ଆର୍‌ଜିଏଚ୍‌ରେ ଏମିତି ହେଉଛି ଚିକିତ୍ସା: ଷ୍ଟୋରରେ ପଡ଼ିଛି ହ୍ୟାଣ୍ଡ ଲାପ୍ରୋସ୍କୋପି ମେସିନ୍‌

ରାଉରକେଲା: ପରିଚାଳନାଗତ ତ୍ରୁଟି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। ବାରମ୍ବାର ଏମିତି ଅଭିଯୋଗ ଆସୁଛି। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନି। କେତେବେଳେ ଏକ୍ସ-ରେ, ଡାୟଲେସିସ୍‌ କାମ କରୁନି ତ ଅନ୍ୟ କେତେବେଳେ ସିଟି ସ୍କାନ୍‌ରେ ବି ସମାନ ସମସ୍ୟା ଉପୁଜୁଛି। କେବଳ ଏତିକି ନୁହେଁ ନକଲି ନର୍ସ ମାସ ମାସ ଧରି କାମ କରୁଥିଲେ ହେଁ ଧରାପଡୁନାହାନ୍ତି। ଏବେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି। ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଆର୍‌ଜିଏଚ୍‌କୁ ହ୍ୟାଣ୍ଡ ଲାପ୍ରୋସ୍କୋପ୍‌ ମେସିନ୍‌ ଦେବାକୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ପାୱାରଗ୍ରୀଡ୍‌କୁ ଚିଠି ଲେଖିଥିଲେ।

ପାୱାରଗ୍ରୀଡ୍‌ ସହମତି ପ୍ରକାଶ କରିବା ପରେ ଆର୍‌ଜିଏଚ୍‌ ପକ୍ଷରୁ ମେସିନ୍‌ର ବିସ୍ତୃତ ତଥ୍ୟ ଦିଆଯାଇଥିଲା। ମେସିନ୍‌ କେଉଁଠୁ କିଣାଯିବ, ତା’ର ମଧ୍ୟ ତଥ୍ୟ ପାୱାରଗ୍ରୀଡ୍‌ ଅଧିକାରୀଙ୍କୁ ଦେଇଥିଲେ। ମେସିନ୍‌ କିଣାଯାଇ ଆର୍‌ଜିଏଚ୍‌କୁ ଆସିଲା। କାର୍ଯ୍ୟକ୍ଷମ ହେଲାନି। ମାସ ମାସ ଧରି ଷ୍ଟୋର୍‌ରୁମ୍‌ରେ ପଡ଼ି ରହିବା ପରେ ଗତ ମାସ ପୂର୍ବରୁ ଚାଲୁ କରାଗଲା। ଜଣେ ମାତ୍ର ଗର୍ଭବତୀ ମହିଳାଙ୍କୁ ଅସ୍ତୋପଚାର କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ମେସିନ୍‌ଟି ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇନଥିଲା। କାର୍ଯ୍ୟକ୍ଷମ ନ ହେବାରୁ କିଣାଯାଇଥିବା ସଂସ୍ଥାକୁ ଅବଗତ କରାଯାଇ କାମ ସାରି ଦିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ମୂଲ୍ୟବାନ୍‌ ମେସିନ୍‌ ସେମିତି ଷ୍ଟୋର୍‌ରୁମ୍‌ରେ ପଡ଼ିରହିଛି।

ମେସିନ୍‌ ପରିଚାଳନା ଦାୟିତ୍ବ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଟି.କେ. ଦାସଙ୍କୁ ଦିଆଯାଇଛି। କେବେ ପ୍ରାୟ ଦେଢ଼ କୋଟିର ମୂଲ୍ୟର ମେସିନ୍‌ କାର୍ଯ୍ୟକ୍ଷମ ହେବ ? ଗର୍ଭବତୀ ମହିଳାମାନେ ଉପଯୁକ୍ତ ଚିକିତ୍ସା ପାଇବେ ? ତା’ର ଉତ୍ତର କାହାରି ପାଖରେ ନାହିଁ। ସାଧାରଣ ଗରିବ ଗର୍ଭବତୀ ମହିଳା ପାଇଁ ଆସିଥିବା ମୂଲ୍ୟବାନ୍‌ ମେସିନ୍‌କୁ ଚାଲୁ କରାଯାଉ ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ମେସିନ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ମେସିନ୍‌ ଦେବାକୁ ଅର୍ଡର ଦିଆଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ଡାକ୍ତରଖାନାର ମ୍ୟାନେଜର ମୋହିତ ଶ୍ରୀବାସ୍ତବକୁ ପଚାରିବାରୁ ସେ କହିଛନ୍ତି, ମେସିନ୍‌ ଚଳାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଆସନ୍ତା ମଙ୍ଗଳବାର ସୁଦ୍ଧା ମେସିନ୍‌କୁ କାର୍ଯ୍ୟକ୍ଷମ କରି ଦିଆଯିବ। ମେସିନ୍‌ କିଣାରେ ଦୁର୍ନୀତି ହୋଇଥିବା ନେଇ ଆସୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଏଥିରେ କୌଣସି ସତ୍ୟତା ନାହିଁ। ପାୱାରଗ୍ରୀଡ଼୍‌ ମେସିନ୍‌ କିଣି ଆର୍‌ଜିଏଚ୍‌କୁ ଦେଇଛନ୍ତି। କେତେ ଟଙ୍କାର ବିଲ୍‌ ହୋଇଛି, ତା’ର କୌଣସି ତଥ୍ୟ ଆମ ପାଖରେ ନାହିଁ।

ସମ୍ବନ୍ଧିତ ଖବର