥିତ ଏମକେସଜି ଓ ବୁର୍ଲାସ୍ଥିତ ଭୀମସାରରେ ମଧ୍ୟ ଏହି ପ୍ଲାଜମା ବ୍ୟାଙ୍କ ଖୋଲିବ।

ସମ୍ବନ୍ଧିତ ଖବର