ଶେରଗଡ଼: ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆଜି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜେନେରେଟର୍ ୬ ମାସ ହେଲା ଖରାପ ହୋଇ ପଡ଼ିରହିଛି। ଏଭଳି ପରିସ୍ଥିତିରେ ଆଜି ଶେରଗଡ଼ରେ ସକାଳୁ ବିଦ୍ୟୁତ୍ କାଟ୍ ହୋଇଥିବା ବେଳେ ଡାକ୍ତରଖାନାରେ ଥିବା ଇନଭର୍ଟର୍ର ଚାର୍ଜ ସରିଯାଇଥିଲା। ଫଳରେ ଆଜି ଇନଡୋର୍ରେ ଜଣେ ରୋଗୀଙ୍କୁ ଡାକ୍ତର ମୋବାଇଲ୍ ଟର୍ଚ୍ଚରେ ଦେଖିବାକୁ ବାଧ୍ୟ ହୋଇଥିଲେ। ଆଜି ଅପରାହ୍ଣରୁ ହିଁ ଡାକ୍ତରଖାନାରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା।
ଅନ୍ୟ କିଛି ବିକଳ୍ପ ନପାଇ ଡାକ୍ତର ମୋବାଇଲ୍ ଟର୍ଚ୍ଚରେ ରୋଗୀଙ୍କୁ ଦେଖିଥିଲେ। ତେବେ ଏହି ଘଟଣା ଦିନେ କି, ୨ ଦିନର ନୁହେଁ। ଅନେକ ଦିନ ହେଲା ଜେନେରେଟର୍ ମରାମତି ପାଇଁ ଦାବି କରାଯାଉଥିଲେ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଉନି। ଫଳରେ ଏଭଳି ପରିସ୍ଥିତିରେ ଜଣେ ଗୁରୁତର ରୋଗୀଙ୍କ କେମିତି ଚିକିତ୍ସା ହେଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବସନ୍ତ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଆଜି
ଦିନତମାମ ବିଜୁଳି ନଥିବା ଯୋଗୁଁ ଇନଭର୍ଟର ଚାର୍ଜ ସରିଯାଇଛି। ତୁରନ୍ତ ଇନଡୋର୍ରେ ବିଜୁଳି ବ୍ୟବସ୍ଥାର ସ୍ଥାୟୀ ସମାଧାନ କରାଯିବ।