କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମ ପାହାଡ଼ରୁ ଅନିୟନ୍ତ୍ରିତ ଭାବେ କୋଟିକୋଟି ଟଙ୍କାର ପଥର ଖନନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଉ ଏହି ପଥର ଖଣି ଖନନ ଯୋଗୁଁ ଶହ ଶହ ଗଛକୁ ଠିକାଦାର କାଟି ବରବାଦ କରି ଦେଉଛନ୍ତି। ସରକାର ୨୦୧୪ ମସିହାଠାରୁ ଗାଇଡ଼ଲାଇନ ଜାରି କରି କୌଣସି ସଂରକ୍ଷିତ ଜଙ୍ଗଲରେ ପଥର ଖନନ ପାଇଁ ଲିଜ୍ କିମ୍ବା ଗଛ କାଟି କାଟିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କଟକଣା ନୋଟିସ୍ ଜାରି କରିଥିଲେ। ଟାଙ୍ଗରାଣୀ ଗ୍ରାମ ପାହାଡ଼କୁ ପ୍ରଦୀପ କୁମାର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ଲିଜ୍ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ୨୦୧୫ ମସିହାରେ ବିନା ପଲ୍ଲିସଭାରେ ଗ୍ରାମର କେତେକ ଅସାଧୁ ବ୍ୟକ୍ତିଙ୍କ ସହଯୋଗରେ ଦାସ ଟାଙ୍ଗରାଣୀ ଗ୍ରାମର ପାହାଡ଼କୁ ଲିଜରେ ନେଇଥିଲେ। ଏବେ ସେ ପଥର ଖନନ ବାହାନାରେ ଦୁଇଟି ମେସିନ ଓ ଶ୍ରମିକଙ୍କୁ କାମରେ ଲଗାଇ ଟ୍ରିପ ଟ୍ରିପ ପଥର ଖୋଳି ନେଉଛନ୍ତି। ଗ୍ରାମରେ ଆଦିବାସୀ ହରିଜନ ବର୍ଗର ଅଧିକାଂଶ ଲୋକ ବସବାସ କରୁଛନ୍ତି। ମେସିନ ଲଗାଇ ପଥର ଖନନ କରିବା ଦ୍ବାରା ଶବ୍ଦ ପ୍ରଦୂଷଣ ସହିତ ଧୂଳିଧୂଆଁ ବ୍ୟାପୁଛି। ସେହିଭଳି ସଂରକ୍ଷିତ ଜଙ୍ଗଲର ମହୁଲ, ଶାଳ, କରଞ୍ଜ ଆଦି ଶହ ଶହ ଔଷଧୀୟ ଗଛ କାଟି ଦିଆଯାଇଛି। ଫଳରେ ଜଙ୍ଗଲ ଧ୍ବଂସ ହେଉଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି। କିଛିଦନ ହେବ ଗ୍ରାମର ଜର୍ମାନ ଦେଓଗାମ୍ (୪୦) ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଢୁଲିଆବେଡ଼ା ନିକଟରେ ଭାଲୁ ସହିତ ମୁହାଁମୁହିଁ ହେବାରୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିଲେ। ପଥର ବୋଝେଇ ଗାଡ଼ି ଚଳାଚଳ ହେବା ଫଳରେ ରାସ୍ତାରେ ଧୂଳିଧୂଆଁ ପ୍ରଭାବିତ ହେଉଥିଲା। ରାସ୍ତାରେ ପାଣି ଛିଞ୍ଚନ କରିବା ପାଇଁ ଏବଂ ଜଙ୍ଗଲର ଗଛସବୁ ନକାଟିବାକୁ ଗ୍ରାମବାସୀ କହିଥିଲେ। ଏହା ସତ୍ତ୍ବେ ସେ ପୁଲିସ ପ୍ରଶାସନ ଗୁଣ୍ତା ଲଗାଇ ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ପଳାଶପଙ୍ଗା ରାଜସ୍ବନିରୀକ୍ଷକ ସରପଞ୍ଚ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ । ତେଣୁ ଗତକାଲି ବନବିଭାଗ ଅଧିକାରୀଙ୍କୁ ଜଣାଇବାରୁ ଘଟଣାସ୍ଥଳରେ ଟିମ୍ ପହଞ୍ଚି ପାହାଡ଼ରୁ ପଥର ଖନନକୁ ବନ୍ଦ କରିଛନ୍ତି । ଏହି ବିଷୟରେ କେନ୍ଦୁଝର ଡ଼ିଏଫଓ ସ୍ଵୟମ ମଲ୍ଲିକଙ୍କୁ ପଚାରିବାରୁ ଏହାକୁ ନେଇ ଟାଙ୍ଗରାଣୀ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।