ରା.ଉଦୟଗିରି : ୨୦ରୁ ୩୦ ଫୁଟ ତଳେ ଭୟଙ୍କର ବନ୍ୟାଜଳର ପ୍ରଖର ସ୍ରୋତ। ଉପରେ ଲମ୍ବିଛି ବରଗଛର ଏକ ଲମ୍ବା ଶାଖା। ବରଗଛର ଏହି ଲମ୍ବା ଶାଖାରେ ଆରପଟକୁ ଯିବାକୁ ଏକ ରଶି ଭିଡ଼ା ଯାଇଛି। ଜୀବନକୁ ବାଜି ଲଗାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ପିଲାଠାରୁ ବୁଢ଼ା, ମହିଳାମାନେ ନଦୀ ପାର ହେଉଛନ୍ତି ଗଜପତି ଜିଲା ରା.ଉଦୟଗିରି ବ୍ଲକ୍‌ ଠାରୁ ୬୬ କିଲୋମିଟର ଦୂର ରାୟଗଡ଼ ବ୍ଲକ୍‌ର ମାର୍ଲବା ପଞ୍ଚାୟତର ତବାରସିଂ-ପୁତିସାହି ଗ୍ରାମବାସୀ।

Advertisment

ପ୍ରଥମେ ବରଗଛ କୋରଡ଼ରେ ଗାତ କରି ପାହାଚ ହୋଇଛି ୧୦ ଫୁଟ। ଏହା ଚଢ଼ିବା ପରେ ନାଳ ଆରପାରକୁ ଲମ୍ବିଥିବା ବରଗଛ ଡାଳରେ ଅଧାବାଟ ଏବଂ ସେଠାରୁ ବାଉଁଶରେ ହାତ ତିଆରି ଝୁଲା ପୋଲରେ ରଶି ଧରି ପୁଣି ଅଧାବାଟ ପାର ହେଲେ ଆରପଟକୁ ଯାଇଥା’ନ୍ତି ଲୋକମାନେ। ଆଜି ସେ ସ୍ଥାନରେ ଦେଖିବାକୁ ମିଳିଥିଲା ମାର୍ଲବା ପଞ୍ଚାୟତ ଜିରାସାହି ଗ୍ରାମର ସୁକନ୍ୟା ଶକ୍ତି ସଂଗଠନ ସଂଯୋଜିକା ମାମିନି କାର୍ଜି ଓ ମଧୁସ୍ମିତା ରାଇକା ତବାରସିଂ ଗ୍ରାମକୁ ଯିବାର ଦୃଶ୍ୟ। ସେମାନେ ବରଗଛ କୋରଡ଼ରେ ଚଢ଼ି ଡାଳ ସାହାଯ୍ୟରେ ନଦୀ ପାର ହେଉଥିବା ଦୃଶ୍ୟ ଦେଖିଲେ ଯେକେହି ହତବାକ୍‌ ହୋଇଯିବେ। ଟିକେ ଅସାବଧାନ ହେଲେ ଅଘଟଣ ନିଶ୍ଚିତ ବୋଲି ଜାଣି ସୁଦ୍ଧା ସେମାନଙ୍କୁ ଯିବାକୁ ହୋଇଥିଲା। ସେଠାରୁ ୪ କିମି. ରାସ୍ତା ଗଲେ ପୁତିସାହି ଓ ପୁତିସାହି ଠାରୁ ଆଉ ୧ କିମି. ଗଲେ ତବାରସିଂ ଗ୍ରାମ। ତେବେ ବର୍ଷାଦିନେ ଏହି ଗ୍ରାମଗୁଡିକ ଉପଯୁକ୍ତ ରାସ୍ତାଘାଟ ଅଭାବରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଛି l ଏହି ଚିତ୍ର ଆଜିକାର ନୁହେଁ, ଗ୍ରାମ ସ୍ଥାପନ ହେବା ଦିନଠାରୁ ସବୁ ସୁବିଧା, ଯୋଜନା ଓ ବିକାଶ ଠାରୁ ଯେମିତି ବହୁ ଦୂରରେ ତବାରସିଂ ଓ ପୁତିସାହି ଗ୍ରାମବାସୀ l ଯେଉଁଠି ନିଜ ମୌଳିକ ଅଧିକାର ଓ ସୁବିଧା କଣ ଗ୍ରାମବାସୀ ଜାଣନ୍ତି ନାହିଁ, ସେଠାରେ ସେମାନଙ୍କର ବିକାଶ କଥା ମଧ୍ୟ ପ୍ରଶାସନ ଯେମିତି ଭୁଲିଯାଇଛି। ବର୍ଷ ବର୍ଷ ଧରି ଗ୍ରାମବାସୀ ଏମିତି ଗଛ କୋରଡ଼ ଦେଇ ଡାଳ ଓ ରଶି ଧରି ନଦୀନାଳ ପାର ହୋଇ ଯିବା ଆସିବା କରୁଛନ୍ତି।