ମାଲକାନଗିରି : ଛତିଶଗଡ଼ର ଲୋକ ଓଡ଼ିଶା ଭିତରେ ପଶି ଶହ ଶହ ଗଛ କାଟିଦେଇଛନ୍ତି। ମାଥିଲି ବ୍ଲକ୍ ଅନ୍ତର୍ଗତ କମାରପାଲୀ ଗାଁ ଆଖପାଖରେ ପ୍ରାୟ ୩ କିଲୋମିଟର ଅଞ୍ଚଳକୁ ପଦା କରିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଗତ ଗୁରୁବାର ଦିନ ଛତିଶଗଡ଼ର ସୀମାନ୍ତ ଗାଁ ଚିନ୍ତଲନାଡ଼ର ଶତାଧିକ ଲୋକ ଓଡ଼ିଶାରେ ପଶିଥିବା ନେଇ ବନ ବିଭାଗ ଏବଂ ତହସିଲଦାରଙ୍କୁ ଖବର ମିଳିଥିଲା। ଖବର ପାଇ ବନ ବିଭାଗ ଅଧିକାରୀ ଏବଂ ତହସିଲଦାର ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଗଛ କଟାଯାଇଥିବା ଦେଖିବା ପରେ ତଦନ୍ତ ଆରମ୍ଭ କରିଥିଲେ। ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଦୁଇ ରାଜ୍ୟର ଅଧିକାରୀ ଏବଂ ଗ୍ରାମବାସୀଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗତକାଲି ଛତିଶଗଡ଼ର ଅଧିକାରୀ, ଚିନ୍ତଲନାଡ଼ ଓ କମାରପାଲୀ ଗ୍ରାମବାସୀ, ମାଥିଲି ବନ ବିଭାଗ କର୍ମଚାରୀ ଏବଂ ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀ ବୈଠକରେ ଆଲୋଚନା କରିଥିଲେ। ଚିନ୍ତଲନାଡ଼ ଗ୍ରାମବାସୀ ଓଡ଼ିଶା ଭିତରେ ପଶିଥିବା ମାନିଥିଲେ। ଗଛ କାଟି ସେହି ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇ ଦେବାକୁ ଚେଷ୍ଟା କରୁଥିଲେ। ଯାହା କି ଭୁଲ ଥିଲା ବୋଲି ଚିନ୍ତଲନାଡ଼ବାସୀ ସ୍ବୀକାର କରିଥିଲେ। ଆଗକୁ ଆଉ ଏମିତି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଗକୁ ଯେମିତି ବିବାଦ ନ ହୁଏ ସେଥି ପାଇଁ ଛତିଶଗଡ଼ ଅଧିକାରୀ ଦୁଇ ରାଜ୍ୟର ସୀମା ଚିହ୍ନଟ କରିଥିଲେ। ଆପୋସ ଆଲୋଚନା ଦ୍ବାରା ବିବାଦର ଅନ୍ତ ହୋଇଛି। ତେବେ ଗଛ କାଟିବା ଭଳି ଅପରାଧ ପାଇଁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏହା ଦ୍ବାରା ଯେଉଁ କ୍ଷତି ହେଲା ତାକୁ ଭରଣା କିଏ କରିବ, ଶତାଧିକ ଗଛ କଟା ଯାଇଥିବା ସତ୍ତ୍ବେ ବନ ବିଭାଗ କେମିତି କିଛି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/malkanagiri-tree-cutting.jpg)