ଚାରା ରୋପଣରେ ବି ବିଳମ୍ବ ଓ ଦାୟିତ୍ବହୀନତା: ଚାରାରୋପଣ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହେଉଛି ୧୧.୭୫ କୋଟି

ରାଉରକେଲା: ଆଉ ମାତ୍ର ଦେଢ଼ ମାସ ପରେ ଅର୍ଥାତ୍‌ ୨୦୨୩ ଜାନୁଆରି ୧୩ରେ ସହରରେ ହେବାକୁ ଯାଉଛି ପୁରୁଷ ବିଶ୍ବକପ୍‌ ହକି। ଏଥିପାଇଁ ସଜେଇ ହେଉଛି ସ୍ମାର୍ଟସିଟି ରାଉରକେଲା। ସହରର ଏଭଳି ବିକାଶମୂଳକ କାମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମାତ୍ର ଶେଷ ମୁହୂର୍ତ୍ତରେ ତରବରିଆ ଭାବେ ଯେମିତି କାମ ହେଉଛି, ତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଚାଷ ତରତର, ବାଣିଜ ମଠ- ଓଡ଼ିଆରେ ଥିବା ଏ ଉକ୍ତିର ବିପରୀତ ସହରର ବିଭିନ୍ନ ସ୍ଥାନରେ ବହୁ ବିଳମ୍ବରେ ଦାମି ଚାରା ରୋପଣ କାମ ଆରମ୍ଭ ହୋଇଥିଲା। ତେବେ ତାହା ନିମ୍ନମାନର ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଏ କାମ ମଧ୍ୟ ଏଭଳି ଶୈଳୀରେ ହେଉଛି ଯେ ସ୍ପଷ୍ଟ ଜଣା ପଡୁଛି ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଆଦୌ ମୁଣ୍ଡ ଖର୍ଚ୍ଚ କରି ନାହାନ୍ତି! ହକି ବିଶ୍ବକପ୍‌ ପାଇଁ ରାସ୍ତା ପାର୍ଶ୍ବ ଓ ମଝିରେ ବିଭିନ୍ନ ପ୍ରକାର ଚାରାରୋପଣ ଓ ଅନ୍ୟାନ୍ୟ କାମ ବାବଦରେ ୧୧ କୋଟି ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି। ସ୍ମାର୍ଟସିଟି ପାଣ୍ଠିରୁ ଖର୍ଚ୍ଚ ହେଉଥିବା ଏହି ଅର୍ଥ ଠିକ୍‌ ବିନିଯୋଗ ହେଉ ନଥିବା ବିଭିନ୍ନ ଜାଗାରେ ସ୍ଥାନର ଚାରା ରୋପଣରୁ ବାରି ହୋଇପଡୁଛି।

ପ୍ରଥମେ ପାନପୋଷ ଗାନ୍ଧିଛକରୁ ଉଦିତନଗର ପର୍ଯ୍ୟନ୍ତ ହଜାର ହଜାର ଟଙ୍କାର ପାମ୍‌ ଟ୍ରି ଲଗାଯାଇଥିଲା। ଏହି କିସମର ଗଛ ସେଠାରେ ଲଗାଇବା ଉଚିତ ନୁହେଁ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ସେ ଗଛଗୁଡ଼ିକୁ ଉପାଡ଼ି ଦିଆ ଯାଇଥିଲା। ପ୍ରଶ୍ନ ଉଠୁଛି- ଏହି ଗଛ ଲଗାଇବାକୁ ଠିକା ସଂସ୍ଥାକୁ ସ୍ମାର୍ଟସିଟି ପକ୍ଷରୁ କୁହାଯାଇ ଥିଲା କି? ସେଥିପାଇଁ କିଛି ବିଧିବଦ୍ଧ ଯୋଜନା ହୋଇ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆ ଯାଇଥିଲା କି? ଯଦି କୁହାଯାଇଥିଲା, ତେବେ ଖବରକାଗଜରେ ପ୍ରକାଶିତ ହେବାପରେ ସେ ଗଛଗୁଡ଼ିକୁ ଠିକା ସଂସ୍ଥାକୁ କାହିଁକି ଉପାଡିବାକୁ କୁହାଗଲା? ଉଲ୍ଲେଖନୀୟ କଥା ହେଉଛି, ପ୍ରମୁଖ ସ୍ଥାନରୁ ସେ ଗଛ ଉପୁଡ଼ା ଯାଇଥିଲେ ହେଁ ଅନ୍ୟ କିଛି ସ୍ଥାନରେ ଅଛି। ‌ଅଛି ସିନା ଦୁଇ ମାସ ତଳେ ଲଗା ଯାଇଥିଲେ ହେଁ ତାହା ଏବେ ଦିଶୁନି।

ମାଲଗୋଦାମ- ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ମୁଖ୍ୟ ରାସ୍ତାରେ ଦାମି ତାର ଜାଲି ମଧ୍ୟରେ ଗଛ ଲାଗିଥିଲା। କିନ୍ତୁ ଠିକ୍‌ ଭାବେ ରକ୍ଷଣାବେକ୍ଷଣ ନକରିବାରୁ କେଉଁଠି ତାରଜାଲିକୁ ବୁଲା ଗାଈଗୋରୁ ଭାଙ୍ଗି ଚାରାଗୁଡ଼ିକୁ ଖାଇ ଦେଲେଣି ତ ଅନ୍ୟ କେଉଁଠି ଲୋକେ ତାର ଜାଲିକୁ ବି ନେଇଗଲଣି। ଠିକ୍‌ ଭାବେ ପାଣି ଦିଆଯାଉ ନଥିବାରୁ କିଛି ଚାରା ମଧ୍ୟ ମରିଗଲାଣି। ଯଦି ଆଗାମୀ ଦିନରେ ଏହି ଦାମି ଚାରାଗୁଡ଼ିକର ଉପଯୁକ୍ତ ଯତ୍ନ ନିଆ ନଯାଏ, ତେବେ ହକି ବିଶ୍ବକପ୍ ଆରମ୍ଭ ବେଳକୁ ସେସସବୁ ଆଉ ନଥିବେ। ଚାରା ଅତିକମରେ ପାଞ୍ଚ ଛଅ ମାସ ଆଗରୁ ଲଗା ଯାଇଥିଲେ ଖେଳ ବେଳକୁ ସୁନ୍ଦର ଦେଖା ଯାଇଥାଆନ୍ତା। କିନ୍ତୁ ଦିନ ଗଡ଼ାଇ ଗଡ଼ାଇ ଶେଷ ବେଳକୁ କାମ ଆରମ୍ଭ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି, ଏସବୁ କାଣ୍ଡକାରଖାନା ହେଉଥିଲେ ହେଁ ଚାରାରୋପଣ ଦାୟିତ୍ବ ନେଇଥିବା ଠିକାସଂସ୍ଥାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ। ବରଂ ତଦାରଖ ଦାୟିତ୍ବରେ ବାବୁମାନେ ଠିକାସଂସ୍ଥାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।

ବର୍ତ୍ତମାନ ଯେମିତି ବେପରୱା ଭାବେ ଚାରା ଲଗା ଯାଉଛି ଓ ପୂର୍ବରୁ ଲଗା ଯାଇଥିବା ଚାରାର ଦାୟିତ୍ବହୀନ ଭାବେ ଯତ୍ନ ନିଆ ଯାଉଛି, ସେଥିରୁ ଅଧିକାରୀ ଓ ଠିକାସଂସ୍ଥା କେତେ ଖାମଖିଆଲ ହୋଇ ଯାଇଛନ୍ତି, ଅନୁମାନ କରା ଯାଇପାରେ। ଅବଶ୍ୟ ପୂର୍ବରୁ ଯେତିକି ଚାରା ବଞ୍ଚିବ, ସେତିକି ଚାରାର ବିଲ୍‌ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଠିକାସଂସ୍ଥାକୁ ତାଗିଦ କରା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନେ ମରି ଯାଇଥିବା ଗଛଗୁଡ଼ିକୁ ଜୀବିତ ଦର୍ଶାଇ ବିଲ୍‌ ପାସ୍‌ କରି ଦେଇଥିବା କୁହାଯାଉଛି। ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଛେଣ୍ଡ ମୁଖ୍ୟ ମାର୍ଗରୁ ଛେଣ୍ଡ ବିପିୟୁଟି ପର୍ଯ୍ୟସ୍ତ ଚାରାରୋପଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମରେ ୪ କୋଟି ୯ ଲକ୍ଷ ଟଙ୍କା; ରାଉରକେଲା-୧ରୁ ଲେବର ଛକ, ପାନପୋଷ ଛକରୁ ଆମ୍ବେଦକର ଛକ ଓ ହାଇଟେକ୍‌ ହସ୍ପିଟାଲ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣରେ ୩ କୋଟି ୮୨ ଲକ୍ଷ ଟଙ୍କା; ମହତାବରୋଡ, କୋଏଲନଗ ମୁଖ୍ୟ ରାସ୍ତା, ମଧୁସୂଦନ ରୋଡରେ ଦାମି ଚାରାରୋପଣ ସହ ଅନ୍ୟାନ୍ୟ ବାବଦରେ ୩ କୋଟି ୮୪ ଲକ୍ଷ- ଏମିତି ମୋଟ୍‌ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଛି।

ସମ୍ବନ୍ଧିତ ଖବର