ରାଜଧାନୀରେ ବି ଗଛ ଖାଇଗଲେ : ତାରଜାଲି ଅଛି, ଗଛ ନାହିଁ, କାଗଜ କଲମରେ ବଞ୍ଚିଛି ଶତ ପ୍ରତିଶତ

ଭୁବନେଶ୍ବର : ୩ବର୍ଷ ତଳେ ରାଜଧାନୀରେ ବନ ବିଭାଗ ପକ୍ଷରୁ ଗୋଟିଏ ଗଛ ଲଗାଇବା ପାଇଁ ଖର୍ଚ ହେଉଥିଲା ପ୍ରାୟ ୩୦୦ ଟଙ୍କା। ଏଥିରେ ଗଛ ଲଗାଠାରୁ ତାର ଜାଲି ବୁଲାଇବା ଖର୍ଚ ସାମିଲ ରହିଥିଲା। ପ୍ରତିବର୍ଷ ଗଛ ଲଗା ଖର୍ଚ ବଢ଼ି ଚାଲିଛି। ହେଲେ ପ୍ରତିବର୍ଷ ଯେତିକି ଗଛ ଲଗାଯାଉଛି, ତହିଁରୁ ୯୦ରୁ ଶତ ପ୍ରତିଶତ ଗଛ ବଞ୍ଚିଥିବା ବିଭାଗ ଦାବି କରିଛି। କିନ୍ତୁ ବନ ବିଭାଗର ଏହି ଦାବି ଓ ବାସ୍ତବ ସ୍ଥିତି ଭିତରେ ଆକାଶପାତାଳ ଫରକ୍‌। ଯେଉଁ ଅଞ୍ଚଳରେ ଗଛ ଲଗାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି, ସେସବୁ ଅଞ୍ଚଳରେ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଜଣାଯାଇଛି, ଅଧିକାଂଶ ସ୍ଥାନରେ ଗଛର ଚିହ୍ନବର୍ଣ୍ଣ ନାହିଁ। ଅନେକ ଗଛ ଠିଆ ହୋଇଛି, ହେଲେ ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ଆଉ କେଉଁଠି ତାର ଜାଲି ଠିଆ ହୋଇଛି ହେଲେ ଭିତରେ ଗଛ ନାହିଁ। କେବଳ କାଗଜ କଲମରେ ଶତ ପ୍ରତିଶତ ଗଛ ବଞ୍ଚାଇଥିବା ଦାବି କରିଛି ସିଟି ଫରେଷ୍ଟ ଡିଭିଜନ୍। ରାଜଧାନୀକୁ ସବୁଜବଳୟ ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଥିଲେ ହେଁ ଗଛ ବଞ୍ଚୁଛି କି ନାହିଁ, ଏଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉ ନଥିବା ଏଥିରୁ ଏକପ୍ରକାର ସ୍ପଷ୍ଟ ହେଉଛି।

ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ସିଟି ଫରେଷ୍ଟ ଡିଭିଜନ୍ ଦାବି କରିଛି ୨୦୧୮/୧୯ରେ ରାଜଧାନୀରେ ଯାହା ବି ଗଛ ଲଗାଇଛୁ, ସବୁ ବଞ୍ଚିଛି। ଅର୍ଥାତ୍ ସଫଳତା ହାର ଶତପ୍ରତିଶତ। ସେହିପରି ୨୦୧୭/୧୮ବର୍ଷରେ ଏହା ୯୪ ପ୍ରତିଶତ ଥିବା ବେଳେ ୨୦୧୬/୧୭ରେ ୯୦ ପ୍ରତିଶତ ରହିଛି। ୨୦୧୬/୧୭ରେ ୫୦ହଜାର, ୨୦୧୭/୧୮ରେ ୨୪ହଜାର ୩୫୦ ଓ ୨୦୧୮/୧୯ରେ ୧ଲକ୍ଷ ୫ହଜାର ଗଛ ଲଗାଇଛି ବନ ବିଭାଗ। ଏହି ୩ ବର୍ଷରେ ରାଜଧାନୀରେ କେବଳ ପ୍ରାୟ ୧ଲକ୍ଷ ୮୦ ହଜାର ଗଛ ଲାଗିଛି। କେବଳ ଗଛ ଲାଗିନାହିଁ ଗଛ ବଞ୍ଚାଇବା ଲାଗି ପାଣି ଓ ମାଟି ମଧ୍ୟ ଦିଆଯାଇଛି।

esuppliersindia.com

୨୦୧୬/୧୭ ମସିହାରେ ଆସନ୍ତା ୪ବର୍ଷ ପାଇଁ ୧ହଜାର ଗଛ ଲଗାଇବା ପାଇଁ ୩ ଲକ୍ଷ ୩୫ ହଜାର ୪୮୦ ଟଙ୍କା ବ୍ୟୟ ଅଟକଳ କରିଥିଲା ବନ ବିଭାଗ। ଏହି ବର୍ଷ ୫୦ହଜାର ଗଛ ଲଗାଯାଇଥିବା ବେଳେ ପରବର୍ତୀ ବର୍ଷଗୁଡ଼ିକରେ ଗଛ ଲଗା ଖର୍ଚ ଶ୍ରମିକ ମଜୁରି ଅନୁସାରେ ଖର୍ଚ ବଢ଼ୁଥିବା କହିଛି ବନ ବିଭାଗ। ଅପରପକ୍ଷରେ ଗଛକୁ ବାହ୍ୟ ଜୀବଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ବର୍ଷ ବର୍ଷ ଧରି ଲକ୍ଷାଧିକ ଟଙ୍କା ଖର୍ଚରେ ତାରଜାଲି ବୁଲା ଯାଉଛି। ୨୦୧୬/୧୭ରେ ୧କୋଟି ୬ଲକ୍ଷ ୨୭ହଜାର ୨୬୫ଟଙ୍କା ତାରଜାଲି ବୁଲାଇବାରେ ଖର୍ଚ କରିଛି ସିଟି ଫରେଷ୍ଟ ଡିଭିଜନ୍। ସେହିପରି ୨୦୧୭/୧୮ରେ ୪୪ଲକ୍ଷ, ୨୦୧୮/୧୯ରେ ୧କୋଟି ୧୭ଲକ୍ଷ ୮୫ହଜାର ୧୬୩ ଟଙ୍କା ଖର୍ଚ କରାଯାଇଛି। ଗତ ୩ ବର୍ଷରେ ୨ କୋଟି ୬୮ଲକ୍ଷ ୧୨ହଜାର ୪୨୮ ଟଙ୍କା କେବଳ ତାରଜାଲି ବୁଲାଇବାରେ ଖର୍ଚ ହୋଇଛି। ୨୦୧୬/୧୭ରେ ସମୁଦାୟ ଗଛ ପାଇଁ ତାରଜାଲି ଓ ଗଛ ଲଗାଇବା ଖର୍ଚ ମିଶାଇଲେ ଏହି ବର୍ଷ ୧ କୋଟି ୪୮ଲକ୍ଷ ୨୦ହଜାର ୭୬୫ ଟଙ୍କା ଖର୍ଚ ହୋଇଛି। ତେଣୁ ଏହି ଆଧାରରେ ୨୦୧୬/୧୭ରେ ଗୋଟିଏ ଗଛ ଲଗାଇବା ଖର୍ଚ ପ୍ରାୟ ୯୦ ଟଙ୍କା ଥିବା ବେଳେ ତାରଜାଲି ବୁଲାଇବା ପାଇଁ ୨୧୨ ଟଙ୍କାକୁ ମିଶାଇଲେ ଖର୍ଚ ପାଖାପାଖି ୩୦୦ ଟଙ୍କା ରହିଛି। ପରବର୍ତୀ ବର୍ଷଗୁଡ଼ିକରେ ବିଭାଗର ଖର୍ଚ ବଢ଼ି ବଢ଼ି ଚାଲିଛି। ଗଛ ଚାରିପାଖରେ ତାରଜାଲି ବୁଲାଇବା ପାଇଁ ଏକାଧିକ ଏଜେନ୍‌ସିକୁ ଦାୟିତ୍ବ ଦେଇଛି ବନ ବିଭାଗ। ହେଲେ କେଉଁ ଆଧାରରେଏସବୁ ଏଜେନ୍‌ସିକୁ ଦାୟିତ୍ବ ଦିଆଯାଇଛି ପ୍ରଶ୍ନକୁ ଏଡ଼ାଇ ଯାଇଛି ବନ ବିଭାଗ।

ସିଟି ଫରେଷ୍ଟ ଡିଭିଜନ୍ ପକ୍ଷରୁ କୁହାଯାଇଛି ଯେ, ୟୁନିଟ୍ ୬ ବାଳକ ଉଚ୍ଚ ବିଦ୍ୟାଳୟ, ରାଜଭବନ ପରିସର, ପିଏମ୍‌ଜିରୁ ମାଷ୍ଟର କ୍ୟାଣ୍ଟିନ୍ ରାସ୍ତା, ବିମାନବନ୍ଦର ରାସ୍ତା, ସିଡିଏ, ପଳାଶପଲ୍ଲୀ, କଳିଙ୍ଗ ହସ୍ପିଟାଲରୁ ସୈନିକ ସ୍କୁଲ, ସୈନିକ ସ୍କୁଲ ପରିସର, କଳିଙ୍ଗ ବିହାର ରାସ୍ତା, ତପୋବନ ହାଇସ୍କୁଲ, ଆରଆରଏଲ କ୍ୟାମ୍ପସ୍, ମଞ୍ଚେଶ୍ବର ରେଲୱେ ୱାର୍କସପ୍, ପଡ଼ିଆ ଓ ଗେଷ୍ଟ ହାଉସରେ ଗଛ ଲଗାଯାଇଛି। କରଞ୍ଜ, ନିମ୍ବ, ଅର୍ଜୁନ, ଜାମୁ, ପାଟୋଳି, ପିସ୍ତାବାଦାମ, ସୁନାରି, ଟେକୋମା, ବାରା, ରାଧାଚୂଡ଼ା, କୃଷ୍ଣଚୂଡ଼ା, ଅଶୋକ, ଅଁଳା, ପୂତ୍ରଞ୍ଜୀବ ଓ ଚମ୍ପା ଭଳି ଗଛ ଲାଗିଛି। ଲୋୟର ପିଏମ୍‌ଜି ଅଞ୍ଚଳରେ ଯଦିଓ କିଛି ଗଛ ବଞ୍ଚିଛି ଏଠାରୁ ଯଥେଷ୍ଟ ଅଧିକ ଗଛ ଭାଙ୍ଗି ପଡ଼ିଛି କିମ୍ବା ନଷ୍ଟ ହୋଇଯାଇଛି। ସେହିପରି କଳିଙ୍ଗ ହସ୍ପିଟାଲ ରାସ୍ତାରେ ଅଧିକାଂଶ ଗଛର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଚଳିତ ବାତ୍ୟାରେ ରାଜଧାନୀରେ ଲକ୍ଷାଧିକ ଗଛ ଭାଙ୍ଗିଛି ସତ, ହେଲେ ଗତ ୩ବର୍ଷ ଭିତରେ ବିଭାଗ ଲଗାଇଥିବା ଗଛ ଏହି ସମୟ ଭିତରେ ସେତିକି ବଢ଼ିନାହିଁ। ଏବେ ବି ଅନେକ ଗଛ ତାରଜାଲି ଭିତରେ ହିଁ ରହିଛି। ତେଣୁ ବିଭାଗ ଲଗାଇଥିବା ଲକ୍ଷାଧିକ ସଂଖ୍ୟାରେ ଗଛ କୁଆଡ଼େ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଗତ ୩ବର୍ଷରେ ବିଭାଗ ରାଜଧାନୀରେ କେତେ ଗଛ କାଟିଛି ତା’ର ହିସାବ ଦେଇନାହିଁ। ସରକାରୀ କାମ ପାଇଁ ଗଛ କଟାଯାଇଥିବା କହିଥିଲେ ହେଁ ଏହାର ପରିମାଣ କେତେ ତାହା ଦର୍ଶାଇନାହିଁ।

ସମ୍ବନ୍ଧିତ ଖବର