୫ କୋଟି ଗଛ ଲାଗିପାରିବ?

ଲକ୍ଷ୍ୟ ଧାର୍ଯ୍ୟ ହାସଲ ନେଇ ସନ୍ଦେହ, ଗତ ବର୍ଷ ମାନଙ୍କରେ ବି ବିଫଳ ଜଙ୍ଗଲ ବିଭାଗ

ଭୁବନେଶ୍ୱର : ଗତ ଜୁଲାଇ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଆମେ ଗଢ଼ିବା ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ସବୁଜ ମହାନଦୀ ମିସନରେ ୨ କୋଟି ଗଛ ସହିତ ଚଳିତ ବର୍ଷ ମୋଟ ୫ କୋଟି ଗଛର ଚାରା ରୋପଣ କରାଯିବ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ମୁଖ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

କିନ୍ତୁ ଏଭଳି ବିଶାଳ ବନୀକରଣ ପାଇଁ ଜଙ୍ଗଲ ବିଭାଗର ଦକ୍ଷତା ଅଛି ତ? ଏମିତି ଏକ ପ୍ରଶ୍ନ ଏବେ ସବୁ ମହଲରେ ଉଙ୍କି ମାରିଲାଣି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ମନ୍‌ରେଗାର ଗତ ତିନିବର୍ଷର ବାର୍ଷିକ ପ୍ରାଶାସନିକ ରିପୋର୍ଟ ଏହି ସନ୍ଦେହକୁ ଅଧିକ ଦୃଢୀଭୂତ କରୁଛି।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ୨୦୧୭-୧୮ର ରିପୋର୍ଟ ବୟାନ କରୁଛି, ମନ୍‌ରେଗା ଜରିଆରେ ଜଙ୍ଗଲ ବିଭାଗକୁ ୨୬୪.୬୧ କୋଟି ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ବନୀକରଣ କରିବା। କିନ୍ତୁ ବର୍ଷ ଶେଷ ସୁଦ୍ଧା ମାତ୍ର ୮୫.୮୦ କୋଟିର କାର୍ଯ୍ୟ ହୋଇପାରିଥିଲା। ବିଭାଗୀୟ ସଫଳତା ହାର ୩୨%। ଜଙ୍ଗଲ ବିଭାଗର ଲକ୍ଷ୍ୟ ମୁତାବକ ୨୮ ହଜାର ହେକ୍ଟର ଜମିରେ ବନୀକରଣ କରିବା କଥା। କିନ୍ତୁ ୧୭୮୦୬ ହେକ୍ଟର ଜମିରେ ବନୀକରଣ କରାଯାଇଛି। ଏହି ବିଭାଗ ନିଜ ଯୋଜନା ଜରିଆରେ ୧୨୭୦୦ ହେକ୍ଟର ଜମିରେ ବନୀକରଣ କରିବା ବଦଳରେ ସଫଳତା ହାସଲ କରିଛି ୬୩୮୦ ହେକ୍ଟର ଜମିରେ। ସେହିପରି ଆମ ଜଙ୍ଗଲ ଯୋଜନାର ସଫଳତା ହାର ବି ଆଖିଦୃଶିଆ ନୁହେଁ।

୨୦୧୬-୧୭ରେ ଜଙ୍ଗଲ ବିଭାଗକୁ ମନ୍‌ରେଗା ଜରିଆରେ ୨୮୦୦୦ ହେକ୍ଟର ଜମିରେ ବନୀକରଣ କରିବାକୁ ଲକ୍ଷ୍ୟ ଦିଆଯାଇଥିଲା। କିନ୍ତୁ ୧୭୮୦୬ ହେକ୍ଟର ଜମିରେ ବନୀକରଣ ହୋଇପାରିଥିଲା। ୨୦୧୫-୧୬ରେ ସଫଳତା ହାର ଅପେକ୍ଷାକୃତ ପରବର୍ତୀ ଦୁଇବର୍ଷ ତୁଳନାରେ ଅଧିକ ହୋଇଥିଲା। ଏହି ବର୍ଷ ୧୦୧୧୭ ହେକ୍ଟର ଜମିରେ ବନୀକରଣ ଲକ୍ଷ୍ୟ ସ୍ଥାପନ କରାଯାଇଥିଲା। କିନ୍ତୁ ସଫଳତା ହାର ଥିଲା। ୪୫ ପ୍ରତିଶତ।

ମୁଖ୍ୟମନ୍ତ୍ରୀଙ୍କ ‘ଆମେ ଗଢ଼ିବା ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମରେ ୫ କୋଟିର ଗଛ ଚାରାରୋପଣ ଲକ୍ଷ୍ୟକୁ କିପରି ପୂରଣ କରାଯିବ ସେ ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କୁ ପଚାରାଯାଇଥିଲା। ସେ ତଥ୍ୟ ପ୍ରଦାନ କରିବାକୁ ବସିନାହାନ୍ତି କହି ଏ ପ୍ରସଙ୍ଗକୁ ଏଡାଇଯାଇଥିଲେ। ଏସବୁ ପ୍ରସଙ୍ଗ ସମ୍ବଳିତ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବିଭାଗ ‘ତଥ୍ୟ ସଂଗ୍ରହ କରାଯାଉଛି’ ଦେଇଛି।

ସମ୍ବନ୍ଧିତ ଖବର