ସପ୍ତାହେ ପରେ ଘୋଷ ଯାତ୍ରା, ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା

ପୁରୀ : ଆଉ ସପ୍ତାହେ ପରେ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା। ଏଥି ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ପାଇଁ ପ୍ରଶାସନ ବି ଦିନରାତି ଏକ କରି ଦେଇଛି। ରଥଯାତ୍ରା ପ୍ରସ୍ତୁତିର ଚୂଡାନ୍ତ ସମୀକ୍ଷା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସୁଛନ୍ତି। ତେବେ ସବୁ ପ୍ରସ୍ତୁତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ଚିତ୍ର ପାଣି ପୂରାଇ ଦେଇଛି।

ଗୁରୁବାର ରାତି ୯ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀକାଳୀନ ବିଭାଗ (ଆଉଟ୍‌ଡୋର)ରେ ଟର୍ଚ୍ଚ ଲାଇଟ୍‌ରେ ରୋଗୀ ଚିକିତ୍ସା କରାଯିବା ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି। ୫ ମିନିଟ୍ କି ୧୦ ମିନିଟ୍ ନୁହେଁ, ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଅନ୍ଧାରରେ ରହିଥିଲା ଡାକ୍ତରଖାନା। ସାଧାରଣତଃ ଡାକ୍ତରଖାନାକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଲେ ବିକଳ୍ପ ଭାବେ ଡିଜି (ଜେନେରଟର) ଦ୍ବାରା ବିଦ୍ୟୁତ ଯୋଗାଇ ଦିଆଯାଇଥାଏ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନଥିବାରୁ ଆଜି ଡାକ୍ତରମାନେ ଟର୍ଚ୍ଚ ଲାଇଟ୍ ପକାଇ ରୋଗୀଙ୍କ ଜରୁରୀ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି। ଅନ୍ଧାରରେ ଟର୍ଚ୍ଚ ଲାଇଟ୍ ପକାଇ ପ୍ରେସସ୍କ୍ରିପସନ୍‌ ଲେଖାଯିବା ସହିତ ରୋଗୀଙ୍କୁ ଇଂଜେକସନ୍‌ ଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ପୁରୀ ମେଡିକାଲର ଏଭଳି ଅବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟ ଆପତ୍ତି ଉଠାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅବସ୍ଥାକୁ ଦେଖିବା ପ‌ରେ ଜିଲ୍ଲାର ଅନ୍ୟ ଚିକିତ୍ସା କେନ୍ଦ୍ର କିଭଳି ଥିବ ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର