ଢେଙ୍କାନାଳ ଗଛକଟା ପ୍ରସଙ୍ଗରେ ସରଗରମ ଆଲୋଚନା : ପ୍ରଶ୍ନବାଣ‌ରେ ‌‌ଘେରିଲେ ବିରୋଧୀ

ଭୁବନେଶ୍ବର : ବନ୍ଦୋବସ୍ତରେ ଗୋଚର ଥିଲା। ଏହା ପତିତ ଜମି ହେଲା କେମିତି? ଢେଙ୍କାନାଳ-ଅନୁଗୁଳ ଭଳି ପ୍ରଦୂଷିତ ଅଞ୍ଚଳରେ ଗଛ କାଟିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁମତି ଦେଲେ କେମିତି? ଯେଉଁ ଗଛ କଟାଗଲା, ତାହା କଣ ଆପେ ଆପେ ଉଠିଯିବ? ପଞ୍ଚାୟତ ଅନୁମତିକୁ ଜାଲିଆତି କରିଦିଆଯିବ? ବଳରାମପୁର ଘଟଣାରେ ସୁପ୍ରିମକୋର୍ଟ ନିର୍ଦେଶର ଖୋଲା ଉଲ୍ଲଂଘନ ହୋଇଛି। ସବୁପ୍ରକାର ଅନିୟମିତତା ଏଠାରେ କରାଯାଇଛି। ଆରଡିସି ନୁହେଁ, ରାଜ୍ୟ ସରକାର କୌଣସି ନିରପେକ୍ଷ ସଂସ୍ଥା ଦ୍ବାରା ଏହାର ଅନୁଧ୍ୟାନ କରନ୍ତୁ। ଠିକାଦାର-ଶିଳ୍ପସଂସ୍ଥା-ଇଡକୋ-ପ୍ରଶାସନ ମଧ୍ୟରେ ଅସାଧୁ ମେଣ୍ଟ େହାଇଛି। ଏମାନଙ୍କ ଚାପରେ ଆଖିବୁଜା ଗଛ କଟାଯାଇଛି।

ଢେଙ୍କାନାଳରେ ବିୟର ପ୍ଲାଣ୍ଟ ପାଇଁ ଗଛକଟା ପ୍ରସଙ୍ଗରେ ଆଜି ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏମିତି ଢଙ୍ଗରେ ସରକାରଙ୍କ ବିରୋଧରେ ବର୍ଷିଥିଲେ। ବିରୋଧୀ ଦଳ ନେତାଙ୍କ ସହିତ ସ୍ବର ମିଳାଇ ବିଜେପି ବି ଏହି ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହ ଭିତରକୁ ଟାଣିଛି। ହେଲେ ଗୃହରେ ଏ ପ୍ରସଙ୍ଗରେ ଉତ୍ତର ରଖୁଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କିନ୍ତୁ ବିରୋଧୀ ଦଳର ସବୁ ପ୍ରଶ୍ନକୁ ଗିଳିଦେଇଥିଲେ ଓ ଆରଡିସି ତଦନ୍ତ ଜାରି ରହିଥିବା ଦର୍ଶାଇ ଅନ୍ୟ ସବୁ ଅଭିଯୋଗ ଉପରେ କୌଣସି ଟିପପଣୀ ଦେଇନଥିଲେ।

ଢେଙ୍କାନାଳ ଗଛ କଟା ପ୍ରସଙ୍ଗରେ ଆଜି ବିରୋଧୀ ଦଳ ପକ୍ଷରୁ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ବିରୋଧୀ ଦଳ ନେତା ଆଲୋଚନା ଆରମ୍ଭ କରି କହିଥିଲେ, ମନ୍ତ୍ରୀଙ୍କ ପ୍ରାରମ୍ଭିକ ଉତ୍ତର ସୂଚାଉଛି ରାଜ୍ୟ ସରକାର ଅଭିଯୋଗକୁ ଟାଳି ଦେବା ଲାଗି ଉଦ୍ୟମ କରୁଛନ୍ତି। ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ସେ ବଳରାମପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଙ୍ଗଲ ବିଭାଗ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ ସେଠାରେ ଶାଳ ଗଛ ଆଦି ରହିଛି। ଗ୍ରାମବାସୀ ଏହାକୁ ଜଗୁଥିଲେ। ଏହା ତାଙ୍କ ବଞ୍ଚିବାର ରାହା ପାଲଟିଥିଲା। ହେଲେ ପ୍ରଶ୍ନ ଉଠୁଛି ଯେ ପତିତ ଓ ଅନାବାଦୀରେ ଜଙ୍ଗଲ ଥିଲେ ହଜିଯିବ? ୧୯୯୬ରେ ସୁପ୍ରିମକୋର୍ଟ ଜଙ୍ଗଲ କାହାକୁ କୁହାଯିବ, ତାହା ସ୍ପଷ୍ଟ କରିଛନ୍ତି। କିସମ ଯାହା ବି ହେଉ, ଜଙ୍ଗଲ ଅଛି ମାନେ କେନ୍ଦ୍ର ସରକାରଙ୍କ ବିନାନୁମତିରେ ଗଛ କଟାଯାଇପାରିବ ନାହିଁ। ଏତେ ବଡ଼ ଜଙ୍ଗଲକୁ କିମିତି ଧ୍ବଂସ କରିଦିଆଗଲା? ସମସ୍ତ ଵାର୍ଡ ମେମ୍ବର ଏହାକୁ ବିରୋଧ କରିଛନ୍ତି। କେମିତି ପଞ୍ଚାୟତ ଅନୁମୋଦନ କାଗଜ ସରକାରଙ୍କୁ ମିଳିଗଲା? କାହା ଚାପରେ ପ୍ରଶାସନ ଏତେ ବ୍ୟସ୍ତ ହୋଇଗଲା ଯେ ମେସିନ୍ ଲଗାଇ ଗଛ କଟାଗଲା?

ବିଜେପି ନାଁ ନ ନେଇ ବିରୋଧୀ ଦଳ ନେତା ପରୋକ୍ଷରେ ଏହି ଘଟଣା ପାଇଁ ଢେଙ୍କାନାଳର ପୂର୍ବତନ ମ୍ୟୁନିସପାଲିଟି ଅଧ୍ୟକ୍ଷଙ୍କ ଆଡକୁ ଆଙ୍ଗୁଠି ଉଠାଇଥିଲେ। ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରାଯାଉ। ଗଛର କ୍ଷତିପୂରଣ ଦାୟୀ ଅଧିକାରୀଙ୍କ ଦରମାରୁ କଟାଯାଉ। ଗ୍ରାମବାସୀଙ୍କ ଉପରୁ ମାମଲା ଉଠାଯାଉ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସରୁ ତାରା ପ୍ରସାଦ ବାହିନୀପତି, କୈଳାଶ ଚନ୍ଦ୍ର କୁଲେଶିକା ପ୍ରମୁଖ ଭାଗ ନେଇଥିଲେ। ଘରୋଇ ଜମିରେ ଗଛ ଆଦି ଥିଲେ, ଅନୁମତି ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡୁଛି। ସରକାରୀ ଜମି ପାଇଁ ସାଙ୍ଗେ ସାଙ୍ଗେ ଦିଆଯିବ? ଏହା ପଛରେ କିଏ ଅଛି, କାହା ଟେଲିଫୋନ କଲରେ ଏତେ ବଡ଼ ଘଟଣା ଘଟିଲା ତାକୁ ତୁରନ୍ତ ଧରାଯାଉ। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେହିବାଟ ଦେଇ ହାତୀ ଯାଆସ କରୁଥିବା ବେଳେ ଏହାକୁ କିପରି ଅନୁମୋଦନ ମିଳିଲା, ସେ ନେଇ ଜାଣିବାକୁ ଚାହିଁଥିଲେ। ଅନୁଗୁଳ ଓ ଢେଙ୍କାନାଳ ପ୍ରଦୂଷିତ ସହର ହୋଇଥିବା ବେଳେ ଗଛ କାଟିବାକୁ କିପରି ଅନୁମତି ମିଳିଲା, ସେ ନେଇ ପଚାରିଥିଲେ। ଆରଡିସି ତଦନ୍ତ ନୁହେଁ, ବିଚାର ବିଭାଗୀୟ ତଦନ୍ତ କରିବା ଲାଗି ଶ୍ରୀ ସିଂହଦେଓ ଦାବି କରିଥିଲେ।

ସରକାରୀ ଦଳ ପକ୍ଷରୁ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ସରୋଜ ସାମଲ, ବ୍ରଜ କିଶୋର ପ୍ରଧାନ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଭାଗ ନେଇ ବିରୋଧୀଙ୍କ ଦାବି ଓ ଅଭିଯୋଗକୁ ଫାଙ୍କି ଉଡାଇ ଦେଇଥିଲେ। ପ୍ରାରମ୍ଭିକ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ, ରାଜସ୍ବ ବିଭାଗରୁ ଜମି ନେଇ ଓଡ଼ାପ଼ଡା ତହସିଲ ଅଧୀନସ୍ଥ ବଳରାମପୁର ମୌଜାରେ ୬୨.୭୯ ଏକର ଜାଗାରେ ଇଡକୋର ଏକ ଶିଳ୍ପାଞ୍ଚଳ କରାଯାଇଛି। ଏହି ଶିଳ୍ପାଞ୍ଚଳରୁ ୧୨.୦୫ଏକର ଜମି ମେସର୍ସ ପି ଆଣ୍ଡ ଏ ବଟଲର୍ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଥିଲା। ସରକାରୀ ରେକର୍ଡରେ ସମସ୍ତ ଜମି ପତିତ କିସମର, ଜଙ୍ଗଲର କିସମର ନୁହେଁ। ଏହି ଜମି ଡିଏଲସି ତାଲିକା ଅନ୍ତର୍ଭୁକ୍ତ ବି ନୁହେଁ। ଗତ ମାର୍ଚ୍ଚ ୨୦ ତାରିଖରେ ଜମିରେ ଗଛ ଗଣତି ପାଇଁ ତହସିଲଦାର ବନଖଣ୍ଡ ଅଧିକାରୀଙ୍କୁ ମିଳିତ ଅନୁଧ୍ୟାନ ପାଇଁ ଅନୁରୋଧ କରିଥିଲେ। ଏହି ଦିନ ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ, ବନପାଳ, ରେଞ୍ଜ ଅଫିସର ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ହୋଇଥିଲା। ଜୁନ ୩୦ ତାରିଖରେ ଇଡକୋ ମୁଖ୍ୟ ମହାପ୍ରବନ୍ଧକ ୧୦.୫୯ ଏକର ଜମିରେ ଗଛ କାଟିବା ପାଇଁ ଡିଏଫ୍ଓଙ୍କୁ ଅନୁମତି ମାଗିଥିଲେ। ଏହି ଜମିରେ ୯୫୬ଟି ଛୋଟ ବଡ଼ ଗଛ ଥିଲା। ଇଡକୋର ଶିଳ୍ପାଞ୍ଚଳ ଜମି ଅନ୍ତର୍ଭୁକ୍ତ ହୋଇଥିବାରୁ ଡିଏଫ୍ଓ ଅଗଷ୍ଟ ୨୪ ତାରିଖରେ ଗଛ କାଟିବାକୁ ଅନୁମତି ପ୍ରଦାନ କରିଥିଲେ। ପରେ ବିରୋଧୀ ଦଳ ଉଠାଇଥିବା କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ବରଂ କହିଥିଲେ, ଆବଣ୍ଟିତ ଜମି ଜଙ୍ଗଲ ଜମି ନୁହେଁ।ଏଣୁ ଅନୁମତିର ଆବଶ୍ୟକତା ନାହିଁ। ଗଛକଟା ଠିକ୍ ଏକଥା ସେ ସାବ୍ୟସ୍ତ କରିବାକୁ ଚାହୁଁନାହାନ୍ତି। କିନ୍ତୁ ଘଟଣାରେ ରାଜ୍ୟ ସରକାର ଇତିମଧ୍ୟରେ ଏହାର ଆରଡିସି ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଆରଡିସିଙ୍କ ରିପୋର୍ଟ ଆଧାରରେ ପ୍ରକଳ୍ପ ବାତିଲ ହୋଇଛି। ପୂର୍ଣ୍ଣାଙ୍ଗ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର