୧ କୋଟି ବୃକ୍ଷ‌ରୋପଣ ଅଭିଯାନର ଶୁଭାରମ୍ଭ: ବୃକ୍ଷର ବିକଳ୍ପ ନାହିଁ ବୋଲି କହିଲେ ସୌମ୍ୟରଂଜନ

କଟକ : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ବ ତାପମାନ ବୃଦ୍ଧି ଜନିତ ସମସ୍ୟା ସମଗ୍ର ବିଶ୍ବ ତଥା ଜୀବଜଗତ ପାଇଁ ଘାତକ ସାଜିଛି। ତେଣୁ ଏହାର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ‘ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ବୃକ୍ଷ ରୋପଣ ଅଭିଯାନକୁ ଉଦଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଛର ବିକଳ୍ପ ନାହିଁ। ପ୍ରେରଣା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେବଳ ରାଜ୍ୟର ନୁହନ୍ତି, ଦେଶବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ସାମିଲ ହେବା ଆବଶ୍ୟକ।

କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ସବୁଜ ବିଶ୍ବ ସୃଷ୍ଟି ପାଇଁ ଏହା ଏକ ମହାସବୁଜ ସଂଗ୍ରାମ। ଏପ୍ରିଲ ୧ ତାରିଖରେ ଏକ ଲକ୍ଷ ଗ୍ରୀନ ଆର୍ମିଙ୍କ ସମାବେଶ ହେବ ଏବଂ ଜୁଲାଇରେ ୧ କୋଟି ଗଛ ଲଗା ଯିବ। କାର୍ଯ୍ୟକ୍ରମରେ ଜଷ୍ଟିସ ଏ.ଏସ୍.ନାଇଡୁ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଡାକ୍ତର ରବିରଂଜନ ସାହୁ, ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ଶ୍ରୀତମ ଦାସ, ଅଶୋକ ସୁନ୍ଦରାୟ, ଡକ୍ଟର ସୁରେଖା ସୁନ୍ଦରୀ ସ୍ବାଇଁ, ସରିତା ପଟେଲ, ଅନୁପମା ଚଂପତ୍ତିରାୟ, ଶିଶିର ପରିଡା, ରମଜାନ ଖାଁ, କେଫାତୁଲ୍ଲା ଖାଁ, ସାହାଜାହନ ଖାଁ, ଅବନୀ ଜେନା, ଦିବ୍ୟରଂଜନ ସ୍ବାଇଁ, ଆଶିଷ ବରିଷଲ, ସହଦେବ ରାଉତ, ସେକ୍ କଲିମୁଲ୍ଲା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଥାଇଲାଣ୍ଡ, ଜାପାନ, ଲଣ୍ଡନ, ପଂଜାବ, ରାଜସ୍ଥାନ, ଆସାମ, ଓଡ଼ିଶାରୁ ୧ ହଜାରରୁ ଅଧିକ ଗ୍ରୀନ ଆର୍ମି, ବୃକ୍ଷପ୍ରେମୀ, ଛାତ୍ର ଯୁବକଙ୍କୁ ନେଇ ‘ଏ ଷ୍ଟେପ୍‌ ଫର୍‌ ଗ୍ରୀନ୍‌ ଆର୍ଥ ଫ୍ରମ ଓଡ଼ିଶା ଶୋଭାଯାତ୍ରା ବାରବାଟୀ ଷ୍ଟାଡ଼ିୟମରୁ ବାହାରି ସହର ପରିକ୍ରମ କରିଥିଲା। ବିଶ୍ବ ମୁକୁଟ ବିଜୟିନୀ ଜ୍ୟୋତି ପଟ୍ଟନାୟକଙ୍କୁ ଗ୍ରୀନ ଆମ୍ବାସଡର ଓ ମୋନାଲିସା ମହାରଣାଙ୍କୁ ଗ୍ରୀନ କୁଇନ୍ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର