କଟକ: ଶିଳ୍ପ ପ୍ରତିଷ୍ଠା କିମ୍ବା ଅନ୍ୟ କୌଣସି ପ୍ରକଳ୍ପ ପାଇଁ ଜଙ୍ଗଲ ନଷ୍ଟ ହେଲେ ତାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟ ସ୍ଥାନରେ ଜଙ୍ଗଲ ସୃଷ୍ଟି ସୁନିଶ୍ଚିତ ପାଇଁ ନୂଆ ବୃକ୍ଷରୋପଣ କରାଯିବା କଥା। କିନ୍ତୁ ଶିଳ୍ପ ପାଇଁ ଗଛ କଟାଯାଉଥିଲେ ମଧ୍ୟ ନିୟମ ଅନୁସାରେ ବନୀକରଣ କରାଯାଉ ନଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଶିଳ୍ପ ପ୍ରକଳ୍ପ ସ୍ଥଳରେ କେତେ ଚାରା ରୋପଣ କରାଯାଇଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜାତୀୟ ରାଜପଥ ପ୍ରାଧିକରଣ, ରାଜ୍ୟ ରାଜପଥ ଓ ରାଜ୍ୟ ସରକାରଙ୍କ ଅନ୍ୟ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ କେତେ ସଂଖ୍ୟାରେ ଚାରା ରୋପଣ କରାଯାଇଛି, ସେ ସଂପର୍କରେ ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ପିସିସିଏଫ୍‌, ପିସିସିଏଫ୍‌ (ବନ୍ୟଜୀବ) ଏବଂ ଡିଏଫ୍‌ଓ ରାଜନଗରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କାମ୍ପା ପାଣ୍ଠି ବିନିଯୋଗ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରୁ  ଜବାବ ତଲବ କରିଛନ୍ତି। ଜଷ୍ଟିସ୍‌ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଚନ୍ଦନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୂର୍ବରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ କେତେ ଗଛ କଟାଯାଇଛି, ସେ ନେଇ ହାଇକୋର୍ଟ ୨୦୨୪ ସେପ୍ଟେମ୍ବର ୨୩ରେ ଜବାବ ତଲବ କରିଥିଲେ। ରାଜନଗର ଡିଏଫ୍‌ଓ ବ୍ୟକ୍ତିଗତ ଭାବେ ହାଜର ହୋଇ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବେ‌ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅକ୍ଟୋବର ୮ରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ରାଜନଗର ଡିଏଫ୍‌ଓ ଓ ପିସିସିଏଫ୍‌ ହାଜର ହୋଇ ସତ୍ୟପାଠ ଦାଖଲ ପାଇଁ ସମୟ ଲୋଡ଼ିଥିଲେ। ଶୁଣାଣି ବେଳେ ଜେଏସଡବ୍ଲୁ ସଂସ୍ଥା ପକ୍ଷରୁ ଦର୍ଶାଯାଇଥିଲା ଯେ ବୃକ୍ଷରୋପଣ ପାଇଁ କମ୍ପାନି ତରଫରୁ ସରକାରଙ୍କ ନିକଟରେ ଆବଶ୍ୟକ ଅର୍ଥ ଜମା କରାଯାଇଛି। ଏହି ଅର୍ଥ ବୃକ୍ଷରୋପଣ ପାଇଁ ସରକାର ବିନିଯୋଗ କରିବା କଥା। ଫଳରେ ହାଇକୋର୍ଟ ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଢିଙ୍କିଆ ପଞ୍ଚାୟତ ଅଞ୍ଚଳରୁ ଗଛ କଟା ଦ୍ବାରା ଢିଙ୍କିଆ ପଞ୍ଚାୟତ ଜଙ୍ଗଲଶୂନ୍ୟ ହୋଇଯିବ। ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ପରିବେଶ ଉପରେ କୁପ୍ରଭାବ ପଡ଼ିବ। ତେଣୁ ସେଠାରୁ ଆଉ ଗଛ କଟା ନଯାଉ ବୋଲି ଦର୍ଶାଇ ଏହି ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର, ରାଜନଗର ଡିଏଫ୍‌ଓ, ଜଗତସିଂହପୁର ଜିଲ୍ଲାପାଳ, ଏସ୍‌ପି, ଏରସମା ତହସିଲଦାର, ଅଭୟଚାନ୍ଦପୁର ଥାନା ଆଇଆଇସି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।