ରାଉରକେଲା: ରାଉରକେଲା ସିଭିଲ ଟାଉନସିପ୍ର ଅବସରପ୍ରାପ୍ତ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ। ବସୟ ୭୩ ବର୍ଷରୁ ଅଧିକ। ଚାକିରି ସମୟରେ ଚାରା ଲଗାଉଥିଲେ। ଅନ୍ୟମାନଙ୍କୁ ଗୋଟିଏ ଲେଖାଏଁ ଚାରା ଲଗାଇବାକୁ କହୁଥିଲେ। ଚାକିରିରୁ ଅବସର ନେବା ପରେ ମଧ୍ୟ ଏହି ଧାରା ଜାରି ରଖିଛନ୍ତି। ପ୍ରତିବର୍ଷ ଜୁନ୍ ୧୫ରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେ ୨/୩ଟି ଚାରା ଲଗାଉଛନ୍ତି। ଏମିତି କୌଣସି ଦିନ ନାହିଁ, ସେ ଚାରାଟିଏ ଲଗାଇନାହାନ୍ତି। କେହି ସାଥୀ ନ ମିଳିଲେ ଏକା ଚାରା ଲଗାଇବାକୁ ବାହାରି ପଡ଼ନ୍ତି। ଚାରା ଚତୁଃପାର୍ଶ୍ବରେ ଘେରାବନ୍ଦି କରିବାକୁ ସାଥୀରେ ବାଉଁଶ ଓ ସବୁଜ ଜାଲି (ଗ୍ରିନ୍ ନେଟ୍) ନେବାକୁ ଆଦୌ ଭୁଲନ୍ତି ନାହିଁ। ଏଭଳି ମହତ କାର୍ଯ୍ୟରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସ୍ଥାନୀୟ ଅଞ୍ଚଳର ବାବୁଲି ସାହୁ, କୈଳାସଚନ୍ଦ୍ର ସ୍ବାଇଁ, ଯାଜ୍ଞବଳକୀୟ ମିଶ୍ର ଓ ଅନ୍ୟମାନେ।
ଚାକିରି ସମୟରେ ସେକ୍ଟର-୨୧ ନୟାବଜାର ନିକଟସ୍ଥ ଖାଲି ଜାଗାକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାରା ଲଗାଇ ଜଙ୍ଗଲରେ ପରିଣତ କରିଛନ୍ତି। ସେକ୍ଟର-୨୧ ନୟାବଜାର, ପାନପୋଷ ସରକାରୀ କଲେଜ ପାର୍ଶ୍ବ ରାସ୍ତା, ବେଦବ୍ୟାସ ଟିସିଆଇ ଛକ, ରୁପୁଟୋଲା ବସ୍ତିର ଚତୁଃପାର୍ଶ୍ବ, ସିଭିଲ୍ ଟାଉନ୍ସିପ୍, ରାଉରକେଲା-ପାନପୋଷ ରେଳଲାଇନ୍ କଡ଼, ଲାଠିକଟାର ବିଭିନ୍ନ ଅଞ୍ଚଳ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ବରେ ଅନେକ ଗଛ ଲଗାଇଛନ୍ତି। କେବଳ ବଡ଼ବଡ଼ ଗଛ ନୁହେଁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ବିଭିନ୍ନ ପାର୍କରେ ଲଗାଇଛନ୍ତି। ଯାହା ମଧ୍ୟରେ ରହିଛି ଦଶମୂଳାରିଷ୍ଟ, ନବଗ୍ରହ ଗଛ, ରାଶି ଗଛ ଓ ନକ୍ଷତ୍ର ଗଛ। ଏଭଳି କାମ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଗୋବିନ୍ଦଙ୍କୁ ଗଛ ମଣିଷ ବୋଲି ଡାକନ୍ତି। ଗୋବିନ୍ଦ ମଧ୍ୟ ଜଣେ ଯୋଗ ଶିକ୍ଷକ। ଯେଉଁସ୍ଥାନରେ ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ରହିବାକୁ ଯୋଗଶିକ୍ଷା ଦିଅନ୍ତି, ସେଠି ସୁସ୍ଥ ଜୀବନ ପାଇଁ ଗଛଟିଏ ଲଗାଇବାକୁ କହିଥାନ୍ତି। ସହଯୋଗୀ କୈଳାସ ସାହୁ କହିଛନ୍ତି, ଗୋବିନ୍ଦ ଆମମାନଙ୍କ ପାଇଁ ପ୍ରେରଣା। ସବୁଜ ସୁନ୍ଦର ସହର ଗଢ଼ି ତୋଳିବାକୁ ତାଙ୍କର ଏହି ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଜୀବଜଗତ ତିଷ୍ଠି ରହିବାକୁ ଗଛର କେତେ ଆବଶ୍ୟକତା ରହିଛି, ସମସ୍ତେ ବୁଝିବା ଦରକାର। ଯେ ପର୍ଯ୍ୟନ୍ତ ଗୋଡ଼ ଚାଲୁଥିବ, ଏହି କାମ ଜାରି ରହିଥିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sffsfhsfhssfh.jpg)