କୋରେଇ : ଘର ଉପରେ ଗଛ ପଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାର

କୋରେଇ : ଗତକାଲି ସଂଧ୍ୟାରେ ହୋଇଥିବା ପବନ ଓ ବର୍ଷାରେ କୋରେଇ ବ୍ଲକ୍‌ର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ଏହି ପବନରେ ବ୍ଲକ୍‌ ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ରଣସରପୁର ଗ୍ରାମରେ ଜଣେ ବୃଦ୍ଧାଙ୍କର ଘର ଭାଙ୍ଗିଯାଇଛି। ରଣସରପୁର ଗ୍ରାମର ବିଧବା ବୃଦ୍ଧା ଚାନ୍ଦମଣି ଜେନା (୬୯)ଙ୍କ ଘର ଉପରେ ଏକ ବଡ଼ ଇଉକାଲପଟାସ ଗଛ ଉପୁଡ଼ି ପଡ଼ିଥିଲା। ହେଲେ ଘରେ ଥିବା ଚାନ୍ଦମଣି ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ।

ଗତକାଲି ସଂଧ୍ୟାରେ ବର୍ଷା, ପବନ ହୋଇ ଚାନ୍ଦମଣିଙ୍କ ଘର ନିକଟରେ ଥିବା ଗଛଟି ଉପୁଡ଼ି ପଡ଼ିଥିଲା। ଗଛ ପଡ଼ିଯିବାରୁ ଘରର ଛପର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଘର ଭାଙ୍ଗିଯିବା ପରେ ଚାନ୍ଦମଣିଙ୍କ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଗତକାଲି ଠାରୁ ଘର ଭାଙ୍ଗିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ତାଙ୍କ ନିକଟରେ ପହଞ୍ଚିନାହାନ୍ତି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲମଜୁରି ଲାଗି ଚାନ୍ଦମଣିଙ୍କ ପରିବାର ପେଟ ପୋଷୁଥିବା ବେଳେ ଏବେ ମୁଣ୍ତ ଗୁଞ୍ଜିବାକୁ ଚିନ୍ତାରେ ପଡ଼ିଛନ୍ତି। ଗଛପଡ଼ି ଘରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର