ଦୁର୍ଘଟଣାରେ ଆହତ ବୁଲା କୁକୁରର ଯତ୍ନ ନେଲେ ଲୋକେ

ସୁରକ୍ଷିତ ପ୍ରସବ ହେଲା ୪ ଛୁଆ

କ.ନୂଆଗାଁ : କିଏ ପାଖକୁ ଆସି ମୁଣ୍ଡ ଆଉଁସି ଦେଉଛି ତ, କିଏ ଗରମ କ୍ଷୀର ଆଣି ପିଆଇଦେଉଛି। ଆଉ କିଏ ବିଛଣା ପାରିଦେଇ  ଔଷଧ ଲଗାଇ ସେବାଯତ୍ନ କରୁଛି। ପ୍ରସବ ପରବର୍ତ୍ତୀ ଯତ୍ନ ପାଇଁ ପଶୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ମହିଳା, ସରକାରୀ କର୍ମଚାରୀ  ଓ କିଛି ଯୁବ ସମାଜସେବୀ ସକାଳୁ ରାତି ପର୍ଯ୍ୟନ୍ତ ଲାଗିପଡ଼ିଛନ୍ତି। ଏପରିକି ନବଜାତଙ୍କ ସେବାଯତ୍ନ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ଥଣ୍ଡା କାକରରୁ ମୁକ୍ତି ପାଇଁ ନିଆଁଜାଳି ନବଜାତଙ୍କୁ ସେକି ଦେଉଛନ୍ତି। ହେଲେ ଏହା କୌଣସି ଡାକ୍ତରଖାନାରେ ପ୍ରସୂତି ୱାର୍ଡ଼ରେ ଚିକିତ୍ସିତ ହେଉଥିବା ମହିଳାଙ୍କ କାହାଣୀ ନୁହେଁ। ଏହା ହେଉଛି କ.ନୂଆଗାଁ ବ୍ଲକ୍‌ର ଯୁଗାପଦର ବିଦ୍ୟାଳୟ ନିକଟରେ ଦୁର୍ଘଟଣାରେ ଆହତ ହୋଇଥିବା ଏକ ବୁଲା କୁକୁର ପ୍ରସବ ପରବର୍ତ୍ତୀ ଘଟଣା। ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ଛଟପଟ ହେଉଥିବା ଏହି ବୁଲା କୁକୁରଟି ସମସ୍ତ ସେବାଶୁଶ୍ରୁଷା ଯୋଗୁଁ  ସୁରକ୍ଷିତ ଭାବେ ୪ଟି ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ଆହତ କୁକୁରଟି ସୁସ୍ଥ ହୋଇନଥିବା ବେଳେ ନିଜେ ପଶୁ ଡାକ୍ତର ଉପସ୍ଥିତ ରହି ଦୁଇବେଳା ଉତ୍ତମ ଚିକିତ୍ସା କରିବା ସହ ଶ୍ରୀଘ୍ର ଆରେଗ୍ୟ ପାଇଁ ଉଦ୍ୟମ ଚଳାଇଛନ୍ତି।

ସୂଚନା ପ୍ରକାରେ ଗତ ୩୦ ତାରିଖରେ ବାଇକ୍ ସହ ଏହି ବୁଲା କୁକୁରର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର  ଯୁବ ଡ୍ରାଇଭର ପ୍ରମୋଦ କୁମାର ମଲ୍ଲିକ ଓ ଦାନ ନାୟକ କୁକୁରକୁ ସ୍କୁଲ ନିକଟ ଆମ୍ବଗଛ ମୂଳେ ରଖି ସେବାଶୁଶ୍ରୁଷା ଆରମ୍ଭ କରିଥିଲେ। ଏପରିକି ଖବର ପାଇବା ପରେ କ.ନୂଆଗାଁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ଶ୍ବେତାଶ୍ରୀ ପାଣିଗ୍ରାହୀଙ୍କ ଦ୍ଵାରା ଔଷଧ,ଇଞ୍ଜେକସନ ଓ ସାଲାଇନ ଦେଇ ଆନ୍ତରିକତା ସହ ଚିକିତ୍ସା ଚଳାଇଥିଲେ। ଶେଷରେ ଡାକ୍ତରଙ୍କ ଉପସ୍ଥିତିରେ ଗତକାଲି ଗୋଟିଏ ଛୁଆ ପ୍ରସବ ହୋଇଥିବା ବେଳେ ଆଜି ୩ଟି ଛୁଆ ଜନ୍ମ ଦେଇଥିବା ଜଣାପଡିଛି। ଦୁର୍ଘଟଣା ଦିନ ଠାରୁ କୁକୁରକୁ ସେହି ନିକଟରେ ରହୁଥିବା କୃଷି ବିଭାଗର ସହକାରୀ ବୈଷୟିକ ପରିଚାଳକ ଅନୁସୂୟା ଦଳେଇ, ରକି ଦିଗାଲ, ବେନି ନାୟକ, ସମ୍ୱିତ ନାୟକ, ଅବସାଲାମ ନାୟକ ଓ ସ୍ଥାନୀୟ ବିଦ୍ୟାଳୟର କିଛି ଶିକ୍ଷୟିତ୍ରୀ ଏହି ବୁଲାକୁକୁର ଯତ୍ନ ନେବା ସହ ବିଭିନ୍ନ ଖାଦ୍ୟ, ଔଷଧ ପ୍ରଦାନ କରୁଛନ୍ତି। ବୁଲା କୁକୁର ପାଇଁ ପ୍ରାଣୀ ଚିକିତ୍ସକ, କର୍ମଜୀବୀ ମହିଳା ଓ ସହାୟତା କରିଥିବା ଯୁବକଙ୍କ ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ।  କୁକୁର ଓ ଛୁଆଗୁଡ଼ିକ ସୁସ୍ଥହେବା ପର୍ଯ୍ୟନ୍ତ ଦେଖାଶୁଣା  କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର