ଚିକିତ୍ସାର ପ୍ରମୁଖ ବିକଳ୍ପ ଥିଲା ଟେଲିମେଡିସିନ୍ ସେବା
ଆଇସିଏମ୍ଆର୍ର ଅଧ୍ୟୟନରୁ ସୂଚନା
ଭୁବନେଶ୍ବର : କରୋନା କାଳରେ ଅଣକୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଭୁବନେଶ୍ବର ସମେତ ଖୋର୍ଧା ଜିଲ୍ଲାରେ ପ୍ରତି ୩ଜଣରେ ୨ଜଣ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନିୟମିତ ଚିକିତ୍ସା, ଡାଏଲିସିସ୍ ଭଳି ସେବା ପାଇଁ ରୋଗୀମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡ଼ିଛି। ନିକଟରେ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର୍ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଖୋର୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ବର କରୋନା ସଂକ୍ରମଣର ପ୍ରମୁଖ ହଟ୍ସ୍ପଟ୍ ପାଲଟିଥିଲା। କରୋନାରେ ଖୋର୍ଧା ରାଜ୍ୟର ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଗବେଷଣା ପାଇଁ ଚୟନ କରାଯାଇଥିଲା। ସେହିପରି ସହରାଞ୍ଚଳ ଭାବେ ବିଏମ୍ସିକୁ ଚୟନ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ଚନ୍ଦକା ଓ ବାଲିପାଟଣା ବ୍ଲକ୍କୁ ଗବେଷଣାରେ ସାମିଲ କରାଯାଇଥିଲା। ଏହାସହ ଯେଉଁ ରୋଗୀମାନେ ଅଣସଂକ୍ରାମକ ରୋଗ ବା ଏନ୍ସିଡିରେ ଆକ୍ରାନ୍ତ ଥିଲେ ସେମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯାଇଥିଲା। ଗତବର୍ଷ ମେ-ଜୁନ୍ ମାସରେ ୬ଶହ ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।
ଅଧ୍ୟୟନରେ ୫୯ ପ୍ରତିଶତ ରୋଗୀ-ଡାକ୍ତରଙ୍କ ସାକ୍ଷାତକାର ପ୍ରଭାବିତ ହୋଇଥିବା କହିଥିବାବେଳେ ୫୬ ପ୍ରତିଶତ ଜରୁରୀକାଳୀନ ଚିକିତ୍ସା, ୪୭ ପ୍ରତିଶତ ଫାର୍ମାସି, ୪୬ ପ୍ରତିଶତ ଚିକିତ୍ସା ସେବାରେ ବିଳମ୍ବ ହୋଇଥିବା କହିଥିଲେ। ସେହିପରି ୬୯ ପ୍ରତିଶତ ରୋଗୀ ନିଜର ରୋଗ ପରୀକ୍ଷା ବା ଇନଭେଷ୍ଟିଗେସନ୍, ୬୭ ପ୍ରତିଶତ ଡାଏଲିସିସ୍ ଓ ୬୧ ପ୍ରତିଶତ ହସ୍ପିଟାଲରେ ପହଞ୍ଚିବାରେ ସମସ୍ୟା ହୋଇଥିବା କହିଥିଲେ। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଯେଉଁମାନଙ୍କର ଏକାଧିକ ଜଟିଳ ରୋଗ ବା କୋ-ମର୍ବିଡ୍ ରହିଛି; ସେମାନେ ଅଧିକ ମାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଥିଲା।
ଏସବୁ ବତୀତ କରୋନା ସମୟରେ ଏକାଧିକ ଥର ହସ୍ପିଟାଲ ପରିଦର୍ଶନ କରିବା ସଂକ୍ରମଣ ଭୟ ସହିତ ସାମାଜିକ ଦୂରତା, ବାଧ୍ୟତାମୂଳକ ଗୃହ ପୃଥକବାସ, ହସ୍ପିଟାଲରେ ପହଞ୍ଚିବାରେ ସମସ୍ୟା, ଆର୍ଥିକ ସମସ୍ୟା ମଧ୍ୟ ଅଂଶଗ୍ରହଣକାରୀଙ୍କ ଅନ୍ୟ ପ୍ରମୁଖ ସମସ୍ୟା ରହିଥିବା ଜଣାପଡ଼ିଥିଲା। କରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ଦୃଷ୍ଟିରୁ ବୟସ୍କ ରୋଗୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଟେଲିମେଡିସିନ୍ ସେବା ଏହି ସମୟରେ ଚିକିତ୍ସାର ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଅଧ୍ୟୟନରେ କୁହାଯାଇଛି ଯେ ମହାମାରୀ ସମୟରେ ଟେଲିମେଡିସିନ୍ ଜରିଆରେ ରୋଗ ଅନୁଯାୟୀ ଭର୍ଚୁଆଲ କ୍ଲିନିକ୍ ଜରିଆରେ ଏନ୍ସିଡି ରୋଗୀମାନଙ୍କୁ ସେବା ଦିଆଯାଇ ପାରିବ। ଏହାସହ ସ୍ବାସ୍ଥ୍ୟ ସଚେତନତା ଓ ଗୋଷ୍ଠୀ ସ୍ତରରେ ଉଦ୍ୟମ ଏଭଳି ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବ। କରୋନା ସମୟରେ ଯେପରି ଅନ୍ୟ ରୋଗୀମାନେ ଚିକିତ୍ସା ପାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ହସ୍ପିଟାଲମାନଙ୍କୁ କଡ଼ା ତାଗିଦ୍ କରିଥିଲେ। ଏହା ସତ୍ତ୍ବେ ମଧ୍ୟ ବହୁ ସଂଖ୍ୟାରେ ରୋଗୀ ସେବା ପାଇବାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଥିଲା।