ହାଇକୋର୍ଟରେ ବିଧାୟକ କ୍ବାର୍ଟର ନିମନ୍ତେ ଗଛକଟା ମାମଲା

କଟକ : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ପରିପ୍ରେକ୍ଷୀରେ ଭୁବନେଶ୍ବର ୟୁନିଟ-୪ରେ ବହୁ ମୂଲ୍ୟବାନ ଓ ପୁରୁଣା ଗଛ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

କଟକର ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟ ସରକାର ବିଧାୟକଙ୍କ ରହିବା ଲାଗି ୟୁନିଟ-୪ରେ ବହୁତଳ ଅଟ୍ଟାଳିକା ନିର୍ମା‌ଣ କରୁଛନ୍ତି। ଏଥିପାଇଁ ସରକାର ନିଷ୍ପତ୍ତି ନେବାବେଳେ ସଂପୃକ୍ତ ସ୍ଥାନରେ ଥିବା ପୁରୁଣା ଗଛଗୁଡ଼ିକ ବିଷୟରେ କିଛି ଚିନ୍ତାକରାଯାଇ ନାହିଁ। ନିର୍ମାଣ ପାଇଁ ଗଛକଟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ୮୭୦ଟି ବଡ଼ଗଛ କାଟିବା ଲାଗି ପ୍ରସ୍ତାବ ରହିଛି। ‌ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ଗଛକଟା ପାଇଁ କୌଣସି ଅନୁମତି ନିଆଯାଇନାହିଁ। ଏହିସବୁ ଗଛ କଟାହେବା ଦ୍ବାରା ରାଜଧାନୀର ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ, ତାହାର ଆକଳନ କରାଯାଇନାହିଁ। ବିକଳ୍ପ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ କିଛି ଚିନ୍ତା କରାଯାଇନାହିଁ। ଏଭଳି ସ୍ଥିତିରେ ଗଛକଟା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ଗଛ କଟାଗଲାଣି, ସେ ନେଇ ସରକାର ସ୍ପଷ୍ଟ କରନ୍ତୁ। ଏଥିସହିତ କଟାଯାଇଥିବା ଗଛ ଏବଂ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ଗାଇଡ୍‌ଲାଇନ ଅନୁସାରେ ଏ ବାବଦରେ କେତେ କ୍ଷତିପୂରଣ ରାଶି ଜମା କରାଯାଇଛି, ସେ ନେଇ ଜବାବ ତଲବ କରାଯାଉ ବୋଲି ଅାବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ବିଡିଏ, ନଗର ଉନ୍ନୟନ ବିଭାଗ, ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଓ ସିଟି ଫରେଷ୍ଟ ଡିଭିଜନ ଡିଏଫ୍‌ଓଙ୍କ ସମେତ ୧୦ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର