୨୦୨୧ରେ ସାହିତ୍ୟଘରର ସଭ୍ୟମାନେ ସାଢ଼େ ୬୮ ହଜାର ଚାରାରୋପଣ କଲେ

ଭୁବନେଶ୍ବର : ଇତିମଧ୍ୟରେ ‘ସମ୍ବାଦ ସାହିତ୍ୟଘର’ର ୧୦ ବର୍ଷ ପୂର୍ତ୍ତି ହୋଇଛି। ରାଜ୍ୟର ସର୍ବବୃହତ୍ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍‌’ର ଅନ୍ୟତମ ସହଯୋଗୀ ସଂଗଠନ ଭାବେ ୨୦୧୧ ମସିହାରେ ସ୍ଥାପିତ ‘ସାହିତ୍ୟଘର’ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମୋଟ୍‌ ୩୫୮ଟି ଶାଖା ଜରିଆରେ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛି। ତେବେ ସୁସ୍ଥ ପରିବେଶ ଗଠନ ଉଦ୍ଦେଶ୍ୟରେ ସଭ୍ୟାସଭ୍ୟମାନେ ସାହିତ୍ୟରୁ ଟିକିଏ ବାହାରି ୨୦୧୯ରୁ ପରିବେଶମୁଖୀ ମଧ୍ୟ ହୋଇଆସୁଛନ୍ତି। କରୋନା ମହାମାରୀ ସତ୍ତ୍ବେ ଗତ ୨୦୧୯ ମସିହାରୁ ସାହିତ୍ୟଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏହା କେବଳ ୨୦୨୧ ମସିହାରେ ୪୯୬ରୁ ଉର୍ଦ୍ଧ୍ବ ଶିବିର ଜରିଆରେ ୬୮ ହଜାର ୪୫୯ଟି ଚାରା ରୋପଣ କରାଯାଇଛି।

Sambad

୨୦୨୧ ମସିହାରେ କଟକ ସଂସ୍କରଣରେ ସର୍ବାଧିକ ବୃକ୍ଷରୋପଣ ଶିବିର ଆୟୋଜନ କରିଥିବା ବେଳେ ବାଲେଶ୍ବର ସଂସ୍କରଣ ସର୍ବାଧିକ ୨୦ ହଜାର ୪୪୦ଟି ଚାରାରୋପଣ କରିଛନ୍ତି। ଶାଖାମାନଙ୍କ ମଧ୍ୟରେ ମୟୂରଭଂଜ ଜିଲ୍ଲାର ଠାକୁରମୁଣ୍ଡା ସାହିତ୍ୟଘରର ସଭ୍ୟସଭ୍ୟାମାନେ ସର୍ବାଧିକ ୩ ହଜାର ୬ ଶହ ୩ଟି ଚାରାରୋପଣ କରିଛନ୍ତି । ସାହିତ୍ୟଘରର ସଦସ୍ୟମାନେ କେବଳ ମାସିକ ବୈଠକ କରିବା, ବାର୍ଷିକ ଉତ୍ସବ ପାଳନ କରିବାରେ ସୀମିତ ନରହି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି । ରାଜ୍ୟ ସରକାରଙ୍କର କରୋନା ସହାୟତା, ଫନି ସହାୟତା ଆଦି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ସାହିତ୍ୟ ଘର ତରଫରୁ ସହାୟତା ଦିଆଯାଇଛି। କରୋନା ସମୟରେ ପଥଚାରୀଙ୍କୁ ବିଭିନ୍ନ ଶାଖା ତରଫରୁ ଖାଦ୍ୟ ସହାୟତା ଦେବା ଛଡ଼ା ଡ଼ାକ୍ତରଖାନାରେ ରୋଗୀଙ୍କ ପାଇଁ ନିଶୁଳ୍କ ଅକ୍ସିଜେନ୍ ସେବା, ଫଳ, ଖାଦ୍ୟ ଆଦି ବିଭିନ୍ନ ପ୍ରକାରର ସହାୟତା କରିବା
ପାଇଁ ସଭ୍ୟସଭ୍ୟାମାନେ ଆଗକୁ ଆସୁଛନ୍ତି ।

Sambad

୨୦୧୯ ମସିହାରେ ଯେତେବେଳେ ଫନି ମହାବାତ୍ୟା ତା’ର ତାଣ୍ଡବ ରଚିଥିଲା, ସେତେବେଳେ ଆମ ଚାରିପଟର ପୃଥିବୀକୁ ଟିକିଏ ସବୁଜ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସାହିତ୍ୟଘରର ପ୍ରତିଷ୍ଠାତା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଏକ ନୂତନ ଅଭିଯାନ ଭାବେ ହାତକୁ ନିଆଗଲା। ପ୍ରତିବର୍ଷ ବନମହୋତ୍ସବ ସପ୍ତାହ ଠାରୁ ଆରମ୍ଭ କରି ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସ ଯାଏ ଚାଲିଥାଏ ଏହି ଅଭିଯାନ। ୨୦୧୯ ମସିହାରେ ୨୦୮ରୁ ଉର୍ଦ୍ଧ୍ବ ଶିବିରରେ ୨୭୪୫୩ଟି ଚାରାରୋପଣ, ୨୦୨୦ ମସିହାରେ ୧୨୨ରୁ ଉର୍ଦ୍ଧ୍ବ ଶିବିରରେ ୧୭୭୬୭ଟି ଚାରା, ୨୦୨୧ ମସିହାହରେ ୪୯୫ରୁ ଉର୍ଦ୍ଧ୍ବ ଶିବିରରେ ୬୮୪୫୯ଟି ଚାରା ରୋପଣ କରାଯାଇଛି। ମୋଟ ଉପରେ ଗତ ତିନିବର୍ଷ ମଧ୍ୟରେ ସାରା ରାଜ୍ୟ ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରେ ପାଖାପାଖି ୧ ଲକ୍ଷ ୧୪ ହଜାରଟି ଚାରାରୋପଣ କରାଯାଇଛି । କରୋନା ଭୂତାଣୁ ୨୦୨୦ ମସିହାରେ ଓଡ଼ିଶାରେ ତା’ର କାୟା ବିସ୍ତାର କରିବା ଯୋଗୁଁ ଲୋକମାନେ ବାହାରକୁ ବାହାରିବାକୁ ଭୟକଲେ। ତଥାପି ସଦସ୍ୟମାନେ କମ୍ ସଂଖ୍ୟାରେ ହେଲେ ମଧ୍ୟ ଏହି ଅଭିଯାନକୁ ଚାଲୁରଖିଥିଲେ । ରାଜ୍ୟର ୩୧୪ଟି ବ୍ଲକକୁ ସମ୍ବାଦର ୯ଟି ସଂସ୍କରଣରେ ହିସାବକୁ ନେଲେ ୨୦୨୧ ମସିହାରେ ସମ୍ବଲପୁର ସଂସ୍କରଣ ତରଫରୁ ୭୬ଟି ଶିବିରରୁ ୯୨୭୬ଟି ଚାରା, ରାଉରକେଲା ସଂସ୍କରଣରୁ ୩୫ଟି ଶିବିରରୁ ୪୭୮୬ଟି ଚାରା, ଭୁବନେଶ୍ବର ସଂସ୍କରଣରୁ ୫୨ଟି ଶିବିରରେ ୪୯୨୫ଟି ଚାରା, ବାଲେଶ୍ବର ସଂସ୍କରଣରୁ ୮୧ଟି ଶିବିରରେ ୨୦୪୪୦ ଟି ଚାରା, ଯାଜପୁରରେ ୪୪ଟି ଶିବିରରେ ୫୮୮୩ ଟି ଚାରା, ବ୍ରହ୍ମପୁର ସଂସ୍କରଣରୁ ୪୨ଟି ଶିବିରରୁ ୬୧୬୦ଟି ଚାରା, ଜୟପୁର ସଂସ୍କରଣରୁ ୪୨ଟି ଶିବିରରେ ୬୭୭୭ଟି ଚାରା , ଅନୁଗୁଳ ସଂସ୍କରଣରୁ ୨୩ଟି ଶିବିରରେ ୩୬୮୧ଟି ଚାରା ଓ କଟକ ସଂସ୍କରଣରୁ ୧୦୧ଟି ଶିବିରରୁ ୬୫୩୧ଟି ଚାରାରୋପଣ କରାଯାଇଛି ।

ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଆମର ଏହି ବୃକ୍ଷରୋପଣ ଅଭିଯାନରେ ଆମ ସହିତ ସାମିଲ ହୋଇଥିବା ବିଭିନ୍ନ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ତଥା ବନବିଭାଗର ବିଭିନ୍ନ ଅଂଚଳର କର୍ମଚାରୀ, ଆରକ୍ଷୀ ବିଭାଗର ବିଭିନ୍ନ ଅଂଚଳର କର୍ମଚାରୀଙ୍କୁ ଇଂରାଜୀ ନବବର୍ଷ ୨୦୨୨ ର ଅଭିନ୍ଦନ ଜଣାଇବା ସଙ୍ଗେ ସଂଙ୍ଗେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର