ଭୁବ‌ନେଶ୍ବର: ସବୁଜ ଜଙ୍ଗଲ ନଷ୍ଟ କରି କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ଚାଲିଛି। ଯାହାର ପ୍ରଭାବରେ ପରିବେଶଗତ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଋତୁଚକ୍ରରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅସୁସ୍ଥ ହୋଇପଡ଼ିଛି ପୃଥିବୀ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ‘ସମ୍ବାଦ-ସାହିତ୍ୟଘର’। ୨୦୧୯ ମସିହା ଫନି ବାତ୍ୟା ପ୍ରଳୟ ରଚିବା ପରେ ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନକ୍ରମେ ସାରା ରାଜ୍ୟରେ ପ୍ରତିବର୍ଷ ବୃକ୍ଷରୋପଣ ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Advertisment

ଚଳିତ ବର୍ଷ ଜୁନ୍‌ ୫ ତାରିଖ ପରିବେଶ ଦିବସରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟର ୩୭୧ଟି ସାହିତ୍ୟଘର ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟ ୧ ଲକ୍ଷ ୫୫ ହଜାର ୧୫୬ ଚାରା ଲାଗିଛି। 
‘ସମ୍ବାଦ’ର ୯ଟି ସଂସ୍କରଣ ମଧ୍ୟରୁ ସମ୍ବଲପୁର ସଂସ୍କରଣ ଅଧୀନ ୯ଟି ଜିଲ୍ଲାରେ ୨୧ ହଜାର ୨୮୨ ଚାରା ଲାଗିଥିବା ବେଳେ ରାଉରକେଲା ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୮ ହଜାର ୬୧୮, ଅନୁଗୁଳ ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୭ ହଜାର ୫୫୨, କଟକ ସଂସ୍କରଣ ଅଧୀନ ୩ଟି ଜିଲ୍ଲାରେ ୩୫ ହଜାର ୬୭୭, ଯାଜପୁର ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୧୦ ହଜାର ୭୦୬, ବାଲେଶ୍ବର ସଂସ୍କରଣ ଅଧୀନ ୩ଟି ଜିଲ୍ଲାରେ ୩୦ ହଜାର ୯୧୭, ଜୟପୁର ସଂସ୍କରଣ ଅଧୀନ ୪ଟି ଜିଲ୍ଲାରେ ୧୭ ହଜାର ୮୯୪, ବ୍ରହ୍ମପୁର ସଂସ୍କରଣ ଅଧୀନ ୪ଟି ଜିଲ୍ଲାରେ ୯ ହଜାର ୩୪୭ ଏବଂ ଭୁବନେଶ୍ବର ସଂସ୍କରଣ ଅଧୀନ ୩ଟି ଜିଲ୍ଲା ମଧ୍ୟରୁ ଗ୍ରାମାଞ୍ଚଳରେ ୪ ହଜାର ୨୩୩ ଓ ଭୁବନେଶ୍ବର ମହାନଗରରେ ୮ ହଜାର ୯୩୦ ଚାରା ଲଗାଯାଇଛି।
 ବୃକ୍ଷରୋପଣ ଅଭିଯାନରେ ‘ସମ୍ବାଦ-ସାହିତ୍ୟଘର’ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ସହ ସ୍ବେଚ୍ଛାସେବୀ ସଂଗଠନ, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସାଧୁବାଦ ଜଣାଇଛନ୍ତି।