ରାଉରକେଲା: ପ୍ଲୁଟନ୍ ମଲ୍ ସମ୍ମୁଖ ଆର୍ଏସ୍ପି ଜାଗାରେ ବେଆଇନ ଗଛକଟା ମଲ୍ ମାଲିକଙ୍କୁ ମହଙ୍ଗା ପଡ଼ିଛି। ପାନପୋଷ ବନାଞ୍ଚଳ ଅଧିକାରୀ ପ୍ଲୁଟନ୍ ମଲ୍ର ମ୍ୟାନେଜର କିଶନ ରାଏ ଓ ଘଟଣାସ୍ଥଳରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ମଲ୍ ଦୃଶ୍ୟମାନ ପାଇଁ ଆର୍ଏସ୍ପି ଜାଗାରୁ ବେଆଇନଭାବେ କାଟିଥିବା ଗଛକୁ ବନ ବିଭାଗ ଜବତ କରିଛି। ବେଆଇନ ଗଛକଟା ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃ୍କ୍ତି ରହିଛି ? ଏମାନଙ୍କୁ କିଏ ଗଛକାଟିବାକୁ ଅନୁମତି ଦେଇଥିଲେ ? ତା’ର ତଦନ୍ତ କରାଯାଉଛି ବୋଲି ପାନପୋଷ ବନାଞ୍ଚଳ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ରିଂରୋଡ ପାର୍ଶ୍ବ ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଏସ୍ପି ଜାଗାରେ ଗଛଗୁଡ଼ିକ ଲଗାଯାଇଥିଲା। ହେଲେ ମଲ୍ମାଲିକ ବିନା ଅନୁମତିରେ କିଛି କର୍ମଚାରୀଙ୍କୁ ଲଗାଇ ଗଛକୁ କାଟୁଥିବା ସୂଚନା ମିଳିଥିଲା। ବନକର୍ମଚାରୀ ପହଞ୍ଚି କାଟିଥିବା ଗଛକୁ ଜବତ କରିବା ସହ ସେଠାରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡଙ୍କୁ ରେଞ୍ଜ ଅଫିସ୍କୁ ଆଣିଥିଲେ। ପଚରାଉଚୁରା ପରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ତଦନ୍ତ ପରେ ଆଇନ ଅନୁଯାୟୀ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ କହିବାନୁଯାୟୀ, ରିଂ ରୋଡକୁ ମଲ୍ ଠିକ୍ ଭାବେ ଦିଶୁ ନଥିବାରୁ ଅବା ଦୁଇ ଓ ତିନି ଚକିଆ ଗାଡି ପାର୍କିଂ ପାଇଁ ମଲ୍ ମାଲିକ ଏଭଳି ବେଆଇନ କାମ କରୁଥିଲେ। ଧରା ନ ପଡ଼ିବା ଭୟରେ ଗତକାଲି ସଂଧ୍ୟାରେ ମଲ୍ ମାଲିକ କିଛି ଲୋକଙ୍କୁ ଲଗାଇ ଏକ ବଡ଼ ଶିମିଳି ଗଛଟିକୁ କଟର ମେସିନ୍ ସହାୟତାରେ କାଟୁଥିଲେ। ମଲ୍କୁ ସପିଂ କରିବାକୁ ଆସିଥିବା କିଛି ଲୋକ ଗଛକଟାକୁ ବିରୋଧ କରିଥିଲେ। ମାତ୍ର ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଓଲଟା ସେମାନଙ୍କୁ ଅନୁମତି ବାହାନା ଦେଖାଇଥିଲେ। ସେପଟେ ମଲ୍ରେ ନିଜସ୍ବ ପାର୍କିଂ ଥିବା ସତ୍ବେ ଆର୍ଏସ୍ପି ଜାଗାରେ ହଜାର ହଜାର ଗାଡ଼ି ପାର୍କିଂ କରାଯାଉଛି।
ଆଜି ପର୍ଯ୍ୟନ୍ତ ବେଆଇନ ପାର୍କିଂକୁ ଆର୍ଏସ୍ପି ସହରସେବା ବିଭାଗ ବିରୋଧ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଗତ କିଛି ମାସ ପୂର୍ବରୁ ଆର୍ଏସ୍ପି ସହରସେବା ବିଭାଗ ବେଆଇନ ପାର୍କିଂ ବନ୍ଦ କରି ଏହାର ଚତୁଃପାର୍ଶ୍ବରେ ସିମେଣ୍ଟ ଖୁଣ୍ଟି ପୋତି ତାରବାଡ଼ ଘେରାଇଥିଲେ। ତାରବାଡ଼ ଘେରାଇବାର ମାତ୍ର ଦୁଇ ସପ୍ତାହ ନ ପୁରୁଣୁ ପୁଣି ଖୋଲି ଦିଆଯାଇଥିଲା। ଏଥିରେ ମଲ୍ମାଲିକ ଓ ଆର୍ଏସ୍ପି ସହରସେବା ବିଭାଗ କିଛି କର୍ମଚାରୀଙ୍କ ମଧ୍ୟରେ ଭିତିରି ସଲାସୁତୁରାରେ ନାହିଁ ତ ? ନା’ ଆର୍ଏସ୍ପି କର୍ତ୍ତୃପକ୍ଷ ମଲ୍ ମାଲିକଙ୍କୁ ଗାଡ଼ି ପାର୍କିଂ ପାଇଁ ଅନୁମତି ଦେଇଛନ୍ତି କି ? ଯଦି ଦେଇ ନାହାନ୍ତି, ମାସ ମାସ ଧରି ଆର୍ଏସ୍ପି ଜାଗାରୁ ପାର୍କିଂ ବାବଦ ଅର୍ଥ କାହା ପକେଟକୁ ଯାଉଥିଲା, ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି।