ଶିକୁଳିରେ ବନ୍ଧା ମା’ର ମମତା, ଲକଡାଉନ୍ ଯୋଗୁ ହୋଇ ପାରିଲାନି ଚିକିତ୍ସା

ମାନସିକ ଭାରସାମ୍ୟ ହରାଇଲେ ମିନାକ୍ଷୀ, ରାୟଗଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର

ରାୟଗଡ଼ା: ଯେଉଁ ମା’ର ହାତରେ ଦିନେ ପିଲାଙ୍କ ପେଟ ପୁରୁଥିଲା, ଆଜି ସେହି ହାତ ଶିକୁଳିରେ ବନ୍ଧା ପଡ଼ିଛି। ଆବଦ୍ଧ କୋଠରୀ ଭିତରେ ହାତ ବନ୍ଧା ଅବସ୍ଥାରେ ଥିବା ମା’ କେତେବେଳେ ହସୁଛି ତ, କେତେବେଳେ କାନ୍ଦୁଛି। କେତେବେଳେ ପୁଣି ଗାଳି କରି ମାଡ଼ ମାରିବାକୁ ଗୋଡ଼ାଉଛି। ଜୀବନ ହାରିବାକୁ ବି ପଛ ଘୁଞ୍ଚା ଦେଉନି…।

କରୋନା ବିପତ୍ତି ସମୟରେ ଏପରି ବିଡ଼ମ୍ବିତ ମାତୃତ୍ବର ଚିତ୍ର ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ ଅମ୍ବାଦଳା ପଞ୍ଚାୟତ ବଡ଼ସାହିରେ। ଚିକିତ୍ସା ଅଭାବରୁ ମାନସିକ ଭାରସାମ୍ୟ ହରାଇ ପାଗଳି ଭଳି ଆଚରଣ କରୁଛନ୍ତି ମିନାକ୍ଷୀ କରକରିଆ। ଦ୍ବିତୀୟ ସନ୍ତାନ ଭାବେ ପୁଅଟିଏ ଜନ୍ମ ଦେବା ପରେ ମିନାକ୍ଷୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସ୍ବାମୀ ସୁବାଷ କରକରିଆ ବିଶାଖାପାଟଣା, ବ୍ରହ୍ମପୁର ସମେତ ବହୁ ସ୍ଥାନରେ ଚିକିତ୍ସା କରି ବିଫଳ ହେବା ପରେ ଶେଷରେ ବୁର୍ଲା ମେଡ଼ିକାଲରେ ମୀନାକ୍ଷି ଭଲ ହୋଇଥିଲେ। ମୀନାକ୍ଷି ସୁସ୍ଥ ଅନୁଭବ କରି ଦୈନନ୍ଦିନ ଜୀବନକୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା। ନିୟମିତ ଚିକିତ୍ସା ସହ ମେଡ଼ିସିନ୍ ଯୋଗୁ ମୀନାକ୍ଷି ଭଲ ହୋଇଥିଲେ। କିନ୍ତୁ ଗତ ୨ ମାସ ହେଲା କରୋନା ମୁକାବିଲା ପାଇଁ ଲକଡାଉନ୍ ଚାଲିଥିବାରୁ ମୀନାକ୍ଷି ଚିକିତ୍ସା ପାଇଁ ବୁର୍ଲା ଯାଇପାରିନଥିଲେ। ମେଡ଼ିସିନ୍ ଅଭାବରୁ ପୁଣି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପାଗଳ ଆଚରଣକୁ ଦେଖି ସ୍ବାମୀ ସୁବାଷ ମୀନାକ୍ଷିଙ୍କ ହାତକୁ ବାନ୍ଧି ଏକ କଠୋରୀ ଭିତରେ ରଖିଛନ୍ତି। ମା’ର ଏପରି ଅବସ୍ଥାକୁ ଦେଖି ସହ୍ୟ କରିପାରୁ ନାହାନ୍ତି ୧୧ ବର୍ଷର ପୁଅ ବଦ୍ରୀ ଏବଂ ୯ ବର୍ଷର ଝିଅ ରଚନା। ଗରିବ ସୀମାରେଖା ତଳେ ବାସ କରୁଥିବା ଏହି ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ହେଉଛନ୍ତି ସୁବାଷ। ଦିନ ମଜୁରିଆ ଭାବେ କାମ କରୁଥିବା ସୁବାଷ କାମକୁ ନ ଗଲେ ଘରେ ଚୁଲି ଲାଗୁନଥିବାରୁ ବାପା ସୁବାଷ ବାହାରକୁ କାମ କରିବାକୁ ଗଲେ ମା’ ସ୍ନେହରୁ ବଞ୍ଚିତ ଦୁଇ ଛୁଆ ଦିନ ତମାମ ମା’କୁ ଜଗି ରହୁଛନ୍ତି। ଆଜି ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ମୀନାକ୍ଷିଙ୍କୁ ଉଦ୍ଧାର କରି ଅମ୍ବାଦଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡା. ସଚ୍ଚିନ୍ ତ୍ରିପାଠୀ ମୀନାକ୍ଷିଙ୍କ ଚିକିତ୍ସା କରିବା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶରେ ଡାକ୍ତରୀ ଟିମ୍ ଚିକିତ୍ସା କରିବା ପରେ ସଂଧ୍ୟାରେ ମୀନାକ୍ଷିଙ୍କୁ ବୁର୍ଲା ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଅମ୍ବାଦଳା ଥାନା ବଡ଼ସାହିର ରାମବାବୁ ବାତ୍ରା, ତେଜଶ୍ବରୀ ବାତ୍ରାଙ୍କ ଝିଅ ମିନାକ୍ଷୀ ୨୦ ବର୍ଷ ତଳେ ଧୋବାଗୁଡି ଗ୍ରାମର ସୁବାସ କରକରିଆଙ୍କୁ ବିବାହ କରିଥିଲେ। ବେଶ୍ ହସଖୁସିରେ ପରିବାର ଚାଲିଥିବା ବେଳେ ଗତ ୯ ବର୍ଷ ତଳେ ମୀନାକ୍ଷି ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ପରିବାରକୁ ଦୁଃଖ ମାଡ଼ି ଆସିଥିଲା। ଆର୍ଥିକ ଦୂରାବସ୍ଥା ସତ୍ତ୍ବେ ସୁବାଷ ମିନାକ୍ଷୀଙ୍କୁ ଭଲ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ। ଗୋଟିଏ ପଟେ ଦୁଇ ଛୋଟ ଛୁଆଙ୍କ ପେଟକୁ ଆହାର ଦେବା ଅନ୍ୟପଟେ ସ୍ତ୍ରୀ ମିନାକ୍ଷୀକୁ ଧରି ମେଡ଼ିକାଲରୁ ମେଡ଼ିକାଲକୁ ଘୁରି ବୁଲିବା ସୁବାଷଙ୍କ ପାଇଁ କାଠିକର ହୋଇ ପଡ଼ିଥିଲା। ତଥାପି ଧର୍ଯ୍ୟ ଧରି ମିନାକ୍ଷୀଙ୍କୁ ଭଲ କରିଥିଲେ ସୁବାଷ। ହେଲେ ଲକଡାଉନ୍ ପୁଣି ଥରେ ସୁବାଷଙ୍କ ଦୁର୍ଦଶାକୁ ବଢ଼ାଇବା ଦେବା ସହିତ ସ୍ତ୍ରୀର ଚିକିତ୍ସା ପାଇଁ ପୁଣି ଥରେ ମେଡ଼ିକାଲ୍ ମୁହାଁ କରିଛି।

ସମ୍ବନ୍ଧିତ ଖବର