ଭୁବନେଶ୍ବର : ଏଣିକି ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ ହସପିଟାଲରେ  କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା କରାଯିବ । ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କରୋନା ରୋଗୀମାନଙ୍କୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ସେମାନେ କରୋନା ବିରୋଧୀ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଡାକ୍ତରଖାନାରେ ଠିକ ସମୟରେ ଶଯ୍ୟା ପାଇପାରୁନାହାନ୍ତି । ଏହାଫଳରେ ସେମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅଥବା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ୁଛନ୍ତି । ଏଣୁ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ  ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇଆସୁଥିଲା ।

publive-image

ଆଇଏମଏର ଓଡ଼ିଶା ଚାପ୍ଟରର ତଥ୍ୟ ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇସାରିଲେଣି ଓ ଶତାଧିକ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ତାଲିକାରେ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା ମିଶାଇଲେ ତାହା ଆହୁରି ଅଧିକ ହେବ । ସେହିପରି ଏପର୍ଯ୍ୟନ୍ତ ରାଜ୍ୟରେ ୬ ଜଣ ଆୟୁଷ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।