ରାଉରକେଲା: ରାସ୍ତା ପ୍ରଶସ୍ତୀକରଣ ପାଇଁ ବଳି ପଡ଼ିଛି ଗଛ। ଗୋଟିଏ କି ଦୁଇଟି ନୁହେଁ, ରାଉରକେଲା ସହର ମଧ୍ୟରେ କଟା ହୋଇଛି ୧୩୪ ଗଛ। ଗତ ରବିବାର ଦିନ ଦିପହରେ ଡିଏଭି ଛକ, ଜେଲ୍‌ ରୋଡ଼୍‌ ଓ ରିଜର୍ଭଲାଇନ୍‌ ଅଞ୍ଚଳରେ ଏହି ଗଛକଟା ଚାଲିଥିବାବେଳେ ଅନେକ ପରିବେଶପ୍ରେମୀଙ୍କ ହୃଦୟ କାନ୍ଦିଥିଲେ ବି କେହି କିଛି କରିପାରି ନଥିଲେ। ଦେଖୁଦେଖୁ ଗୋଟିଏ ପରେ ଗୋଟିଏ ଗଛ ଧରାଶାୟୀ ହୋଇଗଲା। କାଠଗଣ୍ଡି ଗୁଡ଼ିକ ନିଗମକୁ ଯାଇଥିଲାବେଳେ ଅବଶିଷ୍ଟ ଅଂଶକୁ ସ୍ଥାନୀୟ ବସ୍ତିର ଲୋକେ ଜାଳେଣି ପାଇଁ ବୋହି ନେଇଥିଲେ। ରାସ୍ତା ସମ୍ପ୍ରସାରଣ ପାଇଁ ରାଉରକେଲା ସହରରେ ବେଧଡ଼କ ଗଛକଟା ଚାଲୁଛି ବୋଲି ଅଭିଯୋଗ ହୁଏ। ଯଦି ଏବେଠୁ ଏହାକୁ ରୋକା ନଯିବ, ତେବେ ଏହି ସବୁଜ ସହର କିଛି ବର୍ଷ ମଧ୍ୟରେ ଶ୍ରୀହୀନ ହୋଇଯିବ ବୋଲି ପରିବେଶପ୍ରେମୀମାନେ ଆଶଂକା ବ୍ୟକ୍ତ କରିଛନ୍ତି।

Advertisment

publive-image

ସୂଚନା ଅନୁଯାୟୀ, ଡିଏଭି ଛକରୁ ରିଜର୍ଭ ଲାଇନ୍‌ ପର୍ଯ୍ୟନ୍ତ ବର୍ତ୍ତମାନ ୫.୫ ମିଟର ଚଉଡ଼ା ରାସ୍ତା ରହିଛି। ସେହି ରାସ୍ତାକୁ ଆଉ ୧.୫ ମିଟର୍‌ ପ୍ରଶସ୍ତ କରାଯିବା ନେଇ ଗତ ବର୍ଷ ଯୋଜନା ହୋଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଏଥି ପାଇଁ ୬ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଛି। ହକି ବିଶ୍ବ କପ୍‌ ବେଳେ ଡିଏଭି ଛକରୁ ରିଜର୍ଭ ଲାଇନ୍‌ ରାସ୍ତା ପ୍ରଶସ୍ତ ହେବ ବୋଲି ପ୍ରାୟ ୭୫ଟି ଦୋକାନକୁ ରାଉରକେଲା ମହାନଗର ନିଗମ ଭାଙ୍ଗି ଦେଇଥିଲା। ସେହି ସମୟରେ ରାସ୍ତାକୁ ସାମାନ୍ୟ ମରାମତି କରାଯାଇଥିଲା। ବହୁ ବର୍ଷ ପୂର୍ବରୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ପକ୍ଷରୁ ଏହି ରାସ୍ତା ଦୁଇ ପାର୍ଶ୍ବରେ ଶାଳ, ଶିଶୁ, ନିମ୍ବ ଆଦି ମୁଲ୍ୟବାନ ଗଛ ଲଗାଯାଇଥିଲା। ଏବେ ସେହି ଗଛ ସବୁ ବଡ଼ ହୋଇ ଲୋକମାନଙ୍କୁ ଅମ୍ଳଜାନ ଓ ଛାଇ ବାଣ୍ଟୁଥିଲେ। ବୃକ୍ଷରୋପଣଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣାରେ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା। ହେଲେ ସେସବୁ ମାଟିରେ ମିଶିଯାଇଛି। କଟା ହୋଇଥିବା ଗଛର ଦୁଇଗୁଣା ଚାରା ଲଗାଯିବ ବୋଲି ଯଦିଓ ବନବିଭାଗ କହୁଛି, କିନ୍ତୁ ସ୍ଥାନୀୟ ଲୋକେ ପୂର୍ବରୁ ଥିବା ଗଛ ଗୁଡ଼ିକୁ ଝୁରି ହେଉଛନ୍ତି।