ନବୀକରଣ ଲାଗି ରାସ୍ତାକଡ଼ରୁ ଠିକାସଂସ୍ଥା କାଟିଦେଲା ୨୦୦ରୁ ଅଧିକ ଗଛ, ଲୋକେ ତାତିଲେ

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ- ପାରଚଅଁର ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରୁ  ଲକ୍ଷାଧିକ ଟଙ୍କାର ଗଛ କଟାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଉପରୋକ୍ତ ରାସ୍ତା ନବୀକରଣ ଏବଂ ଉଭୟ ପାର୍ଶ୍ବ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେଣୁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଦୀର୍ଘ ୭ କିଲୋମିଟର ଧରି ରାସ୍ତାର ଦୁଇପାର୍ଶ୍ବରେ ଥିବା ୨୦୦ରୁ ଅଧିକ ସଂଖ୍ୟକ ଚାଖୁଣ୍ଡା, ଖେରଞ୍ଚ, କୃଷ୍ଣଚୂଡ଼ା ଏବଂ ରାଧାଚୂଡ଼ା ଆଦି ଗଛ ଡୋଜର ଲଗାଇ ଉପାଡ଼ି ଦେଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। କଞ୍ଚାଗଛ ଗୁଡ଼ିକୁ ନିଲାମ ଡକାଯିବା ପରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପରିବର୍ତ୍ତେ ଠିକାଦାର ବନ ବିଭାଗର ବିନା ଅନୁମତିରେ ବୃକ୍ଷଛେଦନ କରୁଥିବାରୁ ପରିବେଶପ୍ରେମୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଖବର ପାଇ ଆଜି ଅପରାହ୍ନରେ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଭର୍ତ୍ତି କୃ‌ଷ୍ଣଚୂଡ଼ା ଏବଂ ରାଧାଚୂଡ଼ା କାଠଗଣ୍ଡି ଜବତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ଗାଡ଼ିଚାଳକ ଏବଂ କାଠ କଟାଳିକୁ ଅଟକ ରଖି ପଚରାଉଚରା କରୁଛନ୍ତି। ସୂଚନା ଅନୁସାରେ ଉକ୍ତ ରାସ୍ତା ନବୀକରଣ ଏବଂ ଉଭୟ ପାର୍ଶ୍ବ ସଂପ୍ରସାରଣ ନେଇ ପିପିଲି ଗ୍ରାମ ଉନ୍ନୟନ ସବଡିଭିଜନ ପକ୍ଷରୁ ୫ କୋଟି ଟଙ୍କା ମଂଜୁର କରାଯାଇଛି। ବାଳକାଟିସ୍ଥିତ ବନ ବିଭାଗ ପକ୍ଷରୁ ଗତ ୩ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତାପାର୍ଶ୍ବରେ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା। ହେଲେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଗଛ ବଡ଼ ହୋଇଯିବା ପରେ ଛେଦନ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର