କେନ୍ଦୁଝର : ‘ଗଛ ଗୋଟିଏ, ଖର୍ଚ୍ଚ ଲକ୍ଷେ’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର। ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ମନରେଗା ଯୋଜନାର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଚିଠି ନମ୍ବର-୧୪୫୮୪ରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ସଚିବ ଡ. ମହେଶ୍ବର ସ୍ବାଇଁ ମଧ୍ୟ ଜିଲ୍ଲାପାଳଙ୍କୁ (ଚିଠି ନମ୍ବର-୧୫୩୮୫) ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୦-୨୧ ଆର୍ଥିକ ବର୍ଷରେ ପାଟଣା ବ୍ଲକ୍‌ ଚେମଣା ପଞ୍ଚାୟତରେ ‌ମନରେଗା କାମରେ ମୋଟ ୨ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବଣସାହିରୁ ଆର୍‌ଡି ରୋଡ୍‌ ପ୍ରାୟ ୧ କିମି ରାସ୍ତାପାର୍ଶ୍ବରେ ଗଛ ଲଗାଇବା ପାଇଁ ୧ ଲକ୍ଷ ଟଙ୍କା ବିଲ୍ ହୋଇଛି। ଏହି ରାସ୍ତା ପାର୍ଶ୍ବରେ ୨୦୦ରୁ ଅଧିକ ଗଛ ଲାଗିଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ମାତ୍ର ଗୋଟିଏ ୪ ଫୁଟିଆ ଶାଗୁଆନ ଗଛ ରାସ୍ତା ପାର୍ଶ୍ବରେ ରହିଥିଲା। ସେହିପରି ‌ଚେମଣା ପୋଷ୍ଟ ଅଫିସ୍‌ଠାରୁ ଜାତୀୟ ରାଜପଥ-୪୯ ପର୍ଯ୍ୟନ୍ତ ୧ଲକ୍ଷ ଟଙ୍କା ଖର୍ଚ୍ଚ​ରେ ବୃକ୍ଷରୋପଣ ହୋଇଥିବା ଦର୍ଶାଯାଇଛି। ମାତ୍ର ସ୍ଥିତି ହେଉଛି, ସେଠାରେ ଗୋଟିଏ ବି ଗଛ ନାହିଁ।

ଏ ସଂପର୍କରେ ଖବର ପ୍ରକାଶନ ପରେ ଜିଲ୍ଲା ପ୍ରଶାସନ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ଏକ ତଦନ୍ତ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟରେ ଗଛ ନଥିବା କଥା ଦର୍ଶାଇବା ସହିତ ମନରେଗା ନିୟମ ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଥିଲା। ଏହାପରେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ସଚିବ ଡକ୍ଟର ମହେଶ୍ବର ସ୍ବାଇଁ ଏବଂ ମନରେଗା ପ୍ରକଳ୍ପର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକଙ୍କ ଚିଠି ପାଇବା ପରେ ଗତ ୨୧ ତାରିଖରେ ପାଟଣା ବିଡିଓ ଚିଠି ନମ୍ବର-୨୩୮୨ରେ ଚେମଣା ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସ୍‌ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।