କୋରାପୁଟ: ପ୍ରଦୂଷଣର ବିଷ ବଳୟରେ କୋରାପୁଟ ଜିଲ୍ଲା। କ୍ରମାଗତ ହ୍ରାସ ପାଉଛି ସବୁଜ ବଳୟ। ଯେଉଁ ବନ୍ୟ ପରିବେଶ ପାଇଁ ଜିଲ୍ଲା ସାରା ଦେଶରେ ଆଦର ସାଉଣ୍ଟୁଥିଲା ତାହା ଉଜୁଡ଼ିବାରେ ଲାଗିଛି। ବୃକ୍ଷରାଜିରେ ଭର୍ତ୍ତି କୋରାପୁଟ ଜିଲ୍ଲାରେ ବ୍ୟାପକ ଜଙ୍ଗଲ କ୍ଷୟ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। କେବଳ ତାପମାତ୍ରା ବଢ଼ି ନାହିଁ, ବର୍ଷାରେ ଅନିୟମିତତା ଦେଖିବାକୁ ମିଳିଛି। ୨୦୦୧ରୁ ୨୦୨୩ ମସିହା ମଧ୍ୟରେ କୋରାପୁଟ ଜିଲ୍ଲାରେ ୮.୦୫ ବର୍ଗ କିଲୋମିଟର ଗଛ ଆଚ୍ଛାଦନ କମିଛି। ୨୦୦୦ ମସିହା ପରେ ବୃକ୍ଷ ଆବରଣ ମଧ୍ୟ ୭.୬ପ୍ରତିଶତ ହ୍ରାସ ପାଇଛି। ଜଙ୍ଗଲ କମିବା କାରଣରୁ ଏହି ୨୨ବର୍ଷରେ ୩.୬୬ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଛି। ଗ୍ଲୋବାଲ୍‌ ଫରେଷ୍ଟ୍‌ ୱାଚ୍‌ ନାମକ ଏକ ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ କୋରାପୁଟ ଜିଲ୍ଲାରେ ସାଂଘାତିକ ଭାବେ କ୍ଷୟ ହେଉଛି ଜଙ୍ଗଲ। ଆସନ୍ତା ଦିନରେ ଏହି ଜଙ୍ଗଲ କ୍ଷୟ ମାରାତ୍ମକ ରୋଗ ସହ ମହାବିପତ୍ତିକୁ ଡାକି ଆଣିବ ବୋଲି ଏହି ରିପୋର୍ଟରେ ଆଶଙ୍କା କରାଯାଇଛି। କୋରାପୁଟ ଜିଲ୍ଲାରେ ୪୦୦୦.୩୧ ବର୍ଗକିଲୋମିଟର ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୨୬୦.୫୮ ବର୍ଗକିଲୋମିଟର ସୁରକ୍ଷିତ ଜଙ୍ଗଲ ରହିଛି।

Advertisment

କିଛି ବର୍ଷ ତଳେ ସବୁଜ ବନାନୀ, ଜୈବ ବିବିଧତା, ଔଷଧୀୟ ବୃକ୍ଷ ସହ ବିରଳ ପ୍ରଜାତିର ଜନ୍ତୁ କୋରାପୁଟ ଜିଲ୍ଲାକୁ ସମୃଦ୍ଧ କରୁଥିଲା। ଏଠାରେ ବସବାସ କରୁଥିବା ଆଦିବାସୀ ପ୍ରକୃତିର ଏହି ଅନନ୍ୟ ଦାନକୁ ଉପାସନା କରିବା ସହ ପିଢ଼ି ପରେ ପିଢ଼ି ସୁରକ୍ଷା ଦେଇ ଆସୁଥିଲେ। କିନ୍ତୁ ସମୟ ବଦଳିବା ପରେ ଏବେ ଚାରିଆଡ଼େ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। କଳକାରଖାନା ବୃଦ୍ଧି, ପ୍ରଶସ୍ତ ସଡ଼କ, ବିଶାଳ କୋଠା, ପୋଡ଼ୁଚାଷ ସହ ବ୍ୟାପକ ଗଛକଟା ପରିବେଶକୁ ଧ୍ବଂସ କରିଚାଲିଛି। ତେଣୁ ବୃକ୍ଷ ଆଚ୍ଛାଦାନ ପରିମାଣ ଯଥେଷ୍ଟ କମିଛି। ୨୦୦୧ ମସିହାରେ ଜିଲ୍ଲାରେ ୬୫ ହେକ୍ଟର ବୃକ୍ଷ ଆଚ୍ଛାଦନ ହ୍ରାସ ପାଇଥିଲା। ୨୦୨୩ ମସିହା ବେଳକୁ ଏହା ୯୩୧ ହେକ୍ଟରକୁ ବୃଦ୍ଧି ପାଇଛି। ୨୦୦୨ରେ ୫୨ ହେକ୍ଟର, ୨୦୦୩ରେ ୫୪୪ ହେକ୍ଟର, ୨୦୦୪ରେ ୧୦୭ ହେକ୍ଟର, ୨୦୦୫ରେ ୧୪୬ ହେକ୍ଟର, ୨୦୦୬ରେ ୧୮୭ ହେକ୍ଟର, ୨୦୦୭ରେ ୨୫୦ ହେକ୍ଟର, ୨୦୦୮ରେ ୨୭୪ ହେକ୍ଟର, ୨୦୦୯ରେ ୧୯୯ ହେକ୍ଟର, ୨୦୧୦ରେ ୮୨ ହେକ୍ଟର, ୨୦୧୧ରେ ୨୧୫ ହେକ୍ଟର, ୨୦୧୨ରେ ୧୬୦ ହେକ୍ଟର, ୨୦୧୩ରେ ୨୨୨ ହେକ୍ଟର, ୨୦୨୪ରେ ୪୩୦ ହେକ୍ଟର, ୨୦୧୫ରେ ୧୬୩ ହେକ୍ଟର, ୨୦୧୬ରେ ୫୭୯ ହେକ୍ଟର, ୨୦୧୭ରେ ୭୬୭ ହେକ୍ଟର, ୨୦୧୮ରେ ୬୧୫ ହେକ୍ଟର, ୨୦୧୯ରେ ୬୮୩ ହେକ୍ଟର, ୨୦୨୦ରେ ୫୨୬ ହେକ୍ଟର, ୨୦୨୧ରେ ୩୭୩ ହେକ୍ଟର, ୨୦୨୨ରେ ୪୭୮ ହେକ୍ଟର ବୃକ୍ଷ ଆଚ୍ଛଦନ ହ୍ରାସ ପାଇଥିଲା।